ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ରାସନ
1 min readନନ୍ଦିଘୋଷ ବ୍ୟୁରୋ: କେହି ରହିବେ ନାହିଁ ଭୋକିଲା, ସେଥିପାଇଁ ପୂର୍ବ ସରକାର ନିଜସ୍ଵ ଖାଦ୍ଯ ସୁରକ୍ଷା ଆଇନ ପ୍ରଣୟନ କରିଥିଲେ । ରାସନ କାର୍ଡ ମାଧ୍ଯମରେ ହିତାଧିକାରୀଙ୍କୁ ଦେଉଥିଲେ ଖାଦ୍ଯ ଶସ୍ଯ । ହେଲେ ସରକାର ବଦଳିବା ପରେ ବଦଳିଯାଇଛି ଯୋଜନାର ରୂପରେଖ । EKYC ଆଳରେ ଲୋକେ ଚାଉଳ ପାଇବାରୁ ବଞ୍ଚିତ ହେଉଛନ୍ତି । ଟାଙ୍ଗୀ ବ୍ଲକ କୁହୁଡି ଗାଁରେ ୮୧ ବର୍ଷିୟା ବୃଦ୍ଧା ଚାଉଳ ନପାଇ ହନ୍ତସନ୍ତ ହେଉଛନ୍ତି ।
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କୁହୁଡି ପଞ୍ଚାୟତର ମଙ୍ଗୁଳି ନାୟକ । ବୟସ ୮୦ ଟପିଲାଣି। ଚମ ଧୁଡୁଧୁଡୁ ସାଙ୍ଗକୁ ଆଖିକୁ ଭଲ ଭାବେ ଦେଖାଯାଉନାହିଁ । ବାର୍ଦ୍ଧକ୍ଯ ଅବସ୍ଥାରେ ସାହା ବୋଲି କେହିନାହାଁନ୍ତି । ମଙ୍ଗୁଳିଙ୍କ ନା ପୁଅ ଅଛି ନା ସ୍ଵାମୀ ଅଛନ୍ତି । ଝିଅର ବିବାହ ପରେ ସେ ପର ଘରକୁ ଚାଲିଯାଇଛନ୍ତି । ଏପରି ବିଷମ ପରିସ୍ଥିତିରେ ମାଉସୀଙ୍କ ସାହା ଥିଲା ଗଣ୍ଡାଏ ଚାଉଳ। ରାସନ କାର୍ଡରେ ମାସକୁ ଯେଉଁ ୫ କେଜି ଚାଉଳ ମିଳୁଥିଲା ସେଥିରେ କଷ୍ଟମଷ୍ଟେ ଚଳିଯାଉଥିଲା ବୃଦ୍ଧା । ହେଲେ ସରକାର ବଦଳିବା ପରେ ମଙ୍ଗୁଳିଙ୍କ EKYC ହୋଇପାରିନଥିବାରୁ ତାଙ୍କୁ ଚାଉଳ ମିଳୁନାହିଁ । ଫଳରେ ବୃଦ୍ଧା ଜଣଙ୍କ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ରାସନ କାର୍ଡରୁ ଚାଉଳ ମିଳୁନଥିବାରୁ ବୃଦ୍ଧା ଜଣଙ୍କ ପଞ୍ଚାୟତ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ଯ ଫଳ ଶୂନ ଥିବା ଅଭିଯୋଗ । ମାଉସୀଙ୍କୁ ଖୁବଶୀଘ୍ର ଚାଉଳ ସହିତ ସାମାଜିକ ସୁରକ୍ଷା ଯୋଗାଇଦେବାକୁ ଦାବି କରିଛନ୍ତି ପରିବାର ଲୋକେ । ସେପଟେ ମଙ୍ଗୁଳିଙ୍କୁ ଖୁବଶୀଘ୍ର ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଯୋଗାଣ ନିରୀକ୍ଷକ କହିଛନ୍ତି ।