ନିଜକୁ ପ୍ରାସଙ୍ଗିକ ରଖିବା ପାଇଁ ନୀତିଶ ଖେଳିଲେ ମଣ୍ଡଳ ପାର୍ଟ-୨ କାର୍ଡ, ଭାଜପାକୁ ହାଲକା ଚେକମେଟ୍

ପାଟନା : ଶତ ସମ୍ଭାବନାର ତୀର୍ଥକ୍ଷେତ୍ର ରାଜନୀତି । ଘଟଣା ଛୋଟ ହେଉ କି ବଡ଼ ହେଉ, ସେଥିରୁ ସମୟୋପଯୋଗୀ ଲାଭ ଉଠାଇବା ହିଁ ରାଜନୈତିକ ଚତୁରତା । ହେଲେ ଏହି ଚତୁରତା ସବୁ ରାଜନେତା ପ୍ରତିପାଦିତ କରିପାରନ୍ତି ନାହିଁ । ସମୟକୁ ପଢି ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜନୈତିକ ପଦକ୍ଷେପ ନେବା ହିଁ  ବୁଦ୍ଧିମାନର କାର୍ଯ୍ୟ ହୋଇଥାଏ । ହେଲେ ଏହା କେତେ ପରିମାଣରେ ଫଳବତୀ ହେଉଛି, ତାହା ତ ସମୟ କହିବ ।

୩ ଦିନ ତଳେ ବିହାର ପଶ୍ଚିମ ଚମ୍ପାରଣର ବାଲ୍ମୀକୀ ନଗର ଲୋକସଭା ଆସନ ପାଇଁ ଏକ ରାଜନୈତିକ ସଭା ଅନୁଷ୍ଠିତ ହୋଇଥିଲା । ଏହି ଆସନରୁ ପ୍ରତିନିଧିତ୍ୱ କରିଥିବା ବୈଦ୍ୟନାଥ ମହତୋଙ୍କ କିଛିମାସ ପୂର୍ବେ ଦେହାନ୍ତ ହୋଇଥିଲା । ତେଣୁ ବିହାର ବିଧାନସଭା ନିର୍ବାଚନ ସହ ଏହି ଲୋକ ସଭା ଆସନରେ ଉପନିର୍ବାଚନ ମଧ୍ୟ ଅନୁଷ୍ଠିତ ହେଉଛି । ଏଥିରେ ଜେଡିୟୁ ପକ୍ଷରୁ ସ୍ୱର୍ଗତ ବୈଦ୍ୟନାଥଙ୍କ ପୁତ୍ର ସୁନୀଲ କୁମାର ଜେଡିୟୁ ପ୍ରାର୍ଥୀ ହୋଇଛନ୍ତି । ହେଲେ ୨୪୩ ବିଧାନସଭା ଆସନ ନିର୍ବାଚନ ସମୟରେ ଏହି ଲୋକସଭା ଆସନରେ ପ୍ରଚାରକୁ ନେଇ କାହିଁକି ଏତେ ଗୁରୁତ୍ୱ ଦିଆଯାଉଛି । ହଁ ଦଶର୍କବନ୍ଧୁ । ଦେଢ ଦଶନ୍ଧିରୁ ଅଧିକ ସମୟ ଧରି ମେଣ୍ଟ ରାଜନୀତିର ଚମ୍ପିୟାନ ବୋଲାଉଥିବା ନୀତିଶ ୨୦୨୦ ବିଧାନସଭା ନିର୍ବାଚନରେ ଫସି ଯାଇଛନ୍ତି । ସେ ପ୍ରତିନିଧିତ୍ୱ କରୁଥିବା ପଛୁଆବର୍ଗ ତଥା କୃମି ସମାଜ ଭୋଟ ତାଙ୍କ ହାତରୁ ଖସୁଥିବା ଅନୁଭବ କରୁଛନ୍ତି । ଭାଜପା ସହ ରହିବାକୁ ହେଲେ ନିଜ ରାଜନୈତିକ ଭିତ୍ତି ସୁଦୃଢ କରିବାକୁ ପଡ଼ିବ । ତେଣୁ ଭବିଷ୍ୟତର ରାଜନୈତିକ ସମ୍ଭାବନାକୁ ଦେଖି ନୀତିଶ ସେହି ସଭାରେ ଏମିତି କିଛି ପରୋକ୍ଷରେ ଇସାରା ଦେଲେ, ଯାହା ଭାଜପାକୁ ହରଡ଼ଘଣାରେ ପକାଇବ । ନୀତିଶ ନିଜର ୧୫ ବର୍ଷର ବିକାଶ କଥା କହିବା ସହ ଜାତି ଆଧାରରେ ଜନଗଣନା ହେଉ ବୋଲି ମନ୍ତବ୍ୟ ଦେଇଥିଲେ । ଏଥିପାଇଁ ସେ ପୂର୍ବରୁ ବିଧାନସଭାରେ ସଂକଳ୍ପ ପ୍ରସ୍ତାବ ମଧ୍ୟ ଗୃହୀତ କରାଇ ସାରିଛନ୍ତି । ହେଲେ ଜାତିଭିତ୍ତିକ ଜନଗଣନା ସେ କହିପାରିବେ, ହେଲେ ଏହା ତାଙ୍କ ହାତରେ ନାହିଁ ବୋଲି ନୀତିଶ ଉଲ୍ଲେଖ କରିଥିଲେ । ଏହା ହିଁ ଭବିଷ୍ୟତରେ ନୀତିଶଙ୍କ ସହଯୋଗୀ ଥିବା ଭାଜପାକୁ ଅଡୁଆରେ ପକାଇବ ବୋଲି ରାଜନୈତିକ ସମୀକ୍ଷକମାନେ କହିଲେଣି ।

ନୀତିଶଙ୍କ ବକ୍ତବ୍ୟ ୯୦ ଦଶକରେ ସେହି ବହୁ ଚର୍ଚ୍ଚିତ ବାକ୍ୟ ଯିସକି ଯିତନି ଭାଗିଦାରୀ, ଉସକା ଇତନା ହିସେଦାରୀକୁ ପୁର୍ନଜୀବିତ କରିଛି । ଖାଲି ନୀତିଶ ଯେ ପଛୁଆବର୍ଗ ରାଜନୀତି କରୁଛନ୍ତି ତାହା ନୁହେଁ । ବିଜେପି ନେତା ସୁଶୀଲ ମୋଦି ମଧ୍ୟ ଏଥିରେ ପଛରେ ନାହାନ୍ତି । ସେ ରାଜପୁତମାନଙ୍କ ଓକିଲାତି କରିବା ଆରମ୍ଭ କରିଦେଇଛନ୍ତି । ଆରଜେଡି ନେତା ତେଜସ୍ୱୀ ଯାଦବ ଗତ ସପ୍ତାହରେ ବାବୁ ସାହବଙ୍କ ସାମନାରେ ନିଜକୁ ଛିଡା କରି ପାରୁ ନ ଥିଲେ ବୋଲି କହିଥିଲେ ।

ହେଲେ ଲାଲୁ ଯାଦବଙ୍କ ଶାସନ କାଳରେ ହିଁ ପଛୁଆବର୍ଗ ଓ ବହୁଜନ ଲୋକମାନେ ଆଖି ମିଶାଇ କଥା ହୋଇ ପାରିଥିଲେ ବୋଲି ବକ୍ତବ୍ୟ ଦେଇଥିଲେ । ସୁଶୀଲ ମୋଦି ବାବୁ ସାହବ ଶବ୍ଦକୁ ରାଜପୁତଙ୍କ ସହ ଯୋଡି, ତେଜସ୍ୱୀ ରାଜପୁତଙ୍କ ଅବମାନନା କରୁଥିବା ଉଲ୍ଲେଖ କରିଥିଲେ । ହେଲେ ଏହାର ପ୍ରତି ଉତ୍ତର ରଖିବାକୁ ଯାଉ ତେଜସ୍ୱୀ କହିଥିଲେ, ବାବୁ ସାହେବର ଅର୍ଥ ଅଫିସର । ଅଫିସରମାନଙ୍କୁ ଉପଲକ୍ଷ୍ୟ କରି ସେ ସେହି ମନ୍ତବ୍ୟ ଦେଇଥିଲେ, ରାଜପୁତଙ୍କ ପାଇଁ ନୁହେଁ । ସେ ଯାହାବି ହେଉ ସୁଯୋଗ ମିଳିଲେ ଜାତି ଆଧାରରେ ରାଜନୀତି କରିବାକୁ ଭାଜପା କି ଆରଜେଡି ପଛଘୁଞ୍ଚା ଦେଉ ନାହାନ୍ତି । ଆରଜେଡିକୁ ଭୂରାବାଲ(ଭୂମିୟାର, ରାଜପୁତ,ବ୍ରାହ୍ମଣ ଏବଂ କାୟସ୍ଥ) ବିରୋଧୀ ବୋଲି ସୁଶୀଲ ମୋଦି ଅଭିହିତ କରିଥିଲେ ।

ସେହିପରି ୨୦୧୫ ନିର୍ବାଚନରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ ସଂରକ୍ଷଣ ଉପରେ ବିଚାର କରିବାକୁ ମତ ରଖିଥିଲେ । ଏଥିପାଇଁ ଏକ ଅଣ ରାଜନୈତିକ କମିଟି ଗଠନ କରିବା ପାଇଁ ମଧ୍ୟ କହିଥିଲେ । ତାହାର ଫଳାଫଳ କଣ ହୋଇଥିଲା । ତାହା ସମସ୍ତଙ୍କୁ ଜଣା । ଏହାର କିଛିବର୍ଷ ପରେ ସିଧାସଳଖ ସଂରକ୍ଷଣ ବିଷୟରେ ନ କହି ପରୋକ୍ଷରେ ଭାଗବତ ସାମାନ୍ୟ ଭିନ୍ନମତ ରଖିଥିଲେ । ସେ କହିଥିଲେ ଯେ, ସଂରକ୍ଷଣର ସୁବିଧା ସମସ୍ତଙ୍କୁ ମିଳୁନି । ଏହାକୁ ସୁପ୍ରିମକୋର୍ଟ ମଧ୍ୟ ମାନିଛନ୍ତି । ହେଲେ ଯେତେଦିନ ପର୍ଯ୍ୟନ୍ତ ଆବଶ୍ୟକତା ରହିଛି, ସେମାନଙ୍କୁ ସଂରକ୍ଷଣ ମିଳୁ ବୋଲି ମୋହନ ମତ ରଖିଥିଲେ ।

ଚଳିତ ବିହାର ନିର୍ବାଚନ ପ୍ରଚାରକୁ ଅନୁଶୀଳନ କଲେ ଏହା ସ୍ପଷ୍ଟ ଯ଼େ, ସଂରକ୍ଷଣ ଅପେକ୍ଷା ରୋଜଗାର ପ୍ରସଙ୍ଗ ଜୋର ଧରିଛି । ତେଣୁ ନୀତିଶ ବର୍ତ୍ତମାନ ପ୍ରସଙ୍ଗବିହୀନ ହୋଇଥିବାରୁ ସଂରକ୍ଷଣ ପ୍ରସଙ୍ଗ ଉଠାଉଛନ୍ତି । କାରଣ ଦୀର୍ଘ ୪ ଦଶନ୍ଧିର ରାଜନୈତିକ  ଅନୁଭବ ରଖିଥିବା ନୀତିଶ କୁମାର ତୁଚ୍ଛାରେ କୌଣସି ମନ୍ତବ୍ୟ ଦେଇ ନ ଥାଆନ୍ତି । ତେଣୁ ନିଜର ରାଜନୈତିକ ଭବିଷ୍ୟତକୁ ବଞ୍ଚାଇ ରଖିବା ପାଇଁ ଜନସଂଖ୍ୟା ଆଧାରରେ ଜନଗଣନା ସପକ୍ଷରେ ମତ ରଖିଛନ୍ତି ।

Leave a Reply