ଭାରତରେ ଆସିବ କରୋନାର ଚତୁର୍ଥ ପ୍ରବାହ ?

1 min read

ନୂଆଦିଲ୍ଲୀ: ଗତକିଛି ଦିନ ହେବ ଦେଶରେ ପୁଣି ଥରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି । ଲଗାତର ଭାବରେ ଦେଶରେ ୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କରୋନା ଆକ୍ରାନ୍ତ ବଢ଼ିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରି କରୋନା ମାମଲା ରୋକିବାକୁ ଠିକ୍ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ । ତେବେ ଏସବୁ ମଧ୍ୟରେ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଚତୁର୍ଥ ଲହର ଆସିବ କି ନାହିଁ । ତେବେ ଏବେ ଆଇଆଇଟି କାନପୁରର ପ୍ରଫେସର ମଣିନ୍ଦ୍ର ଅଗ୍ରଓ୍ୱାଲ ଏକ ନୂତନ ଅଧ୍ୟୟନ ପରେ ଦାବି କରିଛନ୍ତି ଯେ ଭାରତକୁ କରୋନାର ଚତୁର୍ଥ ଲହର ଆସିବ ନାହିଁ । ସେ ତାଙ୍କ ମତ ପଛରେ କାରଣ ଦର୍ଶାଇଛନ୍ତି ଯେ ଭାରତରେ ଅଧିକାଂଶ ଲୋକଙ୍କ ମଧ୍ୟରେ କରୋନାର ବିରୋଧରେ ପ୍ରାକୃତିକ ଇମ୍ୟୁନିଟି ଏବଂ ଭାଇରସରେ କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ । ତେଣୁ ଭାରତରେ ଚତୁର୍ଥ ଲହର ଆସିବ ନାହିଁ ବୋଲି ଯୁକ୍ତି ବାଢ଼ିଛନ୍ତି ପ୍ରଫେସର ମଣିନ୍ଦ୍ର ଅଗ୍ରଓ୍ୱାଲ ।

ଆଇଆଇଟି କାନପୁରର କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ କରୋନାରେ ଅଧିକ ଅଧ୍ୟୟନ କରିବା ପାଇଁ ଏକ ଗାଣିତିକ ମଡେଲ ସୃଷ୍ଟି କରିଛନ୍ତି । ଏହାର ନାମ SUTRA ରଖାଯାଇଛି | ପ୍ରଫେସର ଅଗ୍ରୱାଲ ଗତ ଦୁଇ ବର୍ଷ ମଧ୍ୟରେ ଅନେକ ଥର କରୋନା ପୂର୍ବାନୁମାନ କରିଛନ୍ତି ଏବଂ ଏହା ସମ୍ପୂର୍ଣ୍ଣ ସଠିକ୍ ବୋଲି ପ୍ରମାଣିତ ହୋଇଛି | ବର୍ତ୍ତମାନ ସେ କରୋନାର ଚତୁର୍ଥ ଲହର ଉପରେ ଆକଳନ କରିଛନ୍ତି ।

ପ୍ରଫେସର ଅଗ୍ରୱାଲ ତାଙ୍କ ଅନୁସନ୍ଧାନର ଉଦ୍ଧେଶ୍ୟରେ ଦାବି କରିଛନ୍ତି ଯେ ଭାରତର ୯୦%ରୁ ଅଧିକ ଲୋକ କରୋନା ବିରୋଧରେ ପ୍ରାକୃତିକ ପ୍ରତିରକ୍ଷା ବିକାଶ କରିଛନ୍ତି । ଭାରତରେ ଟୀକାକରଣର ସ୍ତର ମଧ୍ୟ ବହୁତ ଭଲ | ଅଧିକାଂଶ ଲୋକଙ୍କୁ ଟୀକାକରଣ କରାଯାଇଛି | ସେ କହିଛନ୍ତି ଯେ ଆଇସିଏମଆର ସର୍ବେକ୍ଷଣରୁ ଜଣାପଡିଛି ଯେ ସରକାରୀ ରେକର୍ଡରେ ଲିପିବଦ୍ଧ ହୋଇଥିବା ମାମଲା ଅପେକ୍ଷା ଅନେକ ଥର କରୋନାରେ ସଂକ୍ରମିତ ହୋଇଛନ୍ତି । ଏହି ସଂଖ୍ୟା ୩୦ ଗୁଣ ପର୍ଯ୍ୟନ୍ତ ହେବ ବୋଲି କୁହାଯାଉଛି |

କରୋନାର ଚତୁର୍ଥ ଲହର ଆସିବାର କମ୍ ସମ୍ଭାବନା ପଛରେ ପ୍ରଫେସର ଅଗ୍ରଓ୍ୱାଲ ମଧ୍ୟ ଆଉ ଏକ କାରଣ ଦେଇଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭାଇରସରେ କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ । ତେବେ ଯେଉଁ ଭାଇରସ ଏବେ ସାମ୍ନାକୁ ଆସୁଛି ତାହା ଓମିକ୍ରନ ଭାଇରସର ଭାଇ ଭଉଣୀଙ୍କ ପରି । ଯେପରିକି BA.2, BA.2.9, BA.2.10 ଏବଂ BA.2.12 । ପ୍ରଫେସର ମଣିନ୍ଦ ଅଗ୍ରଓ୍ୱାଲଙ୍କ କହିବା ଅନୁସାରେ ଏହାର ଅର୍ଥ ହେଉଛି ଦେଶରେ ୯୦ ପ୍ରତିଶତ ଲୋକ ଓମିକ୍ରନ ଭାଇରସ ଦ୍ୱାରା ସଂକ୍ରମିତ ହୋଇ ସୁସ୍ଥ ହୋଇସାରିଛନ୍ତି । ଏପରି ପରିସ୍ଥିତିରେ, ଓମିକ୍ରନ୍ କାରଣରୁ କରୋନାର ଚତୁର୍ଥ ଲହର ଆସିବାର ସମ୍ଭାବନା ନାହିଁ ବୋଲି କହିଛନ୍ତି ପ୍ରଫେସର ମଣିନ୍ଦ୍ର ଅଗ୍ରଓ୍ୱାଲ ।