ମୋଇଜୁଙ୍କ କଡ଼ା ଆଭିମୁଖ୍ୟ, ୧୦ ସୁଦ୍ଧା ମାଳଦ୍ୱୀପ ଛାଡିବେ ଭାରତୀୟ ସୈନ୍ୟ

ନୂଆଦିଲ୍ଲୀ: ମାଳଦ୍ୱୀପରେ ରହିବେନି ଭାରତୀୟ ସୈନ୍ୟବାହିନୀ। ରାଷ୍ଟ୍ରପତି ମହମ୍ମଦ ମୋଇଜୁଙ୍କ ଭାରତ ବିରୋଧୀ ଆଭିମୁଖ୍ୟକୁ ପୁଣିଥରେ ପଦାରେ ପଡିଛି। ସାଧାରଣ ପୋଷାକଧାରୀଙ୍କ ସମେତ କୌଣସି ଭାରତୀୟ ସୈନ୍ୟଙ୍କୁ ତାଙ୍କ ଦେଶରେ ରହିବାକୁ ଅନୁମତି ଦିଆଯିବ ନାହିଁ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ , ମାଳଦ୍ୱୀପରେ ଥିବା ତିନୋଟି ବିମାନ ଚଳାଚଳ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏକୁ ନିୟନ୍ତ୍ରଣ କରିବା ପାଇଁ ମଙ୍ଗଳବାର ଏକ ଭାରତୀୟ ସୈନ୍ୟବାହିନୀ ସେଠାରେ ପହଞ୍ଚିବା ପରେ ମୋଇଜୁ ଏହି ଘୋଷଣା କରିଛନ୍ତି । ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଦେଖାଯାଇଛି ।

ଆଟୋଲ ଗସ୍ତ ସମୟରେ ମୋଇଜୁ ଲୋକଭ୍କୁ ସମ୍ବୋଧନ କରି କହିଛନ୍ତି, ଭାରତୀୟ ସେନାବାହିନୀକୁ ଦେଶରୁ ବିତାଡିତ କରିବାରେ ତାଙ୍କ ସରକାରଙ୍କ ସଫଳତାକୁ ନେଇ ଅପପ୍ରଚାର କରାଯାଉଛି । ଏନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ତେବେ ନିକଟ ଅତୀତରେ ଚୀନ୍ ସହିତ ମାଗଣା ସାମରିକ ସହାୟତା ପାଇବାକୁ ମାଳଦ୍ୱୀପ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା। ଯାହାପରେ ଭାରତ ପ୍ରତି ଏଭଳି ଆଭିମୁଖ୍ୟ ଗ୍ରହଣ କରିଛି ମାଳଦ୍ୱୀପ।

ଫେବୃଆରୀ ୨ରେ ଦିଲ୍ଲୀରେ ଅନୁଷ୍ଠିତ ଏକ ବୈଠକରେ ମାଳଦ୍ୱୀପ ଏବଂ ଭାରତୀୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ହୋଇଥିଲା । ଯାହାପରେ ମାଳଦ୍ୱୀପ ବୈଦେଶିକ ମନ୍ତ୍ରଣାଳୟ ଘୋଷଣା କରିଛନ୍ତି ଯେ ବିମାନ ଚଳାଚଳ ପ୍ଲାଟଫର୍ମ ପରିଚାଳନାରେ ନିୟୋଜିତ ସୈନ୍ୟଙ୍କୁ ଭାରତ ମେ ୧୦ ସୁଦ୍ଧା ପ୍ରତ୍ୟାବର୍ତ୍ତନ କରାଇନେବ ।

ଆହୁରି ମଧ୍ୟ ମାର୍ଚ୍ଚ ୧୦ ସୁଦ୍ଧା ଏହି ପରିବର୍ତ୍ତନର ପ୍ରାରମ୍ଭିକ ପର୍ଯ୍ୟାୟ ସମ୍ପନ୍ନ ହେବ। ସୂଚନାଯୋଗ୍ୟ, ମାଳଦ୍ୱୀପରେ ଥିବା ୩ ଭାରତୀୟ ପ୍ଲାଟ୍‌ଫର୍ମରେ ୮୮ ସୈନ୍ୟ ଅଛନ୍ତି। ସେମାନେ ଗତ କିଛି ବର୍ଷ ହେଲା ସ୍ଥାନୀୟ ଲୋକଙ୍କୁ ମାନବୀୟ ସହାୟତା ଓ ଚିକିତ୍ସା ସୁବିଧା ଯୋଗାଇ ଆସୁଛନ୍ତି।