ମାଓଗଡରେ ସୁରୁଖୁରୁରେ ଚାଲିଛି ମତଦାନ, ଭୋଟ ଦେଉଛନ୍ତି ଡଙ୍ଗରିଆ

ରାୟଗଡା: ମାଓଗଡ଼ ନିୟମଗିରି ଅଞ୍ଚଳରେ ସୁରୁଖୁରୁରେ ଚାଲିଛି ମତଦାନ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତର ୩୪ଟି ଗାଁ ପାଇଁ ଦୁଇଟି ବୁଥରେ ମତଦାନ ଚାଲିଛି । ପାର୍ସାଲିରେ ୧୦୯ ନମ୍ବର ବୁଥ ଓ ବୁଡୁଣିରେ ୧୧୦ ନମ୍ବର ବୁଥରେ ଲୋକମାନେ ଭୋଟ ଦେଉଛନ୍ତି। ୧୦୯ ନମ୍ବର ବୁଥରେ ୧୧ ଶହ ୧୧ ଜଣ ଭୋଟର ଥିବା ବେଳେ ୧୧୦ ବୁଥରେ ୬୮୯ ଭୋଟର ଅଛନ୍ତି ।

ବୁଡୁଣି ବୁଥରେ ୧୬ଟି ଗାଁର ଡଙ୍ଗରିଆ ମହିଳା ଓ ପୁରୁଷ ମତଦାନ କରୁଥିବାବେଳେ ପାର୍ସାଲି ବୁଥରେ ୧୮ଟି ଗାଁର ଡଙ୍ଗରିଆ ମହିଳା ଓ ପୁରୁଷ ଭୋଟର ଭୋଟ ଦେଉଛନ୍ତି । ମାଓବାଦୀ ଇଲାକା ହୋଇଥିବାରୁ ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ପାହାଡ଼ ଚାରିପଟେ ଯବାନଙ୍କ କୁମ୍ବିଂ ଅପରେସନ ଚାଲିଛି। କିଛି ଦିନତଳେ ଡଙ୍ଗରିଆମାନେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ।

ଆଜି କିନ୍ତୁ ତାହା ଦେଖିବାକୁ ମିଳିନି। ଡଙ୍ଗରିଆ ମହିଳା ଓ ପୁରୁଷ ଭୋଟର ଲମ୍ବା ଧାଡ଼ିରେ ଯାଇ ମତଦାନ କରୁଛନ୍ତି। ନୂଆ ଭୋଟରଙ୍କ ମଧ୍ଯରେ ଉତ୍ସାହ ଦେଖିବାକୁ ମିଳିଛି । ମତଦାନ କେନ୍ଦ୍ରରେ ଭୋଟରଙ୍କ ପାଇଁ ଛାଇ ଓ ପାନୀୟଜଳର ବ୍ୟବସ୍ଥା କରାଯାଇଛି ।