ଚାପ ପରେ ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା ନିଷ୍ପତ୍ତି ଫେବୃଆରୀ ପହିଲା ଯାଏଁ ଘୁଞ୍ଚାଇଛନ୍ତି ସରକାର
ନନ୍ଦିଘୋଷ ବ୍ୟୁରୋ: ଜାନୁଆରୀରୁ ପ୍ରଦୂଷଣ ପ୍ରମାଣପତ୍ର ଧରପଗଡ଼ ଖବର ପ୍ରସାରଣ ପରେ ସାଧାରଣ ଲୋକଙ୍କ ଭିତରେ ଅସ୍ଥିରତା ଦେଖାଦେଇଛି । ସରକାରଙ୍କ ବୈଠକ ପରେ ପରେ ପ୍ରଦୂଷଣ ପ୍ରମାଣପତ୍ର ପାଇବାକୁ ଲମ୍ବା ଲାଇନ ଦେଖିବାକୁ ମିଳୁଥିଲା । ସରକାରଙ୍କ ଏଭଳି ତରବରିଆ ନିଷ୍ପତ୍ତିକୁ ବିରୋଧ ଆରମ୍ଭ କରିଥିଲେ ଜନସାଧାରଣ । ତେବେ ବିଭିନ୍ନ ମହଲରୁ ଚାପ ପରେ ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା ନିଷ୍ପତ୍ତି ଫେବୃଆରୀ ପହିଲା ଯାଏଁ ଘୁଞ୍ଚାଇଛନ୍ତି ସରକାର । ତେବେ ଦଣ୍ଡବିଧାନ ନେଇ ଚାଲିଥିବା ଗୁଜବଠାରୁ ଦୂରରେ ରହିବାକୁ ପରିବହନ ବିଭାଗ ଅନୁରୋଧ କରିଛି ।
ଶେଷରେ ଗାଡ଼ିର ପ୍ରଦୂଷଣ ଯାଞ୍ଚ ପାଇଁ ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଅବଧି ବୃଦ୍ଧି କରିବାକୁ ବାଧ୍ୟ ହେଲେ ସରକାର । ଦୁଇ ଦିନ ହେବ ପ୍ରଦୂଷଣ ପ୍ରମାଣପତ୍ର ପାଇବାକୁ ଟେଷ୍ଟିଂ ସେଣ୍ଟର ଆଗରେ ଲମ୍ବା ଲାଇନ ଦେଖିବାକୁ ମିଳୁଥିଲା । ଦିନର ଖରା ହେଉ କି ରାତିର ଜାଡ଼, ସବୁ କଷ୍ଟ ସହି ଲୋକେ ପ୍ରଦୂଷଣ ପ୍ରମାଣପତ୍ର ପାଇବାକୁ ଲାଇନ ଲଗାଉଛନ୍ତି । ସରକାରଙ୍କ ବୈଠକ ପରେ ହଠାତ ଜାଣିବାକୁ ମିଳିଥିଲା ଯେ ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା । ଏଥିସହ ୧୦ ହଜାର ଟଙ୍କାର ଜରିମାନା ରହିଛି । ଏନେଇ ସବୁ ଗାଡି ମାଲିକ ବ୍ୟସ୍ତ ବିବ୍ରତ ହୋଇ ଟେଷ୍ଟିଂ ସେଣ୍ଟର ଧାଇଁଲେ । ବର୍ତ୍ତମାନ ଲୋକଙ୍କୁ ଆଉ ଏକ ସୁଯୋଗ ମିଳିଛି । ମୋଟର ଯାନର ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ନେଇ ଜନସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଅନୁଧ୍ୟାନ କରି ‘ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା ଲାଗୁ ନିଷ୍ପତ୍ତିକୁ ଘୁଞ୍ଚାଯାଇଛି । ପୂର୍ବରୁ ଜାନୁଆରୀରୁ ଏହାକୁ ଲାଗୁ ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ଫେବୃଆାରୀ ପହିଲାକୁ ଘୁଞ୍ଚାଯାଇଛି । ଏହି ଅବଧି ମଧ୍ୟରେ ମୋଟର ଯାନ ଆଇନ ଅନୁଯାୟୀ ବୈଧ ପ୍ରଦୂଷଣ ପ୍ରମାଣ ପତ୍ର ନଥିବା ଯାନମାନେ ପ୍ରଦୂଷଣ ଯାଞ୍ଚ କରାଇ ନେବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଫେବ୍ରୁଆରୀ ପହିଲା ପୂର୍ବରୁ କୌଣସି ପେଟ୍ରୋଲ ପମ୍ପରେ କାହାକୁ ମଧ୍ୟ ପ୍ରଦୂଷଣ ସାର୍ଟିଫିକେଟ ପାଇଁ ଇନ୍ଧନ ଦେବାକୁ ମନା କରାଯାଇପାରିବ ନାହିଁ । ଏହି ସମୟରେ ପ୍ରଦୂଷଣ ସାର୍ଟିଫିକେଟ ସଂକ୍ରାନ୍ତରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି ।
ସମୟ ସୀମା ବୃଦ୍ଧି ଖବର ପାଇବା ପରେ ବି ଲୋକଙ୍କ ଲାଇନ କମିନି । ଯେଉଁଥି ପାଇଁ ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଇନ୍ଧନ ମନା ପ୍ରସଙ୍ଗରେ କୌଣସି ଗୁଜବର ଶିକାର ହୋଇ ବିବ୍ରତ ନହେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛି ପରିବହନ ବିଭାଗ । ନିୟମର ଅନୁପାଳନ କରୁଥିବା ମୋଟରଯାନ ବ୍ୟବହାରକାରୀଙ୍କ ପାଇଁ କିଛି ବି ଚିନ୍ତା କରିବା ଆବଶ୍ୟକ ନାହିଁ । ଏହା କେବଳ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ ଅଙ୍କୁଶ ଲଗାଇବାକୁ ପଦକ୍ଷେପ ନିଆଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
ପରିବହନ ସେବା ସମ୍ବନ୍ଧୀୟ କୌଣସି ସୂଚନା ପାଇଁ ୨୪ ଘଣ୍ଟିଆ ଟୋଲ୍ ଫ୍ରି ନମ୍ବର- ୧୮୦୦୩୪୫୧୦୭୩ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛି ପରିବହନ ବିଭାଗ । ପରିବେଶ ସୁରକ୍ଷା ଭଳି ମହତ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ମୋଟର ଯାନ ଆଇନ ଆଧାରରେ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ।

