ବାଲେଶ୍ୱର ଉପ-ନିର୍ବାଚନ: ବାଜି ମାରିନେଲା ବିଜେଡି, କାମ ଦେଲାନି ଅନୁକମ୍ପା ଓ ମହିଳା କାର୍ଡ

1 min read

ବାଲେଶ୍ୱର: ସରିଲା ବଲେଶ୍ୱର ବାଜି, ବାଜିକୁ ହାତେଇ ନେଇଛି ବିଜୁ ଜନତା ଦଳ ।  ବାଲେଶ୍ୱର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପ-ନିର୍ବାଚନରେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ପଛରେ ପକାଇ ବିଜେଡ଼ି ପ୍ରାର୍ଥୀ ସ୍ୱରୂପ ଦାସ ବିଜୟୀ ଘୋଷିତ ହୋଇଛନ୍ତି । ବିଜେପି ହାତେଇଥିବା ଆସନକୁ ଦଖଲକରି ବିଜେଡ଼ି ବିକାଶ ସହିତ ବାଲେଶ୍ୱରବାସୀ ରହିଥିବା ପ୍ରମାଣିତ କରିଛନ୍ତି । ଗତ ୨୦୧୯ ସାଧାରଣ ନିର୍ବାଚନରେ ଏହି ଆସନରେ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତ ୧୩ ହଜାର ୪୦୬ ଖଣ୍ଡ ଭୋଟରେ ବିଜେଡ଼ି ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶଙ୍କୁ ହରାଇ ବିଧାୟକ ହୋଇଥିଲେ । ତାଙ୍କର ଦେହାନ୍ତ ପରେ ଏହି ଉପ-ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ସ୍ୱରୂପ ଦାସ ବିଜେପି ପ୍ରାର୍ଥୀ ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ୧୩ ହଜାର ୨୩୦ ଭୋଟରେ ହରାଇଛନ୍ତି । ତେବେ ଏଠି ବଡ଼ ପ୍ରଶ ଉଠୁଛି ମାତ୍ର ଦେଢ ବର୍ଷ ମଧ୍ୟରେ ଏମିତି କଣ ମ୍ୟାଜିକ୍‌ କଲା ବିଜେଡ଼ି ? କେମିତି ବିଜେଡି ହାତେଇଲା ଏହି ଆସନ ? ସମାନ ବ୍ୟବଧାନ ରହିଲା କେମିତି ? କାମ କଲାନି କି ଅନୁକମ୍ପା ଷ୍ଟ୍ରାଟେଜି ? ପଢନ୍ତୁ ଏହି ରିପୋର୍ଟ । ଆପଣଙ୍କ ମନରେ ଥିବା ସବୁ ସନ୍ଦେହ ଦୂର ହୋଇଯିବ ।

ରିପୋର୍ଟ କଣ କହୁଛି

ପ୍ରଥମେ ଗତ ୨୦୧୯ ସାଧାରଣ ନିର୍ବାଚନ ସ୍ଥିତିକୁ ଦେଖିବା । ଏହି ନିର୍ବାଚନରେ ମୋଟ ୧ଲକ୍ଷ ୫୮ହଜାର ୩୧୩ ଜଣ ଭୋଟର ମତଦାନ ସାବ୍ୟସ୍ଥ କରିଥିଲେ । ସେଥିମଧ୍ୟରୁ କଂଗ୍ରେସ ପ୍ରାର୍ଥୀ ମାନସ ଦାସପଟ୍ଟନାୟକ ୧୯ହଜାର ୭୦୪  ଖଣ୍ଡ ଭୋଟ ପାଇଥିଲେ । ସେହିପରି ବିଜେଡ଼ି ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶ ୬୧ ହଜାର ୪୦୯ ଖଣ୍ଡ  ଭୋଟ ପାଇଥିଲେ । ହେଲେ ବିଜେପି ପ୍ରାର୍ଥୀ ସ୍ୱର୍ଗତ ମଦନ ମୋହନ ଦତ୍ତ ଏହି ଆସନରୁ ୭୪ହଜାର ୮୧୫ ଖଣ୍ଡ ଅର୍ଥାତ୍‌ ଭୋଟ ପାଇ ବିଜୟୀ ହୋଇଥିଲେ । ସେହି ସାଧାରଣ ନିର୍ବାଚନରେ ଗ୍ରାମାଞ୍ଚଳରେ ଥିବା ୨୬ଟି ପଞ୍ଚାୟତରୁ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତ ବିଜେଡ଼ି ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶଙ୍କ ଠାରୁ ୩ହଜାର ଅଧିକ ଭୋଟ ପାଇଥିଲେ । ସେହିପରି ବାଲେଶ୍ୱର ମ୍ୟୁନିସିପାଲିଟିର ୩୧ଟି ଓ୍ୱାର୍ଡ଼ରୁ ମଦନ ମୋହନ ଦତ୍ତ ବିଜେଡି ଠାରୁ ୧୦ ହଜାର ଭୋଟ ଅଧିକ ହାତେଇ ନେଇଥିଲେ । ଫଳରେ ବିଜେପି ଏହି ଆସନରେ ୧୩ ହଜାର ୪୦୬ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲା ।

 

କେମିତି ହୋଇଥିଲା ରଣକୌଶଳର ପ୍ରସ୍ତୁତି

ଏହି ନିର୍ବାଚନର ଫଳାଫଳକୁ ସମୀକ୍ଷାକରି ଉପ-ନିର୍ବାଚନର ରଣକୌଶଳ ପ୍ରସ୍ତୁତ କରିଥିଲା ବିଜେଡି । ପ୍ରସ୍ତୁତି ଅନୁସାରେ ୫ଥରର ବିଧାୟକ ଅରୁଣ ଦେଙ୍କୁ ବିଜେଡ଼ିରେ ସାମିଲକରି ସହରାଞ୍ଚଳରେ ପ୍ରଭାବ ବିସ୍ତାର ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । ସେହିଭଳି ୨୦୧୯ ନିର୍ବାଚନରେ ମାନସ ଦାସପଟ୍ଟନାୟକ କଂଗ୍ରେସରୁ ପ୍ରାର୍ଥୀ ହୋଇ ୧୯ହଜାର ୭୦୪ ଖଣ୍ଡ ଭୋଟ ପାଇଥିବାରୁ ଗ୍ରାମାଞ୍ଚଳ ଭୋଟକୁ ବିଜେଡ଼ି ଶିବିରକୁ ଟାଣିବା ପାଇଁ ମଧ୍ୟ ମାନସଙ୍କୁ ଦଳରେ ମିଶା  ଯାଇଥିଲା । ଏବେ ବିଜେପି ହାତରେ ଥିଲା ଖାଲି ଅନୁକମ୍ପାର କାର୍ଡ଼ । ନୂତନ ଭାବେ ରାଜନିତୀକୁ ଆସିଥିବା ମମତା କୁଣ୍ଡୁଙ୍କୁ ଟିକେଟ୍‌ ଦେଇ କଂଗ୍ରେସ୍‌ ଦଳର ଭୋଟକୁ ସ୍ଥିର ରଖିବାକୁ ମହିଳା କାର୍ଡ଼ ଖେଳିଥିଲା । ଆଉ ବିଜେଡ଼ି ନବୀନଙ୍କ ସ୍ୱଚ୍ଛ ଶାସନ, ଉନ୍ନୟନ ମୂଳକ କାର୍ଯ୍ୟ, କର୍ମଠ କର୍ମୀଙ୍କୁ ଟିକେଟ୍‌ ଦେଇ  ବାଜି ପଲଟାଇ ଦେଇଥିଲା । ମାନସ ଦାସପଟ୍ଟନାୟକଙ୍କ ସମର୍ଥନରେ ଥିବା ୧୯ ହଜାର ୭୦୪ ଖଣ୍ଡ ଭୋଟରୁ ପ୍ରାୟ ୯୦ ପ୍ରତିଶତ ଭୋଟ ବିଜେଡ଼ି ପେଡ଼ିରେ ପଡ଼ିଥିଲା । ଆଉ ଅରୁଣ ଦେଙ୍କ ସହରାଞ୍ଚଳ ଭୋଟ ମଧ୍ୟ ବିଜେଡ଼ି ସପକ୍ଷ୍ୟରେ ଯାଇଥିଲା ।

କେଉଁ ଅଞ୍ଚଳରୁ କାହାକୁ ମିଳିଲା କେତେ ସମର୍ଥନ

ରିପୋର୍ଟ ଅନୁସାରେ ଉପ-ନିର୍ବାଚନରେ ୧ ଲକ୍ଷ ୬୨ ହଜାର ୩୩୯ ଜଣ ମତଦାତା ସେମାନଙ୍କର ସାମ୍ବିଧାନିକ ଅଧିକାର ସାବ୍ୟସ୍ଥ କରିଥିଲେ । ସେଥିମଧ୍ୟରୁ ୨୬ଟି ପଞ୍ଚାୟତରୁ ୧ଲକ୍ଷ ୪ହଜାର ୮୬୧ ଜଣ ଭୋଟ ଦେଇଛନ୍ତି । ବିଜେଡ଼ି ଗତ ନିର୍ବାଚନରେ ପଞ୍ଚାୟତରୁ ୩ହଜାରରୁ କମ୍‌ ଭୋଟକୁ ଭରଣାକରି ଅଧିକ ୭ରୁ ୮ ହଜାର ଭୋଟ ହାତେଇବାରେ ସମର୍ଥ ହୋଇଛି । ସେହିପରି ମ୍ୟୁନିସିପାଲିଟିର ୩୧ଟି ଓ୍ୱାର୍ଡ଼ରୁ ୫୭ ହଜାର ୯୩୭ ଜଣ ଭୋଟର ମତଦାନ କରିଥିଲେ । ସେଥିମଧ୍ୟରୁ ବିଜେଡ଼ି ଗତ ନିର୍ବାଚନରେ ହରାଇଥିବା ୧୦ ହଜାର ଭୋଟକୁ ଭରଣାକରି ଅଧିକ ୫ରୁ ୬ହଜାର ଭୋଟ ହାତେଇ ପାରିଛି । ଏହାର ମୂଳ ପ୍ରମାଣ ହେଉଛି କଂଗ୍ରେସ୍‌ ୨୦୧୯ ନିର୍ବାଚନରେ ପାଇଥିବା ୧୯ହଜାର ୭୦୪ ଖଣ୍ଡ ଭୋଟ ହରାଇ ଚଳିତ ନିର୍ବାଚନରେ ପାଇଛି ମାତ୍ର ୪ ହଜାର ୮୮୩ ଖଣ୍ଡ ଭୋଟ । କଂଗ୍ରେସ୍‌ ଶିବିରରୁ ଖସିଥିବା ପ୍ରାୟ ୧୪ ହଜାର ଭୋଟ ସିଧାସଳଖ ବିଜେଡ଼ି ମୁଣିକୁ ଯାଇଛି । ସେହିପରି ଗତ ନିର୍ବାଚନରେ ବିଜେପି ୭୪ ହଜାର ୮୧୫ ଖଣ୍ଡ ଭୋଟ ପାଇଥିଲା । ହେଲେ ଚଳିତ ନିର୍ବାଚନରେ ଏହା ଖସି ୭୦ ହଜାର ୨୦୭ ଖଣ୍ଡରେ ପହଞ୍ଚିଛି । ଫରକ ଥିବା ପ୍ରାୟ ୪ ହଜାରରୁ ଅଧିକ ସଂଖ୍ୟାଲଘୁ ଭୋଟରଙ୍କୁ ମଧ୍ୟ ବିଜେଡ଼ି ନିଜ ସପକ୍ଷ୍ୟରେ ନେବାକୁ ସମର୍ଥ ହୋଇଛି । ଫଳରେ କଂଗ୍ରେସର ୧୪ ହଜାର ଭୋଟ, ଗ୍ରାମାଞ୍ଚଳ ଓ ସହରାଞ୍ଚଳରୁ ପାଇଥିବା ଅଧିକ ୬ ହଜାର ଭୋଟ ଏବଂ ବିଜେପିର ପ୍ରାୟ ୪ ହଜାର ସଂଖ୍ୟାଲଘୁ ଭୋଟକୁ ମିଶାଇ ବିଜେଡ଼ି ଖାତାରେ ମୋଟ ୨୬ ହଜାର ଭୋଟ ଯୋଡ଼ି ହୋଇଥିଲା । ଗତ ୨୦୧୯ ନିର୍ବାଚନରେ କମ୍‌ ଥିବା ୧୩ ହଜାର ଭୋଟକୁ ଭରଣାକରି ଦଳ ଚଳିତ ନିର୍ବାଚନରେ ଅଧିକ ୧୩ ଜହାର ୨୩୦ ଭୋଟ ପାଇ ବିଧାୟକ ଆସନ ଦଖଲ କରିପାରିଛି । ବିଜେପିର ଅନୁକମ୍ପା ଓ କଂଗ୍ରେସ୍‌ର ମହିଳା କାର୍ଡ଼ ଆଗରେ ବିଜେଡ଼ିର ରଣନୀତି ସମସ୍ତଙ୍କୁ ମାତ୍‌ ଦେଇଥିବା ଚର୍ଚ୍ଚା ହେଉଛି ।

Leave a Reply