ବିଲ୍‌ ପେମେଣ୍ଟକୁ ନେଇ ରାଗରେ ପିଟି ପିଟି ମାରିଦେଲେ ରେଷ୍ଟୁରାଣ୍ଟ କର୍ମଚାରୀ

ନୋଏଡ଼ା:  ରେଷ୍ଟୁରାଣ୍ଟ ବିଲ୍‌ ପେମେଣ୍ଯକୁ ନେଇ ଝଗଡ଼ା ଏବଂ ଶେଷରେ ମୃତ୍ୟୁ ।  ନୋଏଡାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।  ସୋମବାର ରାତି ପ୍ରାୟ ୧୧ଟାରେ ନୋଏଡାର କାର୍ଡେନ ଗ୍ୟାଲେରିଆ ମଲ୍‌ ନିକଟରେ ଥିବା ଲଷ୍ଟ ଲେମନ ରେଷ୍ଟ୍ରୋ ବାରରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ମାରି ଦେଇଛନ୍ତି ରେଷ୍ଟୁରାଣ୍ଟ କର୍ମଚାରୀ ।

ସୂଚନା ଅନୁସାରେ ମୃତକଙ୍କ ବୟସ ଥିଲା ୩୦ ବର୍ଷ ।  ନାଁ ବ୍ରଜେଶ୍‌ । ଘର ବିହାରରେ । ପୋଲିସର କହିବା ଅନୁସାରେ ବ୍ରଜେଶ୍‌ ତାଙ୍କ ଅଫିସ ବନ୍ଧୁ ମାନଙ୍କ ସହ ପାର୍ଟି ପାଇଁ ସେହି ରେଷ୍ଟୁରାଣ୍ଟକୁ ଯାଇଥିଲେ । ରାତି ପ୍ରାୟ ୧୧ଟା ବେଳେ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ସହ ତାଙ୍କର ଗଣ୍ଡଗୋଳ ହୋଇଗଲା । ବିଲ୍‌ ପେମେଣ୍ଟକୁ ନେଇ ସେଠାକାର କର୍ମଚାରୀଙ୍କ ସହ ଝଗଡ଼ା ଯଥେଷ୍ଟ ବଢ଼ିଗଲା । କଥା ଏତେ ବଢ଼ିଗଲାଯେ ସେଠାର କର୍ମଚାରୀ ବ୍ରଜେଶଙ୍କୁ ଖୁବ୍‌ ପିଟାପିଟି କଲେ । ଗୁରୁତର ଅବସ୍ଥାରେ ବ୍ରଜେଶଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଗଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହେଲା ।

ସିସିଟିଭି ଫୁଟେଜ ଦେଖିବା ପରେ ୧୨ ଜଣଙ୍କୁ ପୋଲିସ ହେପାଜତକୁ ନେଇଛି । କିନ୍ତୁ କାହାକୁ ମଧ୍ୟ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ ।