ଆଜି ବିହାରର ମେଣ୍ଟ ସରକାର ଦେବ ସଂଖ୍ୟା ଗରିଷ୍ଠତା ପ୍ରମାଣ

ପାଟନା: ଆଜି ବିହାରର ମହାଗଠବନ୍ଧନ ସରକାର ଦେବ ସଂଖ୍ୟା ଗରିଷ୍ଠତା ପ୍ରମାଣ । ଦୁଇ ସପ୍ତାହ ତଳେ ବିଜେପି ସହ ସମ୍ପର୍କ ଛିନ୍ନ କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୁଖ୍ୟ ସହଯୋଗୀ ଆରଜେଡି ସହ ମିଶି ଗଠନ କରିଥିଲେ ସରକାର । ସରକାରରେ ରହିଛନ୍ତି କଂଗ୍ରେସ ଓ ବାମପନ୍ଥୀ ଦଳ । ତେବେ ସହଜ ସ୍ଥିତିରେ ମୁଖ୍ୟମନ୍ତ୍ରୀ ନୀତୀଶ ରହିଛନ୍ତି । ଗତ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ଗଠିତ ହୋଇଥିଲା ୩୧ ଜଣିଆ ମନ୍ତ୍ରିମଣ୍ଡଳ । ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ମହାଗଠବନ୍ଧନରେ ଅଛନ୍ତି ୧୬୪ ସଦସ୍ୟ । ଆରଜେଡିର ୭୯, ଜେଜିୟୁର ୪୫, କଂଗ୍ରେସର ୧୯, ସିପିଆଇଏମଏଲର ୧୨, ହାମର ୪, ସିପିଆଇର ୨, ସିପିଏମର ୨ ଓ ଜଣେ ସ୍ବାଧୀନ ବିଧାୟକ ଅଛନ୍ତି ।

ସେହିପରି ବିରୋଧୀ ବିଜେପିର ସଦସ୍ୟ ସଂଖ୍ୟା ରହିଛି ୭୭ । ମନ୍ତ୍ରିମଣ୍ଡଳରେ ଆରଜେଡିରୁ ୧୬ ଜଣ ଥିବାବେଳେ ଜେଡିୟୁର ୧୧ ଜଣ ଅଛନ୍ତି । ନୀତୀଶ ନିଜ ହାତରେ ଗୃହ ବିଭାଗ ରଖିଥିବାବେଳେ ତେଜସ୍ୱୀଙ୍କ ହାତରେ ରହିଛି ସ୍ୱାସ୍ଥ୍ୟ, ସଡ଼କ ନିର୍ମାଣ, ସହରାଞ୍ଚଳ ବିକାଶ, ଗୃହନିର୍ମାଣ ଓ ଗ୍ରାମୀଣ ବିକାଶ । ତେଜସ୍ୱୀଙ୍କ ଭାଇ ତେଜପ୍ରତାପଙ୍କ ହାତରେ ରହିଛି ପରିବେଶ ବିଭାଗ । ସେପଟେ ଫ୍ଲୋର ଟେଷ୍ଟ ପୂର୍ବରୁ ଆରଜେଡି ନେତାଙ୍କ ଘରେ ରେଡ୍ କରିଛି ସିବିଆଇ । ନିଯୁକ୍ତି ନାଁରେ ଦୁର୍ନୀତି ଅଭଯୋଗରେ ଆରଜେଡି ଏମଏଲସି ସୁନିଲ ସିଂଙ୍କ ଘରେ ରେଡ୍ କରିଛି କେନ୍ଦ୍ରୀୟ ଏଜେନ୍ସି । ତେବେ ଉଦ୍ଦେଶ୍ୟମୂଳକ ଭାବେ ଏହି ରେଡ୍‌ କରାଯାଇଥିବା ଆରଜେଡି ନେତା ସୁନିଲ କହିଛନ୍ତି ।