ଧାର୍ମିକ ସମ୍ମିଳନୀରୁ ଦେଶର ୨୦ ରାଜ୍ୟରେ କରୋନା ସଂକ୍ରମଣ !

1 min read

ନୂଆଦିଲ୍ଲୀ: ନିଜାମୁଦ୍ଦିନ ତବଲିଗି ଜମାତ ମରକଜ ଭାରତ ପାଇଁ କରୋନା ସଂକ୍ରମଣର ଏପିକ ସେଣ୍ଟର ହୋଇଯାଇଛି । କାରଣ ଏହାର ଧର୍ମୀୟ ସମ୍ମିଳନୀରେ ଯୋଗ ଦେଇଥିବା ମୌଲବୀ ମାନଙ୍କ ମଧ୍ୟରୁ ଅନେକଙ୍କ ସମ୍ପର୍କ ଦେଶର ୨୦ ରାଜ୍ୟ ସହ ଅଛି । ସେମାନଙ୍କ ମଧ୍ୟରୁ କିଛି ସଂକ୍ରମିତ ହୋଇ ନିଜ ରାଜ୍ୟକୁ ଫେରିଥିବା ଆଶଙ୍କା କରାଯାଉଛି । ବର୍ତ୍ତମାନ ସୁଦ୍ଧା ୩୪ ଜଣଙ୍କ ଠାରେ କରୋନା ପଜିଟିଭ ଓ ୮ ଜଣଙ୍କ ମୃତ୍ୟୁ ହୋଇ ସାରିଛି । କେନ୍ଦ୍ର ସରକାର ଏହି ସମ୍ମିଳନୀରେ ଯୋଗ ଦେଇଥିବା ୨୦ ରାଜ୍ୟର ମୌଲବୀଙ୍କୁ ଚିହ୍ନଟ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ଏଥିସହ ଏହି ସମ୍ମିଳନୀରେ ଯୋଗ ଦେଇଥିବା ବିଦେଶୀ ମୌଲବୀଙ୍କ ଭିସା ରଦ୍ଦ ପାଇଁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ଦେଶର ବିଭିନ୍ନ ସ୍ଥାନରୁ ଏଥିରେ ମୌଲବୀ ଯୋଗ ଦେଇଥିବା ବେଳେ ଓଡ଼ିଶାରୁ ୧୫ ଜଣ ଯୋଗ ଦେଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ, ଓଡ଼ିଶାରୁ ଏଥିରେ କେତେ ଜଣ ଯୋଗ ଦେଇଥିଲେ ଓ ସେମାନେ କେଉଁ ଅଞ୍ଚଳର ତାହା ଜଣାପଡ଼ିନାହିଁ । ସେମାନେ ଯଦି ଦିଲ୍ଲୀରୁ ଫେରିଛନ୍ତି ତେବେ ବିମାନ ନା ଟ୍ରେନରେ ଫେରିଛନ୍ତି ତାହା ବର୍ତ୍ତମାନ ପ୍ରଶ୍ନବାଚୀ ହୋଇ ରହିଛି ? ଏହାସହ ସେମାନେ ସଂକ୍ରମିତ ସମ୍ପର୍କରେ ଆସିଥିଲେ କି ନାହିଁ ? କିମ୍ବା ସେମାନେ ନିଜେ ସଂକ୍ରମିତ କି ନୁହେଁ ତାହା ବଡ଼ ପ୍ରଶ୍ନ ହୋଇ ଉଭା ହୋଇଛି ।

୧ ମାର୍ଚ୍ଚରୁ ୧୫ ମାର୍ଚ୍ଚ ମଧ୍ୟରେ ନିଜାମୁଦ୍ଦିନ ତବଲିଗି ଜମାତ ମରକଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଦେଶର ୨୦ ରାଜ୍ୟ ଓ ବିଦେଶୀଙ୍କୁ ମିଶାଇ ପ୍ରାୟ ୧୯୦୦ ମୌଲବୀ ଯୋଗ ଦେଇଥିଲେ । ଯେଉଁଥିରେ ଆଣ୍ଡାମାନ, ଜମ୍ମୁ କଶ୍ମୀର, ଆସାମ, ବିହାର, ହରିୟାଣା, ହିମାଚଳ ପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ମେଘାଳୟ, ମଧ୍ୟପ୍ରଦେଶ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ଝାଡ଼ଖଣ୍ଡ, ତାମିଲନାଡ଼ୁ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ମୌଲବୀ ଯୋଗ ଦେଇଥିଲେ । ଧାର୍ମିକ ସମ୍ମିଳନୀ ସରିବା ପରେ ମୌଲବୀ ମାନେ ନିଜ ନିଜ ରାଜ୍ୟର ବିଭିନ୍ନ ସ୍ଥାନକୁ ଫେରି ଯାଇଥିଲେ ।

ସମ୍ମିଳନୀରେ ଯୋଗ ଦେଇଥିବା ଆଣ୍ଡାମାନ-ନିକୋବରର ୧୦ ଜଣଙ୍କୁ ମଧ୍ୟରୁ ୯ ଜଣଙ୍କ ଠାରୋ କରୋନା ପଜିଟିଭ ଓ କର୍ଣ୍ଣାଟକର ଜଣଙ୍କ ଠାରେ କରୋନା ପଜିଟିଭ ଆସିଛି । ଅନ୍ୟପଟେ ତେଲଙ୍ଗାନା ସରକାରଙ୍କ ଅନୁଯାୟୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଶ୍ରୀନଗରରେ ଜଣେ ମୌଲବୀଙ୍କ ମୃତ୍ୟୁ ହୋଇଛି ।

 

Leave a Reply