ବିହାରରେ ଆଜି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମ୍ଭାବନା, କ୍ୟାବିନେଟ ବିସ୍ତାର କରିପାରନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ନନ୍ଦିଘୋଷ ବ୍ୟୁରୋ : ବିହାର ରାଜନୀତିରେ ହଲଚଲ। ବିହାରରେ ଆଜି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମ୍ଭାବନା।କ୍ଯାବିନେଟ ବିସ୍ତାର କରିପାରନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଅପରାହ୍ନ ୪ଟାରେ ହୋଇପାରେ ନୂଆ ମନ୍ତ୍ରୀଙ୍କ ନାମ ଘୋଷଣା। ୭ ନୂଆ ମୁହଁଙ୍କୁ ମିଳିପାରେ ମନ୍ତ୍ରୀପଦ। ବିଜେପିରୁ ହୋଇପାରନ୍ତି ଅଧିକ ମନ୍ତ୍ରୀ। ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ମୁଖ୍ୟମନ୍ତ୍ରୀ ନୀତିଶଙ୍କ ନୂଆ ରଣନୀତି ବୋଲି କୁହାଯାଉଛି।

ବିଜେପିରୁ ଜୀବେଶ ମିଶ୍ରା, ରାଜୁ ସିଂହ, ସଂଜୟ ସରାବଗୀ, କୃଷ୍ଣ କୁମାର ମଣ୍ଟୁ ଏବଂ ବିଜୟ ମଣ୍ଡଳ ମନ୍ତ୍ରୀ ହୋଇପାରନ୍ତି। ସେହିପରି ୨ ମନ୍ତ୍ରୀପଦ ସହଯୋଗୀ ଦଳକୁ ମିଳିପାରେ। ତେବେ ବିଧିବଦ୍ଧ ଭାବେ ଏହା ଏନଡିଏ ମେଣ୍ଟ ପକ୍ଷରୁ ଘୋଷଣା କରାଯାଇନାହିଁ। ବିହାରରେ ମୋଟ ୩୬ ଜଣ ମନ୍ତ୍ରୀ ହୋଇପାରନ୍ତି। ବିହାର ମନ୍ତ୍ରିମଣ୍ଡଳରେ ଏବେ ୩୦ ଜଣ ମନ୍ତ୍ରୀ ଅଛନ୍ତି। ଯେଉଁଥିରେ ବିଜେପିରୁ ୧୫, ଜେଡିୟୁର ୧୩, ହିନ୍ଦୁସ୍ତାନୀ ମୋର୍ଚ୍ଚାର ଜଣେ ଏବଂ ଜଣେ ସ୍ଵାଧୀନ ବିଧାୟକ ମନ୍ତ୍ରୀ ଅଛନ୍ତି। ଆଉ ୬ ଜଣ ସାମିଲ ହୋଇପାରନ୍ତି।

ତେବେ ବିଜେପିରୁ କୋଟାରୁ ମନ୍ତ୍ରୀ ଥିବା ଦିଲୀପ କୁମାର ଜୈସୱାଲ ମନ୍ତ୍ରୀପଦରୁ ଇସ୍ତଫା ଦେଇପାରନ୍ତି। ଏଭଳି ସ୍ଥିତିରେ ୭ ବିଧାୟକ ମନ୍ତ୍ରୀ ହୋଇପାରନ୍ତି। ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମଧ୍ୟରେ ଆଲୋଚନା ପରେ ନୂଆମନ୍ତ୍ରି ନେଇ ସହମତି ହୋଇଥିବା ଶୁଣିବାକୁ ମିଳୁଛି। ନିର୍ବାଚନ ପୂର୍ବରୁ ଜାତୀୟ ସମୀକରଣ ପ୍ରସ୍ତୁତ କରିବାକୁ ଉଦ୍ୟମ କରାଯାଉଛି। ସେଥିଲାଗି ସବୁ ବର୍ଗରୁ ସଦସ୍ୟଙ୍କୁ ମନ୍ତ୍ରିପଦ ଦେବାକୁ ଉଦ୍ୟମ କରାଯାଇଛି। ଏହା ପୂର୍ବରୁ ଅନେକ ଥର କ୍ଯାବିନେଟ ସମ୍ପ୍ରସାରଣ ନେଇ ଚର୍ଚ୍ଚା ହୋଇଥିଲେ ମଧ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରିନଥିଲା।