spot_img

Latest Posts

ଆଜି ବି ଗାଁରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ : ଖଟିଆରେ ବୁହାହେଲେ ରୋଗୀ

ନନ୍ଦିଘୋଷ ବ୍ୟୁରୋ: କଚ୍ଚା ରାସ୍ତାରେ ଗାଁରେ ପହଞ୍ଚି ପାରିଲାନାହିଁ ଆମ୍ଵୁଲାନ୍ସ । ଲୋକମାନଙ୍କ ସହାୟତାରେ ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସ ନିକଟକୁ ଆସିଲେ ରୋଗୀ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ପଞ୍ଚମତଳିଆ ଗାଁରେ । ବିଡିଓ ଏବଂ ଠିକାଦାରଙ୍କ ପାଇଁ ହନ୍ତସନ୍ତ ଗ୍ରାମବାସୀ ହେଉଥିବା ଅଭିଯୋଗ ହୋଇଛି । ମନରେଗାରେ ଅଧା କାମ କରି କେବଳ ମାଟି ପକାଇ ଟଙ୍କା ହରିଲୁଟ୍ । ପଞ୍ଚମତଳିଆ ଗାଁକୁ ସଂଯୋଗ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ମନରେଗା ଯୋଜନାରେ ତରବରିଆ ଭାବେ ମାଟି ପକାଇ କଚ୍ଚା ରାସ୍ତା ନିର୍ମାଣ କରି ରାସ୍ତା କାମ ସାରିଦେଲେ ଠିକାଦାର ।

କାଳ ବୈଶାଖୀ ବର୍ଷାରେ କଚ୍ଚା ରାସ୍ତାରେ ଯିବା କଷ୍ଟକର ହୋଇପଡୁଛି । କେବଳ ମାଟି ପକାଇବାକୁ ଗ୍ରାମବାସୀ ବାରଣ କରିଥିଲେ ମଧ୍ୟ ବିଡିଓ ଏବଂ ଠିକାଦାର କର୍ଣ୍ଣପାତ କରିନଥିଲେ । ରାସ୍ତାରେ ବାଇକ୍ କିମ୍ୱା ଆମ୍ବୁଲାନ୍ସ ଟିଏ ଗାଁ ମଧ୍ୟକୁ ଯିବା ଏବେ ସମ୍ଭବ ହେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଗାଁର ଜଣେ ବ୍ୟକ୍ତିର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସକୁ ଡକାଯାଇଥିଲା। କିନ୍ତୁ ରାସ୍ତାଟି ବିପର୍ଯ୍ୟୟ ଅବସ୍ଥାରେ ଥିବାରୁ ଗାଁକୁ ପସିପରିଲାନି ଆମ୍ବୁଲାନ୍ସ। ଶେଷରେ ଲୋକମାନଙ୍କ ସହାୟତାରେ ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସ ନିକଟକୁ ଆସିଥିଲା ରୋଗୀ।

Latest Posts

Don't Miss