ଓଡ଼ିଶାର ବିକାଶକୁ କେହି ରୋକି ପାରିବେ ନାହିଁ: ଓଡ଼ିଶା ଦିବସରେ ଏଭଳି କହିଲେ ବିରୋଧୀ ଦଳ ନେତା ନବୀନ

1 min read

ଭୁବନେଶ୍ବର: ଓଡ଼ିଶା ଆଜି ଏକ ମଜଭୁତ ଭିତ୍ତିଭୂମି ଉପରେ ଆଗକୁ ବଢିଛି। ଓଡ଼ିଶାର ବିକାଶକୁ କେହି ରୋକିପାରିବେ ନାହିଁ। କିଛି ବର୍ଷ ପରେ ଆମେ ସ୍ବତନ୍ତ୍ର ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବା। ବିଜୁ ବାବୁଙ୍କ ସ୍ବପ୍ନ ଥିଲା ଓଡ଼ିଶାକୁ ଏସିଆର ଏକ ନମ୍ବର ରାଜ୍ୟ କରିବା। ସମସ୍ତଙ୍କ ସହଯୋଗ ରହିଲେ ଏହି ଲକ୍ଷ୍ୟ ନିଶ୍ଚୟ ପୂର୍ଣ୍ଣ ହେବ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଓଡ଼ିଶା ଦିବସ ଅବସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଯୋଗ ଦେଇ ସେ କହିଛନ୍ତି- ଆଜି ଓଡ଼ିଶା ଦିବସ। ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ଦିବସ। ଏହି ପବିତ୍ର ଦିବସରେ ଉତ୍କଳ ଗୌରବ ମଧୁସୂଦନ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, କବି ଗଙ୍ଗାଧର ମେହର, ଔପନ୍ୟାସିକ ଫକୀର ମୋହନ ସେନାପତିଙ୍କ ପରି ମହାନ ପୁରୁଷମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି।

ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଭାରତ ଇତିହାସର ଏକ ଗୌରବମୟ ଅଧ୍ୟାୟ। ଓଡ଼ିଶା ହେଉଛି ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ପୂର୍ବସୁରୀମାନଙ୍କ ଲକ୍ଷ୍ୟ ଥିଲା ଏକ ସ୍ବାଭିମାନ ଓଡ଼ିଶା ଗଠନ। ଦେଶର ବିକାଶରେ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଶା ନୂଆ ପରିଚୟ ପାଇଛି। ଓଡ଼ିଆମାନେ ଦେଶ ବିଦେଶରେ ଓଡ଼ିଶାର ପରିଚୟକୁ ଗରିମାମୟ କରିଛନ୍ତି। ୨୦୦୦ରୁ ୨୦୨୪ ଥିଲା ଓଡ଼ିଶା ବିକାଶର ନୂଆ ଯୁଗ। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା, ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା, ବିଭିନ୍ନ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଭାଷା ଉପରେ ଗବେଷଣା କରିବା ଲାଗି ଚେୟାର ପ୍ରତିଷ୍ଠା ହୋଇଛି। କୃଷିଭିତ୍ତିଭୂମି, ଅର୍ଥନୀତି, ନିର୍ବେଶ, ବିପର୍ଯ୍ୟୟ ପରିଚାଳନା,ଶିକ୍ଷା, ସ୍ବାସ୍ଥ୍ୟ ସହିତ ବିକାଶ ସମ୍ଭବ ହୋଇିଥିଲା। ଏ ସବୁଥିରେ ଓଡ଼ିଶା ଆଗରେ ରହିଥିଲା। ସବୁଠାରୁ ବଡ଼ ସଫଳତା ହେଉଛି ଗରିବୀ ହଟିବା। ରାଜ୍ୟରେ ୭୦ ପ୍ରତିଶତରୁ ୧୦ ପ୍ରତିଶତକୁ ହଟିଥିଲା ଗରିବୀ। ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ବିକାଶ ଓଡ଼ିଆ ସ୍ବାଭିମାନର ଜୟଗାନ କରୁଛି ବୋଲି କହିଥିଲେ ନବୀନ।