ନେତା-ମନ୍ତ୍ରୀଙ୍କ ପାଇଁ ନାହିଁ ବାକ୍ ସ୍ୱାଧିନତାର ସ୍ୱତନ୍ତ୍ର କଟକଣା

1 min read

ନୂଆଦିଲ୍ଲୀ: ସମ୍ବିଧାନର ଧାରା ୧୯(୧)ର ‘କ’ ଅନୁସାରେ ସାଧାରଣ ନାଗରିକଙ୍କ ପରି ସାଂସଦ, ମନ୍ତ୍ରୀ ଓ ବିଧାୟକମାନେ ସମାନ ଅଧିକାର ଲାଭ କରିଛନ୍ତି । ସେମାନଙ୍କ ଲାଗି ବାକ୍ ସ୍ବାଧୀନତାର ମୌଳିକ ଅଧିକାର ଉପରେ କୌଣସି ଅତିରିକ୍ତ କଟକଣା ଜାରି କରାଯାଇପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଏସ. ଅବଦୁଲ ନାଜିର, ଏ.ଏସ. ବୋପାନ୍ନା, ବି.ଆର. ଗଭାଇ. ଭି. ରାମସୁବ୍ରମଣ୍ୟମ ଓ ବି.ଭି. ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି- ସମ୍ବିଧାନରେ ପ୍ରଦତ୍ତ ଧାରା ଅନୁସାରେ ସମସ୍ତ ନାଗରିକଙ୍କ ଲାଗି ଏହା ପ୍ରଯୁଜ୍ୟ ହେବ ।

ଗଣଦୁଷ୍କର୍ମ ମାମଲାରେ ପୀଡିତଙ୍କ ପ୍ରସଙ୍ଗରେ ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କ ପକ୍ଷରୁ ଦିଆଯାଇଥିବା ଏକ ବିବୃତି ପ୍ରସଙ୍ଗରେ ଏହା କହିଛନ୍ତି ଖଣ୍ଡପୀଠ । ଗତ ଜୁଲାଇ ୨୦୧୬ରେ ଉତ୍ତରପ୍ରଦେଶ ବୁଲନ୍ଦସହରରେ ଜଣେ ମହିଳା ଓ ତାଙ୍କ କନ୍ୟା ଦୁଷ୍କର୍ମର ଶିକାର ହୋଇଥିଲେ । ଏହି ପ୍ରସଙ୍ଗରେ ଆଜମ ଖାନ କହିଥିଲେ- ଏହି ଗଣଦୁଷ୍କର୍ମ ଏକ ରାଜନୈତିକ ଷଡ଼ଯନ୍ତ୍ର । ଖଣ୍ଡପୀଠ କହିଥିଲେ- ମନ୍ତ୍ରୀ, ସାଂସଦ ବା ବିଧାୟକମାନେ ନିଜକୁ ବିଭିନ୍ନ କଟକଣାରେ ରଖିବା ନେଇ ଏକ ଅଲିଖିତ ନିୟମାବଳୀ ରହିଛି ।

ଅଭିଯୋଗକାରୀଙ୍କ ପକ୍ଷରୁ ନିଯୁକ୍ତ ଆଇନଜୀବୀ କଳିଶ୍ବରମ ରାଜ ଦର୍ଶାଇଥିଲେ ଯେ- ମନ୍ତ୍ରୀ, ବିଧାୟକ ବା ସାଂସଦଙ୍କ ଲାଗି ଏକ ଆଚରଣ ସଂହିତା ତିଆରି କରିବାର ଆବଶ୍ୟକତା ରହିଛି । ତେବେ ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ ନାଗରତ୍ନା ଦେଇଥିଲେ ଭିନ୍ନ ରାୟ । ସେ କହିଥିଲେ-ବିଦ୍ବେଷମୂଳକ ମନ୍ତବ୍ୟ ସାମ୍ବିଧାନିକ ମୂଲ୍ୟବୋଧକୁ ଉଲ୍ଲଂଘନ କରୁଛି ଏବଂ ନାଗରିକଙ୍କ ମଧ୍ୟରେ ଭ୍ରାତୃତ୍ବବୋଧ ଭାବନାକୁ କ୍ଷୁଣ୍ଣ କରିଥାଏ ।