ଆଜିଠୁ ବିହାରରେ ନୂଆ ସରକାର, ଅପରାହ୍ନ ୨ଟାରେ ଶପଥ ନେବେ ନୀତୀଶ କୁମାର

ପାଟନା: ଆଜି ବିହାରରେ ଶପଥ ନେବ ନୂଆ ସରକାର । ଆରଜେଡି ସହିତ ପୁଣି ଇନିଂସ ଆରମ୍ଭ କରିବେ ନୀତୀଶ କୁମାର । ଆଜି ଅପରାହ୍ନ ୨ଟାରେ ଶପଥ ଗ୍ରହଣ ଉତ୍ସବ ହେବ । ଆଜି କେବଳ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଏବଂ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ । ପରେ ଉଭୟ ଦଳରୁ ୧୪ ଜଣ ଲେଖାଏ ବିଧାୟକ ମନ୍ତ୍ରୀ ପଦର ଶପଥ ନେବେ । ନୂଆ ସରକାର ପାଇଁ ୭ଟି ଦଳର ୧୬୪ ବିଧାୟକଙ୍କ ସମର୍ଥନ ଥିବା ନୀତୀଶ କହିଛନ୍ତି ।

ସେପଟେ ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ । ବିଜେପି ସହ ଯିଏ ବି ମେଣ୍ଟ କରିଛି, ସେ ଧ୍ୱଂସ ହୋଇଯାଇଛି । ବିରୋଧୀଙ୍କୁ ଶେଷ କରିଦେବାକୁ ବିଜେପି ଷଡ଼ଯନ୍ତ୍ର କରେ । ବିଧାୟକଙ୍କୁ କିଣାବିକା କରେ । ବିକାଶ ନାଁରେ ବିଜେପି ବିନାଶ କରେ ବୋଲି ତେଜସ୍ୱୀ କହିଛନ୍ତି । ବିହାରର ବିକାଶ ପାଇଁ ନୀତୀଶ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସ୍ୱାଗତ ଯୋଗ୍ୟ । ବର୍ତ୍ତମାନ ଯେଉଁ ସରକାର ଗଠନ ହେବାକୁ ଯାଉଛି ଏହା ହିଁ ପ୍ରକୃତ ଜନାଦେଶ । ବିହାରବାସୀ ଯାହା ଚାହୁଁଥିଲେ ସେୟା ହେଲା । ଏବେଠୁ ବିହାର ବିକାଶର ନୂଆ କାହାଣୀ ଲେଖାଯିବ ବୋଲି ତେଜସ୍ୱୀ କହିଛନ୍ତି । ଗତକାଲି ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହିତ ନୂଆ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ ନୀତୀଶ କୁମାର ଓ ତେଜସ୍ୱୀ ଯାଦବ ।