ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ ଆସୁନି ଯୋଜନା, ବିଜେପି ସରକାର ଉପରେ ବର୍ଷିଲେ ଗ୍ରାମବାସୀ
କାଶୀନଗର: ଗଜପତି ଜିଲ୍ଲା କାଶୀନଗର ବ୍ଲକ ସୀତାପୁର ପଞ୍ଚାୟତ । ଗ୍ରାମସଭାରେ କାଠଗଡ଼ାରେ ବିଜେପି ସରକାର । ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ ପଞ୍ଚାୟତକୁ ଯୋଜନା ଆସୁ ନଥିବା ଅଭିଯୋଗ । ମୋହନ ସରକାର ଉପରେ ବର୍ଷିଲେ ଗ୍ରାମବାସୀ । ଅସନ୍ତୋଷ ଜାହିରି କରିବା ସହ ସରକାରୀ ପରିଚାଳନା ଉପରେ ଉଠାଇଲେ ପ୍ରଶ୍ନ ।
ବିଜେପି ସରକାରଙ୍କ ପ୍ରତିଶ୍ରୁତି ପାଲଟିଛି ପାଣିର ଗାର । ଗଜପତି ଜିଲ୍ଲା କାଶୀନଗର ବ୍ଲକ ସୀତାପୁର ପଞ୍ଚାୟତରେ ବସିଥିଲା ଗ୍ରାମସଭା । ବିଭିନ୍ନ ବିକାଶମୂଳକ କାର୍ଯ୍ଯର ତଦାରଖ କରିଥିଲେ ଲୋକେ । ହେଲେ ବିଜେପି ସରକାର ଗଠନର ୪ ମାସ ପରେ ବି ପଞ୍ଚାୟତକୁ କୌଣସି ଯୋଜନା ଆସିନାହିଁ । ନିର୍ବାଚନୀ ଇସ୍ତାହାର ସମୟରେ ବୟସ୍କ ବ୍ଯକ୍ତିଙ୍କୁ ୩ ହଜାର ଟଙ୍କା ଭତ୍ତା ସାଙ୍ଗକୁ ୩ ଶହ ୟୁନିଟ୍ ମାଗଣା ବିଜୁଳି, ଧାନ କୁଇଣ୍ଟାଲ ପିଚ୍ଛା ୩୧୦୦ ଟଙ୍କା ସାଙ୍ଗକୁ ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବାକୁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ସେହିପରି ସମସ୍ତ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଦୁଇଟି କିସ୍ତିରେ ୫୦ ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲେ ବି ଏପର୍ଯ୍ଯନ୍ତ କୌଣସି ଯୋଜନା କାର୍ଯ୍ଯକାରୀ ହୋଇ ନଥିବା ନେଇ ଗ୍ରାମସଭାରେ ଆଲୋଚନା ହୋଇଥିଲା । ପଞ୍ଚାୟତ ଅଧିକାରୀ ଲୋକଙ୍କୁ ସ୍ପଷ୍ଟୀକରଣ ଦେବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା ।
ଏପଟେ ବିଜେପିର ନେତା ଓ କର୍ମୀ ରାଜ୍ୟ ସରକାରଙ୍କ ବହୁ ବିକାଶମୂଳକ ଯୋଜନା ଆସୁଛି ବୋଲି ଗୁଜବ ସୃଷ୍ଟି କରୁଛନ୍ତି । ଗ୍ରାମସଭାରେ ସରପଞ୍ଚ ଓ ୱାର୍ଡ ସଭ୍ଯ ଲୋକଙ୍କୁ ବିଜେପିର ମିଛ ନାଟକ ବିରୋଧରେ ସଚେତନ କରିଥିଲେ । ଏହାକୁ ନେଇ ସାଧାରଣ ଲୋକଙ୍କ ସହ ବିଜେପି କର୍ମୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ସ୍ଥିତି ଏପରି ହୋଇଥିଲା ଯେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ । ଅନ୍ଯପକ୍ଷରେ ବର୍ତ୍ତମାନ ସମୟରେ ସବୁ ଜିନିଷର ଦର ବୃଦ୍ଧି ହେଉଥିବା ବେଳେ ଆବାସ ଯୋଜନାରେ ଅନୁଦାନ ବୃଦ୍ଧି ପରିବର୍ତ୍ତେ କମାଇବା ପରିତାପ ବଷିୟ ବୋଲି କହିଛନ୍ତି ଲୋକ ପ୍ରତିନିଧି ।
ରାଜନୈତିକ ଦୃଷ୍ଟିକୋଣରୁ ଏହି ପଞ୍ଚାୟତର ବିକାଶ ଅନେକ ଗୁରୁତ୍ବ ବହନ କରୁଛି । ତେବେ ବିଜେପି ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତି ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।