୧୫୦ଟି ମେଡିକାଲ କଲେଜ ଉପରୁ ସ୍ୱୀକୃତି ପ୍ରତ୍ୟାହାର କରିପାରେ ନ୍ୟାସନାଲ ମେଡିକାଲ କମିଶନ

ନୂଆଦିଲ୍ଲୀ: ଦେଶର ପ୍ରାୟ ୧୫୦ଟି ମେଡିକାଲ କଲେଜ ଉପରୁ ସ୍ବୀକୃତି ପ୍ରତ୍ୟାହାର କରିପାରେ ନ୍ୟାସନାଲ ମେଡିକାଲ କମିଶନ । ବିଭିନ୍ନ ନିୟମ ପାଳନ ନ କରିବା, ଫାକଲଟି ଅଭାବ ଆଦି କାରଣରୁ ମେଡିକାଲ କଲେଜଗୁଡ଼ିକ ଉପରୁ ସ୍ବୀକୃତି ପ୍ରତ୍ୟାହାର ଲାଗି କର୍ତ୍ତୃପକ୍ଷ ଚିନ୍ତା କରୁଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଦେଶର ୪୦ଟି ମେଡିକାଲ କଲେଜ ଉପରୁ ସ୍ବୀକୃତି ପ୍ରତ୍ୟାହାର କରାଗଲାଣି ବୋଲି କୁହାଯାଇଛି।

ଗୁଜରାଟ, ଆସାମ, ପୁଡୁଚେରୀ, ତାମିଲନାଡୁ, ପଞ୍ଜାବ, ଆନ୍ଧ୍ରପ୍ରେଦଶ, ତ୍ରିପୁରା, ପଶ୍ଚିମବଙ୍ଗ ଆଦି ରାଜ୍ୟର ମେଡିକାଲ କଲେଜଗୁଡିକ ସ୍କାନରରେ ରହିଥିବା ଦର୍ଶାଯାଇଛି । କିଛି ମାସ ଧରି ଦେଶର ବିଭିନ୍ନ ମେଡିକାଲ କଲେଜରେ କମିଶନ ଅନ୍ତର୍ଗତ ଅଣ୍ଡରଗ୍ରାଜୁଏଟ ମେଡିକାଲ ଏଜୁକେସନ ବୋର୍ଡ ପକ୍ଷରୁ ଯାଞ୍ଚ କରାଯାଇଥିଲା। ସିସିଟିଭି କ୍ୟାମେରାର ଅଭାବ ସହ ଆଧାର ସହ ସଂଯୁକ୍ତ ବାୟୋମେଟ୍ରିକ ଆଟେଣ୍ଡାନସ ବ୍ୟବସ୍ଥା କରାଯାଉ ନଥିବା ଜଣାପଡିଥିଲା ।

ସେହିପରି ଫାକଲଟିମାନଙ୍କ ଉପସ୍ଥାନରେ ମଧ୍ୟ ଅନିୟମିତତା ପ୍ରକାଶିତ ହୋଇଥିଲା। ନିୟମ ଅବମାନନା କରିଥିବା ମେଡିକାଲ କଲେଜଗୁଡିକ ୩୦ଦିନ ମଧ୍ୟରେ ନ୍ୟାସନାଲ ମେଡିକାଲ କମିଶନ ନିକଟରେ ଆବେଦନ କରିବା ଲାଗି କୁହାଯାଇଛି। ଯଦି ଏନଏମସି ସ୍ତରରେ ସେମାନଙ୍କ ଆବେଦନ ଖାରଜ ହୁଏ ତେବେ ସେମାନେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିକଟରେ ଆବେଦନ କରିପାରିବେ । ଯଦି ୧୫୦ ମେଡିକାଲ ପ୍ରତିଷ୍ଠାନ ଉପରୁ ସ୍ବୀକୃତି ପ୍ରତ୍ୟାହାର କରାଯାଏ ତେବେ ଦେଶରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ତୀବ୍ର ସଂକଟ ସୃଷ୍ଟି ହେବାର ଆଶଙ୍କା ରହିଛି ।

୨୦୧୪ ପରଠାରୁ ଦେଶରେ ମେଡିକାଲ କଲେଜ ସଂଖ୍ୟା ଦୁଇ ଗୁଣ ବଢିଥିବା ସତ୍ତ୍ବେ ଅନେକ ମେଡିକାଲ କଲେଜର ଦୁରବସ୍ଥା ଚିନ୍ତାର କାରଣ ହୋଇଛି । ୨୦୧୪ରେ ଦେଶରେ ୩୮୭ଟି ମେଡିକାଲ କଲେଜ ରହିଥିବାବେଳେ ୨୦୨୩ରେ ମେଡିକାଲ କଲେଜର ସଂଖ୍ୟା ରହିଛି ୬୬୦। ସେଗୁଡିକ ମଧ୍ୟରୁ ୨୨ଟି ହେଉଛି ଏମସ୍ । ୨୦୧୪ରେ ଦେଶରେ ଥିଲା ମୋଟ ୭ଟି ଏମସ୍ ।

ସେହିପରି ୨୦୧୪ରେ ଦେଶରେ ୩୧ ହଜାର ୧୮୫ଟି ପୋଷ୍ଟଗ୍ରାଜୁଏଟ ମେଡିକାଲ ସିଟ୍ ଥିବାବେଳେ ବର୍ତ୍ତମାନ ସେହି ସଂଖ୍ୟା ହୋଇଛି ୬୫ହଜାର ୩୩୫ । ୨୦୧୪ରେ ମୋଟ ୫୧ ହଜାର ୩୪୮ଟି ଏମବିବିଏସ ସିଟ ଥିବାବେଳେ ବର୍ତ୍ତମାନ ସେହି ସଂଖ୍ୟା ରହିଛି ୧ ଲକ୍ଷ ୧ ହଜାର ୪୩ । ଯଦି ୧୫୦ଟି ମେଡିକାଲ କଲେଜର ସ୍ବୀକୃତି ପ୍ରତ୍ୟାହାର ହୁଏ ତେବେ ଦେଶରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ତୀବ୍ର ସଙ୍କଟ ଦେବା ଆଶଙ୍କା କରାଯାଉଛି । ରିପୋର୍ଟ ଅନୁସାରେ ଗୁଜରାଟରେ ଗତ ମାର୍ଚ୍ଚ ସୁଦ୍ଧା ବିଭିନ୍ନ ସରକାରୀ ମେଡିକାଲ କଲେଜରେ ୧୯୦୦ରୁ ଅଧିକ ପଦବୀ ଖାଲି ଥିଲା ।