ନିର୍ଦ୍ଧାରିତ ସମୟରେ ହେବ ଆଇପିଏଲ୍: ଗାଙ୍ଗୁଲି

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରଭାବ ସାରା ବିଶ୍ୱରେ ଦେଖିବାକୁ ମିଳିଛି । ବ୍ୟାବସାୟଠାରୁ ଆରମ୍ଭ କରି କ୍ରୀଡ଼ା ଜଗତ ଯାଏଁ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ବିସିସିଆଇ ଦ୍ୱାରା ଆୟୋଜିତ ହେବାକୁ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ନିର୍ଦ୍ଧାରିତ ସମୟରେ ଆୟୋଜନକୁ ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି । ଏଭଳି ସମୟରେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ୍ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏ ନେଇ ପ୍ରତିକ୍ରିୟା ରଖିଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାର କହିଛନ୍ତି ଆଇପିଏଲ୍‌ ନିର୍ଦ୍ଧାରିତ ସମୟରେ ଆୟୋଜିତ ହେବ । କରୋନା ଭାଇରସ୍ ନେଇ ବୋର୍ଡ ପକ୍ଷରୁ ସମସ୍ତ ସତର୍କତା ଗ୍ରହଣ କରାଯିବ ।

ଅପରପକ୍ଷରେ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ ସୋମବାର ନିଶ୍ଚିତ କରିଛନ୍ତି ଯେ ଭାରତରେ କରୋନାଭାଇରସ ମାମଲା ବଢ଼ିବା କାରଣରୁ ଇଣ୍ଡିଆନ ପ୍ରିମିୟର ଲିଗକୁ ସ୍ଥଗିତ ରଖାଯିବ କି ନାହିଁ ସେନେଇ ସରକାରଙ୍କ ସହ ଆଲୋଚନା ଜାରି ରହିଛି ।

ଆଇପିଏଲର ୧୩ ତମ ସଂସ୍କରଣ ମାର୍ଚ୍ଚ ୨୯ରୁ ମୁମ୍ବାଇରେ ଖେଳାଯିବାକୁ ଥିବା ୭ଟି ମ୍ୟାଚ୍ ସହିତ ଆରମ୍ଭ ହେବ, ଯେଉଁଥିରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗତ ବର୍ଷର ଫାଇନାଲିଷ୍ଟ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବାକୁ ଥିବା ଓପନିଂ ମ୍ୟାଚ୍ ମଧ୍ୟ ରହିଛି ।

ରିପୋର୍ଟ ଲେଖା ହେବା ଯାଏଁ କରୋନାଭାଇରସ୍ ରୋଗୀଙ୍କ ସଂଖ୍ୟା ୪୩କୁ ବୃଦ୍ଧି ପାଇଛି। ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଜାମ୍ମୁ କାଶ୍ମୀରରୁ ପ୍ରତ୍ୟେକରେ ଗୋଟିଏ ନୂଆ ମାମଲା ରୁଜୁ ହୋଇଥିବା ଅଧିକାରୀମାନେ କହିଛନ୍ତି । ତେବେ ଏପର୍ଯ୍ୟନ୍ତ କୌଣସି ମୃତ୍ୟୁ ହୋଇନାହିଁ।

ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି, “ଯେତେବେଳେ ଲୋକମାନେ ବହୁ ସଂଖ୍ୟାରେ ଏକାଠି ହୁଅନ୍ତି, ସେତେବେଳେ ସଂକ୍ରାମକ ରୋଗର ବିପଦ ରହିଥାଏ। ଏଣୁ

ଯେଉଁ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକେ ଏକାଠି ହେବାର ଥାଏ ସେହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଏ । ତେବେ ଆଇପିଏଲ୍ ସ୍ଥଗିତ ରଖାଯିବ କି ନାହିଁ ସେନେଇ ଆଲୋଚନା ହେଉଛି।”

Leave a Reply