ନୀତୀଶଙ୍କ ମିଶନ-୨୦୨୪, କାଲି ରାହୁଲଙ୍କ ପରେ ଆଜି ସୀତାରାମ ୟେଚୁରୀଙ୍କୁ ଭେଟିଲେ ନୀତୀଶ

ନୂଆଦିଲ୍ଲୀ: ନୀତୀଶଙ୍କ ‘ମିଶନ ୨୦୨୪’ । ବିରୋଧୀ ଏକତା ଓ ଆଗାମୀ ଲୋକସଭା ନିର୍ବାଚନ ରଣନୀତିକୁ ନେଇ ଦିଲ୍ଲୀରେ ହଲଚଲ । ନୀତୀଶ କୁମାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଥିବା ବେଳେ ବିଭିନ୍ନ ଦଳ ମୁଖ୍ୟଙ୍କୁ ଭେଟି ଆଗାମୀ ଲୋକସଭା ନିର୍ବାଚନ ରଣନୀତି ନେଇ ଆଲୋଚନା କରିଛନ୍ତି । ଗତକାଲି ରାହୁଲ ଗାନ୍ଧୀଙ୍କୁ ଭେଟି ବିରୋଧୀ ଏକତାକୁ ନେଇ ଦୀର୍ଘ ୪୫ ମିନିଟ ଧରି ଆଲୋଚନା କରିଥିଲେ । ଆଜି ସିପିଏମ ନେତା ସୀତାରାମ ୟେଚୁରୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ନୀତୀଶ । ଉଭୟଙ୍କ ମଧ୍ୟରେ ଆଲୋଚନା ପରେ ପ୍ରେସମିଟ କରି ଏ ନେଇ ସୂଚନା ଦେଇଛନ୍ତି ।

ଦେଶର ସବୁ ବିରୋଧୀ ଦଳ ଏକାଠି ହୋଇପାରିଲେ ୨୦୨୪ରେ କେନ୍ଦ୍ର ବିରୋଧରେ ସ୍ୱର ଶାଣିତ ହେବ ବୋଲି ନୀତୀଶ କହିଛନ୍ତି । ସୀତାରାମ ୟେଚୁରୀଙ୍କ ସହ ଭେଟଘାଟକୁ ନେଇ ନୀତୀଶ କହିଛନ୍ତି, ସିପିଆଇ ସହ ଜେଡିୟୁର ସମ୍ପର୍କ ବହୁ ପୁରୁଣା । ଜେଡିୟୁକୁ ସିପିଆଇ ସବୁବେଳେ ସମର୍ଥନ ଦେଇଛି । ଏଥର ସବୁ ବିରୋଧୀଙ୍କୁ ଏକାଠି କରିବାକୁ ଯୋଜନା ଚାଲିଛି ବୋଲି ନୀତୀଶ କହିଛନ୍ତି । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ସମେତ ଏନସିପି ମୁଖ୍ୟ ଶରଦ ପାଓ୍ୱାର, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରମୁଖଙ୍କୁ ନୀତୀଶ ଭେଟିବା କାର୍ଯ୍ୟକ୍ରମ ରହିଛି ।