ଯାଜପୁରରେ ଲୋକଙ୍କ ହିତରେ ଲାଗୁନି ବିନ୍ଧାଣ ଆଦର୍ଶ ମାର୍କେଟ କମ୍ପ୍ଲେକ୍ସ
1 min read
ନନ୍ଦିଘୋଷ ବ୍ୟୁରୋ: ଯାଜପୁରରେ ବ୍ଯବସାୟୀଙ୍କ କାମରେ ଆସୁନି ବିନ୍ଧାଣ ଆଦର୍ଶ ମାର୍କେଟ କମ୍ପ୍ଲେକ୍ସ । ବନ୍ଦ ହୋଇପଡିଛି ଲକ୍ଷାଧିକ ଟଙ୍କାରେ ନିର୍ମିତ ଭିତ୍ତିଭୂମି । ଆମିଷ ବ୍ୟବସାୟୀ ଓ ପନିପରିବା ବ୍ୟବସାୟୀଙ୍କ ଉଦ୍ଦେଶ୍ଯରେ ନିର୍ମିତ ସ୍ଥାନ ହୋଇପାରୁନି ଆବଣ୍ଟିତ । ଫଳରେ ହଇରାଣ ହରକତ ହେଉଛନ୍ତି ବ୍ଯବସାୟୀ ।
ଲୋକଙ୍କ ହିତରେ ଲାଗୁନି RMC ମାର୍କେଟ । ବନ୍ଦ ହୋଇପଡିଛି ଲକ୍ଷାଧିକ ଟଙ୍କାରେ ନିର୍ମିତ ଭିତ୍ତିଭୂମି । ଯାଜପୁର ଆରଏମସି ବା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଗତ ବର୍ଷ ସେପ୍ଟେମ୍ବର ମାସରୁ ଉଦଘାଟିତ ହୋଇଛି ବିନ୍ଧାଣ ଆଦର୍ଶ ମାର୍କେଟ କମ୍ପ୍ଲେକ୍ସ । ଆମିଷ ବ୍ୟବସାୟୀ ଓ ପନିପରିବା ବ୍ୟବସାୟୀଙ୍କ ଉଦ୍ଦେଶ୍ଯରେ ନିର୍ମିତ ଏହି ସ୍ଥାନ ଠିକ ଭାବେ ବଣ୍ଟନ ହୋଇ ନଥିବାରୁ ଜାଗା ଖାଲି ପଡୁଛି । ଫଳରେ ମାଛ ବ୍ଯବସାୟୀ ବାହାରେ ମାଛ ବେପାର କରୁଥିବା ବେଳେ ପରିବା ବ୍ଯବସାୟୀ ତଳେ ବସି ବେପାର କରୁଛନ୍ତି । ସେହିଭଳି ଏଠାକୁ ପ୍ରତିଦିନ ଶତାଧିକ ଲୋକ ଆସୁଥିବାରୁ ସ୍ଥାନୀୟ ଅଞ୍ଚଳ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଗଲାଣି । ସାମାନ୍ୟ ବର୍ଷା ହେଲେ ଏହି ଜାଗା କାଦୁଅରେ ଭର୍ତ୍ତି ହୋଇଯାଉଥିବାରୁ ଗ୍ରାହକ ଆସୁନାହାନ୍ତି । ମାର୍କେଟରୁ ଆରଏମସି ଟିକସ ସଂଗ୍ରହ କରୁଥିଲେ ମଧ୍ୟ କୌଣସି ସଠିକ ପଦକ୍ଷେପ ଗ୍ରହଣ କରୁ ନଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ ।
ଯାଜପୁର ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ପ୍ରଥମେ ଆଙ୍କୁଲା ଠାରେ ଏକ ମାର୍କେଟ କମ୍ପ୍ଲେସ ପ୍ରତିଷ୍ଠା କରାଯାଇଥିଲା । କିନ୍ତୁ ଯାଜପୁର ମେଡିକାଲ କଲେଜ ପ୍ରତିଷ୍ଠା ଯୋଗୁଁ ସେହି କମ୍ପ୍ଲେକ୍ସକୁ ଉଚ୍ଛେଦ କରାଯାଇ ବିନ୍ଧାଣରେ ପ୍ରତିଷ୍ଠା କରାଯାଇଛି । କିନ୍ତୁ ଅଦ୍ୟାବଧି ଆଙ୍କୁଲାରେ ଥିବା ବ୍ୟବସାୟୀ ମାନଙ୍କୁ ଆଜି ପର୍ଯ୍ୟନ୍ତ ଥଇଥାନ କରାଯାଇନାହିଁ । ଅନ୍ଯପଟେ ମାର୍କେଟ କମ୍ପ୍ଲେକ୍ସର ଅବ୍ଯବସ୍ଥା ନେଇ ଆରଏମସି ଅବଗତ ଅଛି ଏବଂ ଶୀଘ୍ର ସମସ୍ଯାର ସମାଧାନ କରାଯିବ ବୋଲି ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ କହିଛନ୍ତି । ଆରଏମସି ଶୀଘ୍ର ବ୍ଯବସାୟୀଙ୍କ ସମସ୍ଯାର ସମାଧାନ କରିବାକୁ ଦାବି ଜୋର ଧରିଛି ।