ୟୁକ୍ରେନ-ଋଷିଆ ଯୁଦ୍ଧରେ କେହି ବିଜେତା ହେବେନି: ମୋଦି

1 min read

ନୂଆଦିଲ୍ଲୀ: ୟୁକ୍ରେନ-ଋଷିଆ ଯୁଦ୍ଧରେ କେହି ବିଜେତା ରହିପାରିବେ ନାହିଁ । ଭାରତ ସର୍ବଦା ଶାନ୍ତି ସପକ୍ଷରେ ରହିଆସିଛି । ଜର୍ମାନୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷିଆ-ୟୁକ୍ରେନ ବାବଦରେ ଏହି ମନ୍ତବ୍ୟ ଦେଇଛନ୍ତି । ଏହାସହ ଯୁଦ୍ଧ ତୁରନ୍ତ ବନ୍ଦ ହେଉ ବୋଲି ଅପିଲ କରିଛନ୍ତି ।

ଯୁଦ୍ଧ ନେଇ ଭାରତର ଆଭିମୁଖ୍ୟକୁ କିଛି ପାଶ୍ଚାତ୍ୟ ଦେଶ ସମାଲୋଚନା କରିଥିବା ବେଳେ ଜର୍ମାନୀରେ ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟ ବେଶ୍ ଗୁରୁତ୍ବ ବହନ କରୁଛି । ଆଜି ୟୁରୋପ ଗସ୍ତର ପ୍ରଥମ ପର୍ଯ୍ୟାୟ ଜର୍ମାନୀରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ବର୍ଲିନରେ ଜର୍ମାନୀ ଚାନସେଲର ଓଲାଫ ସ୍କଲଜଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ବାଣିଜ୍ୟ ଓ ସାଂସ୍କୃତିକ ସଂପର୍କ ନିବିଡ କରିବା ଉପରେ ଦୁଇ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି । ଦ୍ବିପାକ୍ଷିକ ଆଲୋଚନାରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇଥିଲା । ପରେ ପ୍ରଧାନମନ୍ତ୍ରୀ ମୋଦି ଓ ଜର୍ମାନ ଚାନସେଲର ସ୍କଲଜ ଇଣ୍ଟର ଗଭର୍ଣ୍ଣମେଂଟାଲ୍ କାଉନସିଲ ବୈଠକରେ ଯୋଗ ଦେଇଥିଲେ ।