ଆଇନ୍‌ର ପଞ୍ଝାରୁ ଆଉ ଖସିପାରିବେନି ଦୁଷ୍କର୍ମକାରୀ । ସବୁ ଦୁଷ୍କର୍ମ ମାମଲା ଉପରେ ସୁପ୍ରିମକୋର୍ଟଙ୍କ ରହିବ କଡ଼ା ନଜର

ନୂଆଦିଲ୍ଲୀ: ଦେଶରେ ଦୁଷ୍କର୍ମ ମାମଲା ଦିନକୁ ଦିନ ବଢ଼ି ଚାଲିଛି । ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଅନୁଯାୟୀ ପ୍ରତି ଘଣ୍ଟାରେ ୩ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ଏହି ରିପୋର୍ଟ ଦେଶକୁ ଏକ ଅସ୍ୱସ୍ତିକର ପରିବେଶରେ ଛିଡ଼ା କରାଇଛି । ଏଭଳି ସ୍ଥିତିରେ ସରକାର ହାତ ଟେକି ଦେଇଥିବା ବେଳେ ଆଗେଇ ଆସିଛନ୍ତି ସର୍ବୋଚ୍ଚ ଅଦାଲତ । ଏଣିକି ଦେଶରେ ଘଟୁଥିବା ପ୍ରତି ଦୁଷ୍କର୍ମ ମାମଲା ଉପରେ ନଜର ରଖିବେ ସୁପ୍ରିମକୋର୍ଟ ।

ଦେଶର ପ୍ରତି ଦୁଷ୍କର୍ମ ମାମଲା ଉପରେ ନଜର ରଖିବା ସହ କିଭଳି ଶୀଘ୍ର ଫଇସଲା ହେବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିପାଇଁ ସୁପ୍ରିମକୋର୍ଟର ଦୁଇଜଣ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି ।

 

ପ୍ରଧାନ ବିଚାରପତି ଜଷ୍ଟିସ ଶରଦ ଅରବିନ୍ଦ ବୋବ୍‌ଡେ । କମିଟିରେ ଜଷ୍ଟିସ ସୁଭାଷ ରେଡ୍ଡୀ ଓ ଜଷ୍ଟିସ ଏମ୍‌ ଆର ଶାହ ସଦସ୍ୟ ରହିଛନ୍ତି । କମିଟି ଦେଶର ନିମ୍ନ ଅଦାଲତ ସହ ହାଇକୋର୍ଟରେ ଦାଖଲ ଦୁଷ୍କର୍ମ ମାମଲାର କିଭଳି ଶୀଘ୍ର ବିଚାର ହୋଇପାରିବ ସେ ନେଇ ପଦକ୍ଷେପ ନେବେ । ରାଜ୍ୟ ସରକାରମାନେ କୋର୍ଟଙ୍କ ଆଦେଶ ଅନୁପାଳନ କରୁନଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିବା ପରେ ଏହିଭଳି ପଦକ୍ଷେପ ନେଇଛନ୍ତି ।


ମହିଳାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଗତ ୧୭ ବର୍ଷରେ ଦୁଇ ଗୁଣ ବଢ଼ିଛି । ୨୦୦୧ରୁ ୨୦୧୭ ମଧ୍ୟରେ ଦେଶରେ ୪ ଲକ୍ଷ ୧୫ ହଜାର ୭୮୬ ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ପ୍ରତିଦିନ ହାରାହାରି ୬୭ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ୨୦୦୧ରେ ସାରା ଦେଶରେ ମୋଟ୍‌ ୧୬ ହଜାର ୭୫ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ୨୦୧୭ ବେଳକୁ ଏହି ସଂଖ୍ୟା ୩୨ ହଜାର ୫୫୯ରେ ପହଞ୍ଚି ଯାଇଛି । ଅର୍ଥାତ୍‌ ୧୭ ବର୍ଷରେ ଦୁଷ୍କର୍ମ ମାମଲାରେ ୧୦୩ ପ୍ରତିଶତ ବୃଦ୍ଧି ଘଟିଛି । ଦୁଷ୍କର୍ମ ସଂଖ୍ୟା ବୃଦ୍ଧି ମାମଲାରେ ସବୁଠୁ ଆଗରେ ରହିଛି ଗୋଆ । ସେଠାରେ ଦୁଷ୍କର୍ମ ମାମଲା  ୫୩୩ %କୁ ବୃଦ୍ଧି ହୋଇଥିବା ବେଳେ ଉତ୍ତରାଖଣ୍ଡରେ ଏହି ହାର ୪୦୫ ପ୍ରତିଶତ ରହିଛି ।

Leave a Reply