ଡହଡହ ଖରାରେ ତାତୁଛି ଭକ୍ତଙ୍କ ପାଦ, ନାହିଁ ବିଶ୍ରାମ ସ୍ଥଳ, ପିଇବା ପାଣି

ପୁରୀ: ଡହଡହ ଖରାରେ ବଡ଼ଦାଣ୍ଡରେ ସିଝୁଛନ୍ତି ଭକ୍ତ। ଅସ୍ଥାୟୀ ବିଶ୍ରାମ ସ୍ଥଳ ଏବଂ ପିଇବା ପାଣି ପାଇଁ ବ୍ୟାକୁଳ ଯାତ୍ରୀ। ଖରା ଯେତିକି ବଢୁଛି ଭକ୍ତଙ୍କ ଦୁର୍ଦଶା ସେତିକି ବଢ଼ି ବଢ଼ି ଚାଲିଛି। ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ଶ୍ରୀମନ୍ଦିର ବାହାରେ ଏବଂ ଭିତରେ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଛି ପ୍ରଶାସନ। ଠାକୁରଙ୍କ ଦର୍ଶନ ବନ୍ଦ ରହୁଥିବା ସମୟରେ ଭକ୍ତମାନେ ବଡ଼ଦାଣ୍ଡ ବ୍ୟାରିକେଡ଼ ଭିତରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ସିଂହଦ୍ବାରଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଲାଗୁଛି। ପଶ୍ଚିମ ଦ୍ବାର ସମ୍ମୁଖରେ ମଧ୍ୟ ଭକ୍ତମାନେ ଖୋଲା ଆକାଶ ତଳେ ଅପେକ୍ଷା କରୁଛନ୍ତି। ସିଂହଦ୍ବାର, ଉତ୍ତରଦ୍ବାର, ଦକ୍ଷିଣଦ୍ୱାର ଏବଂ ପଶ୍ଚିମଦ୍ବାର ସମ୍ମୁଖରେ ଏପର୍ଯ୍ୟନ୍ତ ପାନୀୟ ଜଳ କିମ୍ବା ଅସ୍ଥାୟୀ ବିଶ୍ରାମ ସ୍ଥଳ ବ୍ୟବସ୍ଥା କରାଯାଇ ନାହିଁ।

ପିଇବା ପାଣି ପାଇଁ ଭକ୍ତମାନେ ଡହଳ ବିକଳ ହେଉଛନ୍ତି। ପ୍ରବଳ ଖରା ଯୋଗୁଁ ପିଚୁ ରାସ୍ତା ସକାଳ ଆଠଟାରୁ ତାତି ଯାଉଛି। ଭକ୍ତମାନେ ମରିଚିକୋଟ ଛକରୁ ପ୍ରାୟ ଦୁଇ ଶହ ମିଟର ସିଂହଦ୍ବାର ପର୍ଯ୍ୟନ୍ତ ଖାଲି ପାଦରେ ଚାଲି ଚାଲି ଯାଉଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ସିଂହଦ୍ବାର ନିକଟରେ ଜୋତା ଷ୍ଟାଣ୍ଡ ଏବଂ ମୋବାଇଲ ଫୋନ୍‌ ଷ୍ଟାଣ୍ଡ ଖୋଲା ଯାଉନାହିଁ। ଭକ୍ତମାନେ ବଡ଼ଦାଣ୍ଡରେ ପ୍ରବଳ ଖରାରେ କଲବଲ ହେଉଥିବାବେଳେ ଦାୟିତ୍ବରେ ଥିବା ପ୍ରଶାସନିକ ଅଧିକାରୀମାନେ ଶୀତତାପ ନିୟନ୍ତ୍ରିତ କୋଠରି ଭିତରୁ ବାହାରୁ ନାହାନ୍ତି। କେବଳ ବଡ଼ଦାଣ୍ଡ ନୁହେଁ, ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରି ମନ୍ଦିର ଭିତରେ ପ୍ରବେଶ କରିବା ପରେ ମହାପ୍ରଭୁଙ୍କ ଦର୍ଶନ ମିଳିବା କଷ୍ଟକର ହୋଇ ପଡ଼ୁଛି।