ନୋବେଲ ଶାନ୍ତି ବିଜେତା ନର୍ଗିସ ମହମ୍ମଦିଙ୍କ ଅନଶନ

ନୂଆଦିଲ୍ଲୀ: ଇରାନର କାରାଗାରରେ ବନ୍ଦୀ ଥିବା ନୋବେଲ ଶାନ୍ତି ବିଜେତା ନର୍ଗିସ ମହମ୍ମଦିଙ୍କ ଅନଶନ । ଓସଲୋରେ ନୋବେଲ ପୁରସ୍କାର ପ୍ରଦାନ ଉତ୍ସବ କାର୍ଯ୍ୟକ୍ରମ ଥିବାବେଳେ ସେ ଯୋଗଦେଇପାରିବେ ନାହିଁ । ଇରାନରେ ହିଜାବ ଓ ମୃତ୍ୟୁଦଣ୍ଡାଦେଶ ବିରୋଧରେ ସଂଗ୍ରାମ କରି ଶାସକଙ୍କ ରୋଷର ଶିକାର ହୋଇ ବନ୍ଦୀ ରହିଛନ୍ତି ମହମ୍ମଦି ।

ଇରାନରେ ବାହାଇ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଉଛି ଓ ବିଭିନ୍ନ ସ୍ଥାନରେ ଏହି ଧର୍ମାବଲମ୍ବୀଙ୍କ ବିରୋଧରେ ପାତରଅନ୍ତର ନୀତି ପ୍ରଦର୍ଶନ କରାଯାଉଛି । ତାଙ୍କ ମୁହଁକୁ ନ ଘୋଡାଇ ଜେଲରୁ ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବା ଦାବିରେ ସେ ଗତ ନଭେମ୍ବରରୁ ଅନଶନ କରିଆସୁଥିଲେ । ତେଣେ ନୋବେଲ ପୁରସ୍କାର ପ୍ରଦାନ ଉତ୍ସବ ଦିନରେ ସେ ପୁଣି ଥରେ ଅନଶନ ଆରମ୍ଭ କରିଛନ୍ତି ।

ଇରାନରେ ମହିଳାଙ୍କ ସାର୍ବଭୌମତ୍ବ, ସୁରକ୍ଷା ଦାବି ସହ ସେମାନଙ୍କ ଉପରେ ହେଉଥିବା ନିର୍ଯାତନା ବିରୋଧରେ ଦୀର୍ଘଦିନ ଧରି ସଂଗ୍ରାମ କରିଆସୁଥିବା ମହମ୍ମଦିଙ୍କୁ ଗତ ଅକ୍ଟୋବରରେ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ଘୋଷଣା କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ମହମ୍ମଦି ୧୩ ଥର ଗିରଫ ହୋଇଥିବାବେଳେ ୫ଥର ଜେଲ ଦଣ୍ଡାଦେଶ କ୍ରମେ ୩୧ ବର୍ଷ ଜେଲଦଣ୍ଡର ସମ୍ମୁଖୀନ ହୋଇଛନ୍ତି । ଏହାସହ ତାଙ୍କୁ ୧୫୪ ଥର ଚାବୁକ ମାଡ଼ କରାଯାଇଛି । ମହିଳା, ଜୀବନ ଓ ସ୍ବାଧୀନତାର ବାର୍ତ୍ତା ନେଇ ସେ ସଂଗ୍ରାମ ଜାରି ରଖିଛନ୍ତି ।