ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମତି ପରେ ବ୍ରିଟେନ ହଟାଇଲା କଟକଣା, ଆଉ ଆବଶ୍ୟକ ନାହିଁ କ୍ୱାରେଣ୍ଟାଇନ୍

ଲଣ୍ଡନ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅନୁମତି ପରେ ବ୍ରିଟେନ ସରକାରଙ୍କ ନିଷ୍ପତ୍ତି। କୋଭାକ୍ସିନର ସମ୍ପୂର୍ଣ୍ଣ ଡୋଜ ନେଇଥିବା ଯ଼ାତ୍ରୀଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ପଡିବ ନାହିଁ। ଆସନ୍ତା ନଭେମ୍ବର ୨୨ରୁ ଲାଗୁ ହେବ ନୂଆ ନିୟମ । ଏହା ସହ ଚୀନର ସିନୋଭାକ, ସିନୋଫାର୍ମ ସମେତ ଭାରତର କୋଭାକ୍ସିନକୁ ବ୍ରିଟେନ ନିଜ ମଞ୍ଜୁରୀ ତାଲିକାରେ ସ୍ଥାନିତ କରିଛି । ନୂଆ ନିଷ୍ପତ୍ତି ଯୋଗୁ ଭାରତ, ମାଲେସିଆ ଓ ୟୁନାଇଟେଡ ଆରବ ଏମିରେଟସ ସମେତ ଅନ୍ୟାନ୍ୟ ଦେଶର ଯାତ୍ରୀମାନେ ଯଦି ବ୍ରିଟେନ ଯାଆନ୍ତି ତେବେ ସେମାନଙ୍କୁ କ୍ବାରେଣ୍ଟାଇନରେ ରହିବାର ଆବଶ୍ୟକ ପଡିବ ନାହିଁ ।

ଏହା ସହ ବ୍ରିଟେନର ପରିବହନ ମନ୍ତ୍ରଣାଳୟ ଟିକା ନିୟମକୁ ଆହୁରି କୋହଳ କରିଛି । କୋଭିଡର ସମ୍ପୂର୍ଣ୍ଣ ଡୋଜ ନେଇଥିବା 18ବର୍ଷରୁ କମ୍ ପିଲାଙ୍କ ଲାଗି ମଧ୍ୟ ଏହି କଟକଣା ହଟାଇଦିଆଯାଇଛି । ଜରୁରୀକାଳୀନ ବ୍ୟବହାର ଲାଗି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସ୍ବତନ୍ତ୍ର କମିଟି କୋଭାକ୍ସିନକୁ ଅନୁମତି ଦେବା ପରେ ବ୍ରିଟେନ ସମେତ କିଛି ରାଷ୍ଟ୍ର ନିଜ ନିୟମରେ ପରିବର୍ତ୍ତନ କରିବା ଆରମ୍ଭ କରିଛନ୍ତି ।

ପୂର୍ବରୁ ଆମେରିକୀୟ ପ୍ରଶାସନ ମଧ୍ୟ ଏ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି । ଦୀର୍ଘ ୨୦ ମାସ ପରେ ଆମେରିକା ବିଦେଶୀ ପର୍ଯ୍ୟଟକ ଓ ଯାତ୍ରୀଙ୍କ ଲାଗି କଟକଣା ପ୍ରତ୍ୟାହାର କରିଛି । ଏଣିକି ସମ୍ପୂର୍ଣ୍ଣ କୋଭିଡ ଡୋଜ ନେଇଥିବା ଲୋକ ଆମେରିକା ଯାଇପାରିବେ । ଫଳରେ ଦୀର୍ଘ ଦିନ ଧରି ପରିବାର, ଜ୍ଞାତି ପରିଜନଙ୍କ ସହ ଏକାଠି ହୋଇପାରୁ ନଥିବା ଲୋକେ ଉପକୃତ ହେବେ । ଏହା ସହ କୂଟନୈତିକ, ବାଣିଜ୍ୟିକ, ପର୍ଯ୍ୟଟନଗତ ସମ୍ପର୍କ ମଧ୍ୟ ସାରା ବିଶ୍ବ ସହ ଯୋଡି ହେବ ।

କୋଭିଡର ଭୟାବହତା ଯୋଗୁଁ ଗତବର୍ଷ ପ୍ରଥମ ଭାଗରେ ତତକାଳୀନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏହି କଟକଣା ଜାରି କରିଥିଲେ । ତାଙ୍କ ପରେ ରାଷ୍ଟ୍ରପତି ଜୋ ବାଇଡେନ ଏହି କଟକଣା ପ୍ରତ୍ୟାହାର କରିଛନ୍ତି । ଆମେରିକାର ଏହି କଟକଣା ଯୋଗୁଁ ସାରା ବିଶ୍ବର ଲକ୍ଷ ଲକ୍ଷ ଲୋକ ସମସ୍ୟାରେ ପଡିଥିଲେ । ବିଶେଷ କରି ୟୁରୋପ, ବ୍ରିଟେନ, ଚୀନ, ଭାରତ, ମେକ୍ସିକୋ ଓ କାନାଡା ପକ୍ଷରୁ ତୀବ୍ର ବିରୋଧ ହୋଇ ଆସୁଥିଲା ।

ଏଥିସହିତ ପଢ଼ନ୍ତୁ: ଭାରତୀୟ କ୍ରିକେଟରେ ରବି ଶାସ୍ତ୍ରୀଙ୍କ ଯୁଗ ଶେଷ; ଏବେ ଦ୍ରାବିଡଙ୍କ ପାଇଁ ଅଗ୍ନି ପରୀକ୍ଷା

Leave a Reply