ଟ୍ୱିନସିଟି ପରେ ଏବେ ଗଞ୍ଜାମରେ ଗଣେଶ ପୂଜା ଉପରେ ଲାଗିଲା କଟକଣା

ଗଞ୍ଜାମ: କରୋନା ପାଇଁ ଫିକା ପଡ଼ୁଛି ପର୍ବ ପର୍ବାଣୀ । କରୋନାକୁ ନିୟନ୍ତ୍ରଣରେ ଆଣିବାକୁ ସବୁ ପ୍ରକାର ପ୍ରୟାସ ମଧ୍ୟରେ ବଳିପଡ଼ିଛି ସଂସ୍କୃତି । ସେ ମୁସଲମାନ ହୁଅନ୍ତୁ କି ହିନ୍ଦୁ, ସମସ୍ତଙ୍କ ସଂସ୍କୃତିକୁ ଫିକା କରିଛି କରୋନା । ପୂର୍ବରୁ ବିଭିନ୍ନ ପର୍ବପର୍ବାଣୀ ଉପରେ କରୋନା ମାଡ଼ ପଡ଼ିଥିବା ବେଳେ ଏବେ ବିଘ୍ନ ହରତା ଅଗ୍ରପୂଜ୍ୟ ଦେବତା ଗଣେଶଙ୍କ ପୂଜା କଟକଣା ଭିତରକୁ ଚାଲି ଆସିଛି । ଚଳିତ ବର୍ଷ ବିଭିନ୍ନ ପର୍ବପର୍ବାଣୀକୁ କଟକଣା ମଧ୍ୟରେ ପାଳିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏବେ ଗଣେଶ ପୂଜାକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ପୂର୍ବରୁ ଟ୍ୱିନସିଟିରେ ଗଣେଶ ପୂଜା ଉପରେ କଟକଣା ଲାଗିଥିବା ବେଳେ ଏବେ ଗଞ୍ଜାମରେ ମଧ୍ୟ ଗଣେଶ ପୂଜାକୁ ଉପରେ କଟକଣା ଲାଗିଛି ।

ଗଞ୍ଜାମରେ ଚଳିତ ବର୍ଷ ହେବନି ଗଣେଶ ପୂଜା । କରୋନା ସଂକଟକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଗଣେଶ ପୂଜା ନକରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଏଥିସହ ସାମାଜିକ ଦୂରତାକୁ ମାନି ଚଳିବାକୁ ଲୋକଙ୍କୁ କୁହାଯାଇଛି । ଜରୁରୀ କାମ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ସବୁ ଦୋକାନୀ ‘ପଞ୍ଚସୁତ୍ର’ ମାନି ଚଳିବାକୁ କହିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ।

ଆପଣଙ୍କୁ କହି ରଖୁଛୁ ଯେ, ପୂର୍ବ ପରିସ୍ଥିତି ତୁଳନାରେ ଗଞ୍ଜାମରେ ବର୍ତ୍ତମାନ ସ୍ଥିତି ବହୁତ ଭଲ ରହିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ହଜାର ୨ଶହ ୫୬ ରହିଥିବା ବେଳେ ସକ୍ରିୟ ମାମଲା ୨ହଜାର ୧୬୨ ରହିଛି । ଏବଂ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୫୮ରେ ପହଞ୍ଚିଛି ।

Leave a Reply