ଆଉ ନାହିଁ ବାର୍ଡ ଫ୍ଲୁ ଡର: ବିନ୍ଦାସ ଖଆନ୍ତୁ ଚିକେନ ଓ ଅଣ୍ଡା

ଭୁବନେଶ୍ବର: ବିନ୍ଦାସ୍ ଖାଆନ୍ତୁ ଚିକେନ ଓ ଅଣ୍ଡା । ବାର୍ଡ଼ ଫ୍ଲୁ ମୁକ୍ତ ହେଲାଣି ବ୍ରଏଲର ଚିକେନ୍‌ । ଚିକେନ କି ଅଣ୍ଡା ଯାହା ଖାଇଲେ କିଛି ବିପଦ ନାହିଁ । ସରକାର ଏହା ସ୍ପଷ୍ଟ କରିଛନ୍ତି । ଚଳିତବର୍ଷ ଯେଉଁ ଅଞ୍ଚଳରେ ବାର୍ଡ଼ ଫ୍ଲୁ ଚିହ୍ନଟ ହୋଇଥିଲା, ସେଠାରେ କୁକୁଡ଼ାଙ୍କୁ ମାରି ପୋତି ଦିଆଯାଇଛି । ସେପଟେ ବାର୍ଡ ଫ୍ଲୁ ଭୟ ଦୂର କରିବାକୁ ବିଭିନ୍ନ କୁକୁଡ଼ା ସଂଘ ତରଫରୁ ଲୋକଙ୍କୁ ମାଗଣାରେ ଚିକେନ୍‌ ପକୋଡ଼ା ଓ ଶସ୍ତାରେ ଚିକେନ୍‌ ମଧ୍ୟ ଯୋଗାଇ ଦିଆଯାଉଛି । ଏବେ ଗ୍ରାହକ, ହୋଟେଲ ବ୍ୟବସାୟୀ, ଫାର୍ମ ମାଲିକ ସମସ୍ତେ ଆଶ୍ଵସ୍ତ ।

ଏବେ ବିନା ଭୟରେ ଚିକେନ ଖାଆନ୍ତୁ, ଅଣ୍ଡା ବି ଖାଆନ୍ତୁ । କିଛି ଅସୁବିଧା ନାହିଁ । କାରଣ ବାର୍ଡ଼ ଫ୍ଲୁ ଆଉ ନାହିଁ । ଜନସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ରାଜ୍ୟରେ ଉତ୍ପାଦନ ହେଉଥିବା ବ୍ରଏଲର ଚିକେନ୍‌ କି ଅଣ୍ଡାରେ ଆଉ କୌଣସି ପ୍ରକାର ସଂକ୍ରମଣ ନାହିଁ । ଏ ବର୍ଷ ପୁରୀ ଜିଲ୍ଲାରେ ବାର୍ଡ଼ ଫ୍ଲୁ ସଂକ୍ରମଣ ଦେଖା ଦେଇଥିଲା । ପ୍ରଭାବିତ ଅଞ୍ଚଳରେ ପ୍ରାଣୀ ସମ୍ପଦ ବିଭାଗ ସହାୟତାରେ କୁକୁଡ଼ାଙ୍କୁ ମାରି ପୋତି ଦିଆଯାଉଥିଲା । ପ୍ରତିବର୍ଷ ଏହି ସିଜିନରେ ବାର୍ଡ ଫ୍ଲୁ ହୋଇଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ ଅଧିକ ଉତ୍ତାପରେ ଚିକେନକୁ ଭଲ ଭାବେ ରୋଷେଇ କରି ଖାଇଲେ କିଛି ଅସୁବିଧା  ନାହିଁ । ରାଜ୍ୟର ବ୍ରଏଲର୍ ଚିକେନ କି ଅଣ୍ଡାରେ କୌଣସି ସଂକ୍ରମଣ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।

ବାର୍ଡ ଫ୍ଲୁ ଭୟ ଯୋଗୁଁ ମାସେ ହେଲାଣି ଚିକେନ୍‌ ବେପାର ମାନ୍ଦା ଥିଲା । ଚିକେନ୍‌ ରେଟ୍ ଖସି ଯାଇଥିଲା । ଚିକେନ କେଜି ୨୦୦ ଟଙ୍କାରୁ ଖସି ୧୨୦ରୁ ୧୬୦ ଟଙ୍କାରେ ପହଞ୍ଚିଥିଲା । ତଥାପି ଗ୍ରାହକ ଆସୁ ନଥିଲେ । ବାର୍ଡ ଫ୍ଲୁ ଭୟ ଦୂର ପରେ ଗତ ରବିବାରରୁ ଧୀରେ ଧୀରେ ଗ୍ରାହକ ଆସିଲେଣି । ତେଣୁ ବ୍ରଏଲର ଫାର୍ମ ମାଲିକ, ବ୍ୟବସାୟୀ ଏପରିକି ହୋଟେଲ ବ୍ୟବସାୟୀ ବି ଆଶ୍ଵସ୍ତ ହୋଇଛନ୍ତି । ଖସି ଥିବା ରେଟ୍ ପୁଣି ପୁରୁଣା ସ୍ତରକୁ ଆସିବାରେ ଲାଗିଛି । ଖାସି ମାଂସ ରେଟ ଅଧିକ ରହୁଥିବାରୁ ଓ ବରଫ ଦିଆ ମାଛ ଆନ୍ଧ୍ରରୁ ଆସୁଥିବାରୁ ଚିକେନ ହିଁ ଲୋକଙ୍କ ପ୍ରଥମ ପସନ୍ଦ ରହିଛି ।