ବିଧାନ ପରିଷଦ ଗଠନ ନେଇ ଓଡ଼ିଶା ସରକାରଙ୍କ ଠାରୁ କୌଣସି ପ୍ରସ୍ତାବ ଆସିନାହିଁ: କିରନ୍ ରିଜିଜୁ

ନୂଆଦିଲ୍ଲୀ: ବିଧାନ ପରିଷଦ ଗଠନ ପାଇଁ ଓଡ଼ିଶା ସରକାରଙ୍କଠାରୁ କେନ୍ଦ୍ର ସରକାରଙ୍କ ନିକଟକୁ କୌଣସି ସଂକଳ୍ପ ଆସିନାହିଁ । କିନ୍ତୁ,ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କଠାରୁ ସୂଚନା ସଂଗ୍ରହ ଚାଲିଛି ବୋଲି ଆଜି ରାଜ୍ୟସଭାରେ ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ କିରନ୍ ରିଜିଜୁ । ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତର ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସାଂସଦ ଆଚାର୍ଯ୍ୟଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଆଇନ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ମନ୍ତ୍ରାଳୟରେ ସଂଗୃହୀତ ରେକର୍ଡ ଅନୁସାରେ ବିଧାନ ପରିଷଦ ଗଠନ ନେଇ ଓଡ଼ିଶା ସରକାର ଏଯାବତ୍ କୌଣସି ପ୍ରସ୍ତାବ ପଠାଇ ନାହାନ୍ତି।
କେଉଁ କେଉଁ ରାଜ୍ୟରେ ବିଧାନ ପରିଷଦ୍ ଅଛି? କେଉଁ କେଉଁ ରାଜ୍ୟ ବିଧାନସଭା ସବୁ ସେମାନଙ୍କ ରାଜ୍ୟରେ ବିଧାନ ପରିଷଦ୍ ଗଠନ ପାଇଁ ସର୍ବସମ୍ମତ ପ୍ରସ୍ତାବନା ଗୃହୀତ କରିଛନ୍ତି? ପରିଷଦ୍ ଗଠନ ପାଇଁ ଓଡ଼ିଶା ବିଧାନସଭା ସର୍ବସମ୍ମତିକ୍ରମେ ପ୍ରସ୍ତାବନା ଗୃହୀତ କରିଛି କି? ଅଥବା ସମ୍ବିଧାନର ଧାରା ୧୬୯ ଅନୁସାରେ, ବିଧାନ ପରିଷଦ୍ ଗଠନ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିବେ କି? ଯଦି କରିବେ, କେବେ କରିବେ? ଯଦି କରିବେ ନାହିଁ, ନ କରିବାର କାରଣ କ’ଣ? ବୋଲି ଲିଖିତ ପ୍ରଶ୍ନ କରିଥିଲେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ।
ଏହାର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ କିରନ୍ ରିଜିଜୁ କହିଛନ୍ତି, ସମ୍ପ୍ରତି ଆନ୍ଧ୍ରପ୍ରଦେଶ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ଉତ୍ତର ପ୍ରଦେଶ ଭଳି ୬ଟି ରାଜ୍ୟରେ ରାଜ୍ୟ ବିଧାନ ପରିଷଦ୍ ରହିଛି। ସେହିପରି, ଆସାମ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟ ବିଧାନ ପରିଷଦ୍ ଗଠନ ନିମନ୍ତେ ପ୍ରସ୍ତାବନା ଗୃହୀତ କରିଛନ୍ତି।