ରାଜ୍ୟରେ ନାହିଁ ବନ୍ୟା ସ୍ଥିତି, ରିପୋର୍ଟ ପରେ ମିଳିବ କ୍ଷତିଗ୍ରସ୍ତଙ୍କୁ ସହାୟତା: ଏସଆରସି

ଭୁବନେଶ୍ୱର: ରାଜ୍ୟରେ ଟଳିଲା ବନ୍ୟା ଆଶଙ୍କା  । କିଛି ଦିନ ହେବ ଲଗାଣ ବର୍ଷା କାରଣରୁ ନଦୀରେ ବଢ଼ିଛି ପାଣି ।  ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ମଧ୍ୟମ ଓ କମ ଧରଣର ବର୍ଷା ହୋଇଛି । ମାଲକାନଗିରିର ପଡିଆ ବ୍ଲକରେ । ୧୧୨.୩ ମିଲିମିଟର ଓ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକରେ ୧୨୬.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ବୈତରଣୀ ନଦୀର ଜଳସ୍ତର ଆଖୁଆପଦାଠାରେ ବିପଦସଙ୍କେତର ସାମାନ୍ୟ ଉପରେ ପ୍ରବାହିତ ହେଉଛି । ନଦୀର ଜଳସ୍ତର ବଢିଥିଲେ ମଧ୍ୟ ବନ୍ୟାର କୌଣସି ସମ୍ଭାବନା ନାହିଁ ।

ସେହିଭଳି ବସ୍ତା ବ୍ଲକର ମଥାନିଠାରେ ଜଳକା ନଦୀର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଥିଲେ ମଧ୍ୟ ବନ୍ୟାର କୌଣସି ଆଶଙ୍କା ନଥିବା ପ୍ରେସମିଟରେ ସୂଚନା ଦେଇଛନନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ମୌସୁମୀଜନିତ ବୃଷ୍ଟିପାତ ଫଳରେ ପାଞ୍ଚ ଜଣକ ମୃତ୍ୟୁ ହୋଇଛି । କ୍ଷତିଗ୍ରସ୍ତ ହୋଇଥିବା ବାସଗୃହ, କ୍ଷତିଗ୍ରସ୍ତ ଚାଷଜମି ଓ ବାଲିଚର ଚାଷଜମି ସମ୍ବଦ୍ଧରେ ସାତ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ପ୍ରଦୀପ ଜେନା । ରିପୋର୍ଟ ପରେ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ଏସଆରସି କହିଛନ୍ତି ।

ସେପଟେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ବର୍ଷା । କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ସୁନ୍ଦରଗଡ଼ ଓ ଦେବଗଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ପଶ୍ଚିମ ଓଡ଼ିଶାର ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଏବଂ ଉତ୍ତର ଓଡ଼ିଶାର କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।

ୟେଲୋ ୱାର୍ଣ୍ଣିଂରେ ରହିଛି ଉତ୍ତର ଓ ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲା । ରାଜ୍ୟରେ ୨୫ ତାରିଖ ଯାଏ ପାଣିପାଗରେ କୌଣସି ପରିବର୍ତ୍ତନ ଆସିବନି । ସେହିପରି ୨୩ ତାରିଖରେ ଆସୁଥିବା ଆଉ ଏକ ଲଘୁଚାପ ପ୍ରଭାବରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେପଟେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା କରାଯାଇଛି ।

Leave a Reply