ନିୟମଗିରି ଅଞ୍ଚଳରେ ସୁରୁଖୁରୁରେ ମତଦାନ ସାବ୍ଯସ୍ତ କଲେ ଭୋଟର

ନନ୍ଦିଘୋଷ ବ୍ୟୁରୋ: ଚଳିତ ନିର୍ବାଚନରେ ମାଓ ଅଞ୍ଚଳ ଉପରେ ଥିଲା ସମସ୍ତଙ୍କ ନଜର । ତେବେ ମାଓଗଡ଼ ନିୟମଗିରି ଅଞ୍ଚଳରେ ସୁରୁଖୁରୁରେ ମତଦାନ ସାବ୍ଯସ୍ତ କରିଛନ୍ତି ଭୋଟର । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତର ୩୪ଟି ଗାଁ ପାଇଁ ଦୁଇଟି ବୁଥ ହୋଇଥିଲା । ବୁଡୁଣି ୧୬ଟି ଗାଁର ଓ ପାର୍ସାଲିରେ ୧୮ଟି ଗାଁର ଡଙ୍ଗରିଆ ମହିଳା ଓ  ପୁରୁଷ ଦେଇଛନ୍ତି ଭୋଟ । ମାଓବାଦୀ ଅଞ୍ଚଳ ହୋଇଥିବାରୁ ପାହାଡ଼ ଚାରିପଟେ ଯବାନମାନେ କମ୍ବିଂ ଅପରେସନ ଜୋରଦାର କରିଥିଲେ । ପ୍ରଥମ ଥର ଭୋଟ୍ ଦେଇଛନ୍ତି ତୁଳସୀଘାଟି ଭୋଟର । ମାଓବାଦୀଙ୍କ ନାଲିଆଖି ଯୋଗୁ ଗଣତନ୍ତ୍ରର ପର୍ବରେ ସାମିଲ ହୋଇପାରୁ ନଥିଲେ । ଏବେ କିନ୍ତୁ ମାଓ ଭୟ ନଥିବାରୁ ନିଶ୍ଚିନ୍ତରେ ଭୋଟ୍ ଦେଇଛନ୍ତି । ସେପଟେ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ହନୁମାଳ ମାଓ ଅଞ୍ଚଳରେ ପ୍ରଥମଥର ପାଇଁ ଭୋଟ ଦେଇଛନ୍ତି ଅଞ୍ଚଳବାସୀ । ଲମତାପୁଟ ବ୍ଲକର ୫୩ଟି ପୋଲିଙ୍ଗ ବୁଥରେ ଭୋଟ ଦେବାପାଇଁ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍ସାହ । ସେହିପରି କୋରାପୁଟ ଜିଲ୍ଲାର କୋଟିଆରେ ଶାନ୍ତି ଶୃଙ୍ଖଳାର ସହ ସରିଛି ଭୋଟିଂ । କୋଟିଆ ,ତଳକାଣ୍ଟି, ଫଗୁଣସିନେରି, ମାଡକାର୍, ଗଞ୍ଜେଇପଦର, ଗୁମେଲପଦର, ଥୁରିଆ, ଟାଉପଦର, ରଣାସିଂ ଠାରେ ଭୋଟ ଗ୍ରହଣ ପାଇଁ ୯ଟି ବୁଥ କରାଯାଇଥିଲା । ତେବେ ସବୁଠାରୁ ଉତ୍ସାହ ଦେଖିବାକୁ ମିଳିଥିଲା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ । ପ୍ରଥମଥର ପାଇଁ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇ ନିଜ ଅଞ୍ଚଳରେ ଭୋଟ ଦେଇଥିଲେ ସ୍ବାଭିମାନ ଅଞ୍ଚଳବାସୀ । ମାଓବାଦୀଙ୍କ ଭୟରେ ନିର୍ବାଚନରୁ ଅନେକ ସମୟରେ ବଞ୍ଚିତ ଥିବା ଭୋଟର ନିଜ ଅଞ୍ଚଳରେ ଭୋଟ ଦେଇ ଖୁସି ପ୍ରକାଶ କରିଛନ୍ତି । ନୂଆ ଭୋଟରଙ୍କଠାରୁ ଆରମ୍ଭ କରି ବୃଦ୍ଧ ଓ ମହିଳା ସଭିଏଁ ଲମ୍ବା ଧାଡ଼ିରେ ଯାଇ ମତାଧିକାର ସାବ୍ଯସ୍ତ କରିଥିଲେ ।