ନଭେମ୍ୱରରେ କୋହଳ ମନା; ସେପ୍ଟେମ୍ୱର ମାସର ଗାଇଡଲାଇନକୁ ଦୋହରାଇଲେ ସରକାର…

ନୂଆଦିଲ୍ଲୀ: ନଭେମ୍ୱର ମାସ ପାଇଁ କେନ୍ଦ୍ର ସରକାର କରୋନା କଟକଣାଜନିତ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଗୃହ ବିଭାଗ ପକ୍ଷରୁ ଏସମ୍ୱନ୍ଧୀତ ବିଜ୍ଞପ୍ତି ପ୍ରକାଶ ପାଇଛି । ନିର୍ଦ୍ଦେଶନାମା ରହିଛି ଯେ, ଅକ୍ଟୋବର ମାସ ପାଇଁ ଲାଗୁ ହୋଇଥିବା ନିର୍ଦ୍ଦେଶନାମା ହିଁ ନଭେମ୍ୱର ମାସ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ବିଗତ ଦିନରେ ଯେଉଁ ଭଳି ଭାବେ କଟକଣା ପ୍ରାବଧାନରେ ପରିବର୍ତ୍ତନ ହେଉଥିଲା ତାହା ଆସନ୍ତା ନଭେମ୍ୱର ମାସରେ ହେବ ନାହିଁ ।

ଯାହା ଯେତିକି କଟକଣା କୋହଳ ହୋଇଛି, ତାହା ସାଂପ୍ରତିକ ସ୍ଥିତି ପାଇଁ ଯଥେଷ୍ଟ ଓ ଅଧିକ କୋହଳ କରିବା ଦ୍ୱାରା କରୋନାଜନିତ ସମସ୍ୟା ବଢିପାରେ ବୋଲି କେନ୍ଦ୍ର ସରକାର ଆଶଙ୍କା କରୁଛନ୍ତି ।ତେବେ ନଭେମ୍ୱର ୩୦ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ରହିବ । ପୂର୍ବ ଭଳି କଣ୍ଟେନମେଣ୍ଟ ଜୋନ୍ ଚିହ୍ନଟ କରିବାର ନିଷ୍ପତ୍ତି ଜିଲ୍ଲା ପ୍ରଶାସନଙ୍କ ପାଖରେ ରହିବ ।

ସେହିଭଳି ମେଟ୍ରୋ ଟ୍ରେନ ସେବା, ସପିଙ୍ଗ ମଲ୍ ଓ ରେସ୍ତୋରାଁଙ୍କୁ ଖୋଲା ରହିଛି ଓ ଆଗାମୀ ସମୟରେ ମଧ୍ୟ ଖୋଲା ରହିବ । ରାଜ୍ୟ ସରକାର ସ୍କୁଲ ଓ କୋଚିଙ୍ଗ ସେଣ୍ଟର ଖୋଲିବା ନେଇ ନିଜସ୍ୱ ନିଷ୍ପତ୍ତି ନେଇପାରିବେ । ରାଜ୍ୟ ନିଜ ସ୍ଥିତି ଦେଖି ଏସମ୍ୱନ୍ଧିତ ନିଷ୍ପତ୍ତି ନେବେ । କେନ୍ଦ୍ର ହସ୍ତକ୍ଷେପ ନା’ ବରାବର ରହିବ । ଅନ୍ତ୍ୟେଷ୍ଟି କ୍ରିୟା ଓ ବିବାହ ଭଳି କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ନିଜ ହିସାବରେ ପରିଚାଳନା କରିବେ । କେତେ ସଂଖ୍ୟକ ଲୋକେ ଏକାଠି ହେବେ ଓ କେଉଁ ସର୍ତ୍ତରେ ଏକାଠି ହେବେ ସେକଥା ରାଜ୍ୟ ସରକାର କହିବେ ।

ତେବେ ପୂର୍ବ ମାସର ଅନଲକ୍ ଗାଇଡଲାଇନ୍ ଅନୁଯାୟୀ, ଖେଳାଳିଙ୍କ ପାଇଁ ସ୍ୱିମିଂ ପୁଲ୍, ଅଧା ସଂଖ୍ୟାବଳରେ ସିନେମା ହଲ୍ ଓ ଅନ୍ତର୍ଜାତିକ ବିମାନ ଚଳାଚଳକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ତେବେ ସଂକ୍ରମଣ ପୁଣି ଥରେ ବିଭିନ୍ନ ଦେଶରେ ସକ୍ରିୟ ହେଉଥିବା ହେତୁ କେନ୍ଦ୍ର ସରକାର କଟକଣାକୁ ଅତି ହୁଗୁଳା କରିବାକୁ ମନା କରିଛନ୍ତି । ଏବେ ଯେତିକି ମାତ୍ରର କଟକଣା ରହିଛି ତାହା ସର୍ବନିମ୍ନ ଓ ସମୟୋପଯୋଗୀ ବୋଲି ସରକାର ବିଚାର କରିଛନ୍ତି ।

Leave a Reply