କାମରେ ଆସୁନି ଉଠା ଜଳସେଚନ ପ୍ରକଳ୍ପ : ଜମି ଫାଟି ଆଁ କରୁଥିବା ଯୋଗୁଁ ଚିନ୍ତାରେ ଚାଷୀ
1 min readକାମାକ୍ଷାନଗର : କାମରେ ଆସୁନି ଉଠା ଜଳସେଚନ ପ୍ରକଳ୍ପ । ଚାଷ ଜମିକୁ ମାଡୁନି ପାଣି । ଜମି ଫାଟି ଆଁ । ଅନଗୁଳ ଜିଲ୍ଲାରୁ ଢେଙ୍କାନାଳ ଜିଲ୍ଲା ଦେଇ ଯାଜପୁର ଜିଲ୍ଲାକୁ ଯାଇଛି ରେଙ୍ଗାଳି ବାମପାର୍ଶ୍ଵ କେନାଲ । ହଜାର ହଜାର କୋଟି ଟଙ୍କା ଖର୍ଚ୍ଚରେ ଏକର ଏକର ଚାଷ ଜମି ଉପରେ ନିର୍ମାଣ ହୋଇଛି ଏହି କେନାଲ । ବର୍ଷର ଅଧିକାଂଶ ସମୟରେ କେନାଲରେ ଜଳଯୋଗାଣ ଜାରି ରହିଛି l ହେଲେ ଏହି କେନାଲର ପାଣି କୃଷି କାର୍ଯ୍ଯରେ ଲାଗି ପାରୁନାହିଁ । କୃଷି କାର୍ଯ୍ଯରେ ସୁବିଧା ପାଇଁ କାମାକ୍ଷାନଗର ଓ ପରଜଙ୍ଗ ବ୍ଲକରେ ରେଙ୍ଗାଳି ବାମପାର୍ଶ୍ଵ କେନାଲ ଉପରେ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି l କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ବିଲକୁ ପାଣି ଟୋପାଏ ମାଡି ପାରୁନାହିଁ । ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ ।
କାମାକ୍ଷାନଗର ବ୍ଲକର ବାଘୁଆ, ବ୍ରାହ୍ମଣିଆ, କାନପୁରା, ହାଡ଼ଗରି ପ୍ରଭୂତି ସ୍ଥାନରେ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଛି । ପ୍ରାୟ ପ୍ରକଳ୍ପରେ ଟ୍ରାନ୍ସଫରମର ଥିବା ବେଳେ ବିଦ୍ୟୁତ ସଂଯୋଗ ନାହିଁ, କେଉଁଠି ପାଇପ ନାହିଁ ତ ଆଉ କେଉଁଠି ମୋଟର ମଧ୍ୟ ନାହିଁ । ଫଳରେ କେନାଲରେ ଜଳ ପ୍ରବାହ ଜାରି ରହିଥିବା ବେଳେ ଜଳଯୋଗାଣ ଚାଷୀଙ୍କ କାମରେ ଆସୁନାହିଁ । ଫଳରେ ଉଭୟ ଖରିଫ ଓ ରବିଋତୁରେ ଚାଷ କରିବାକୁ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମସ୍ଯା ସଂପର୍କରେ ଚାଷୀମାନେ ବିଭାଗୀୟ ଅଧିକାରୀ ତଥା ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କୌଣସି ସୁଫଳ ମିଳି ପାରିନାହିଁ । ସେପଟେ ଏସଂପର୍କରେ କାମାକ୍ଷାନଗର ଉପଖଣ୍ଡ ଜଳସେଚନ ଅଧିକାରିଣୀ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ରଖିବାକୁ ମନାକଲେ । ତୁରନ୍ତ ଉଠା ଜଳସେଚନ ପ୍ରକଳ୍ପ ଗୁଡିକ କାର୍ଯ୍ୟକ୍ଷମ କରାଇବାକୁ ସରକାର ଓ ପ୍ରଶାସନ ନିକଟରେ ଦାବି କରିଛନ୍ତି ଚାଷୀ ।