spot_img

Latest Posts

ଗାଁକୁ ନାହିଁ ପକ୍କା ରାସ୍ତା, ପାଦେ ପାଦେରେ ଛକିଛି ମୃତ୍ୟୁ!

ନନ୍ଦିଘୋଷ ବ୍ୟୁରୋ: ସ୍ୱାଧୀନତାର 78 ବର୍ଷ ପରେ ବି ଗାଁକୁ ନାହିଁ ପକ୍କା ରାସ୍ତାଟିଏ। ଆଜି ବି ଆବୁଡ଼ା ଖାବୁଡା କଚ୍ଚା ରାସ୍ତା ଗ୍ରାମବାସୀଙ୍କ ପାଇଁ ଯାତାୟାତର ମାଧ୍ୟମ ପାଲଟିଛି। ପ୍ରଶାସନିକ ଅଧିକାରୀଠାରୁ ଆରମ୍ଭ କରି ନେତାମନ୍ତ୍ରୀଙ୍କୁ ବାରମ୍ବାର ଗୁହାରି ଜଣାଇଲେ ମଧ୍ୟ ଶୁଣିବାକୁ କେହିନାହିଁ। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଥିବା ବେଳେ ଖୁବଶିଘ୍ର ପକ୍କା ରାସ୍ତା ନିର୍ମାଣର ପ୍ରତିଶ୍ରୁତି ଦେଇଛନ୍ତି ବ୍ଲକ ଉନ୍ନୟନ ଅଧିକାରୀ।

ରାସ୍ତାର ପାଦେ ପାଦେ ଛକିଛି ମୃତ୍ୟୁ । ଖାଲ ଖମାରେ ଭର୍ତ୍ତି ଯାତାୟତର ଏହି ମାଧ୍ୟମ । ଗାଁକୁ ଆମ୍ବୁଲାନ୍ସ ଟିଏ ଆସିବା ବି ଅସମ୍ଭବ । ବର୍ଷା ଦିନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକ । ଭଦ୍ରକ ସାହାପୁର ପଂଚାୟତର ସାନଲହୁଣୀପାଳ ଗାଁ ରାସ୍ତାର ଏହି ଅବସ୍ଥା । ଏଠି ବସବାସ କରନ୍ତି ଶହେରୁ ଅଧିକ ଦଳିତ ପରିବାର। ଆଜିବି ସରକାରୀ ମୌଳିକ ସୁବିଧାରୁ ବଞ୍ଚିତ ଏହି ଗାଁ। ଗାଁକୁ ଯୋଡି ପାରି ନାହିଁ ପକ୍କା ରାସ୍ତାଟିଏ । ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତାରୁ ଗାଁକୁ ଲମ୍ବିଥିବା 2 କିଲୋମିଟରରୁ ଉର୍ଦ୍ଧ ରାସ୍ତାର ଅବସ୍ଥା ଶୋଚନୀୟ । ଗାଁକୁ ପକ୍କା ରାସ୍ତା ନିର୍ମାଣ କରିବାକୁ ବିଭିନ୍ନ ମହଲରେ ଗ୍ରାମବାସୀ ଅଭିଯୋଗ କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ପୂର୍ବ ସରକାର ସମୟରେ ରାସ୍ତାରେ ମୋରମ କରାଯାଇଥିଲା। ମାତ୍ର ଏହି କାର୍ଯ୍ୟକୁ ଦୀର୍ଘ ବର୍ଷ ବିତି ଯାଇଥିବା ବେଳେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଗାଁକୁ ଗାଡି ଆମ୍ବୁଲାନ୍ସ ଟିଏ ଆସିବ ସମ୍ଭବ ହେଉନାହିଁ । ଫଳରେ ବର୍ଷ ବର୍ଷ ହେବ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ଗ୍ରାମବାସୀ ମାନେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। କେବେ ଏହି ରାସ୍ତା ର୍ନିମାଣ ହେବ, କେବେ ଲୋକ ଦୀର୍ଘ ଦିନର ସମସ୍ୟାରୁ ମୁକୁଳିବେ ତାହା ଦେଖିବାକୁ ବାକି ରହିଥିଲା ।

Latest Posts

Don't Miss