ପ୍ରିନ୍ସପାଲ ଦେଲେନି ଛୁଟି ! ହାତରେ ସାଲାଇନ ଲଗାଇ ସ୍କୁଲ ଆସିଲେ ଶିକ୍ଷକ

ବଲାଙ୍ଗୀର: ଅସୁସ୍ଥ ଶିକ୍ଷକ ଛୁଟି ମାଗିଲେ । ହେଲେ ପ୍ରିନ୍ସପାଲ ଛୁଟି ଦେଲେନି । ଦ୍ବିତୀୟ ଦିନ ମଧ୍ୟ ସମାନ ସ୍ଥିତି । ଶେଷରେ ହାତରେ ସାଲାଇନ୍ ଲଗାଇ ସ୍କୁଲ ଆସିଲେ ଶିକ୍ଷକ । ଏପରିକି ଚାଲିବାକୁ ଅକ୍ଷମ ଶିକ୍ଷକଙ୍କୁ ଦୁଇ ଜଣ ଧରି ଧରି ସ୍କୁଲକୁ ଆଣିଥିଲେ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଭଇଁସା ଆଦର୍ଶ ବିଦ୍ୟାଳୟରେ । ପ୍ରିନ୍ସପାଲ ଛୁଟି ନଦେବାରୁ ହାତରେ ସାଲାଇନ ଲାଗିଥିବା ଅବସ୍ଥାରେ ସ୍କୁଲ ଆସିଛନ୍ତି ଗଣିତ ଶିକ୍ଷକ ପ୍ରକାଶ ଭୋଇ ।

ଅଭିଯୋଗ ଅନୁସାରେ ଗଣିତ ଶିକ୍ଷକ ପ୍ରକାଶ ଭୋଇଙ୍କୁ ଜ୍ବର ହୋଇଛି । ଏହାସହ ତାଙ୍କ ଅଜାଙ୍କ ଦେହାନ୍ତ ମଧ୍ୟ ହୋଇଛି । ଏହି କାରଣରୁ ସେ ସ୍କୁଲ ଆସିପାରିବେ ନାହିଁ ବୋଲି ହ୍ଵାଟସ୍ ଅପରେ ପ୍ରିନ୍ସପାଲଙ୍କୁ ଛୁଟି ମାଗିଥିଲେ । ହେଲେ ପ୍ରିନ୍ସପାଲ ବିଜୟଲକ୍ଷ୍ମୀ ପ୍ରଧାନ ଛୁଟି ଦେବାକୁ ମନା କରିବା ସହ ଆସିବାକୁ ପଡ଼ିବ ବୋଲି ତାଗିଦ କରିଥିଲେ । ଫଳରେ ଅନ୍ୟ ଉପାୟ ନପାଇ ପ୍ରକାଶ ଗତକାଲି ବଲାଙ୍ଗୀର ଡିପିସି କାର୍ଯ୍ୟାଳୟକୁ ଆସି କାମ କରିଥିଲେ । ଏପରିକି କାମ ମଝିରେ ତାଙ୍କୁ ହସ୍ପିଟାଲ ମଧ୍ୟ ଯିବାକୁ ପଡ଼ିଥିଲା । ଆଜି ବି ପ୍ରକାଶ ଛୁଟି ମାଗିଥିଲେ । କିନ୍ତୁ ପ୍ରିନ୍ସପାଲ ଛୁଟି ଦେବାକୁ ସଫା ସଫା ମନା କରି ଦେଇଥିଲେ ।

ଫଳରେ ପ୍ରକାଶଙ୍କୁ ବାଧ୍ୟ ବାଧକତାରେ ଆଜି ମଧ୍ୟ ସ୍କୁଲ ଆସିବାକୁ ପଡ଼ିଲା । ହେଲେ, ଦୃର୍ବଳତା ଯୋଗୁଁ ସେ ଠିକରେ ଚାଲି ପାରୁ ନଥିବା ବେଳେ ହାତରେ ସାଲାଇନ ଲାଗିଛି । ସେହି ଅବସ୍ଥାରେ ପ୍ରକାଶ ଡ୍ୟୁଟି କରିବାକୁ ସ୍କୁଲ ଆସିଥିଲେ । ଦୁଇ ଜଣ ବ୍ୟକ୍ତି ଦୁଇ ପଟରୁ ତାଙ୍କୁ ଧରି ସ୍କୁଲ ଆଣୁଥିବା ଦେଖିବାକୁ ମିଳିଥିଲା ।

ପ୍ରିନ୍ସପାଲ ବିଜୟଲକ୍ଷ୍ମୀ ପ୍ରଧାନ ଆକ୍ରୋଶମୂଳକ ଭାବେ ତାଙ୍କୁ ହଇରାଣ କରୁଥିବା ସେ ଅଭିଯୋଗ କରିଛନ୍ତି । ମେଡିକାଲରେ ଆଡ଼ମିଟ ହେବା ଭଳି ସ୍ଥିତିରେ ଛୁଟି ଦେଉ ନଥିବାରୁ ସେ ସାଲାଇନ ଲଗା ଅବସ୍ଥାରେ ସ୍କୁଲ ଆସିବାକୁ ବାଧ୍ୟ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ଅଭିଯୋଗ ହେବା ପରେ ପାଟଣାଗଡ଼ ବିଇଓ ଶଙ୍କର ପ୍ରସାଦ ମାଝୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।