ମୁଖ୍ୟମନ୍ତ୍ରୀଭାବେ ନୀତୀଶ କୁମାରଙ୍କ ଶପଥ ଗ୍ରହଣ: ଶୁଭେଚ୍ଛା ଜଣାଇଲେ ନବୀନ

2 min read

ପାଟଣା: ଆରମ୍ଭ ହେଲା ନୀତୀଶଙ୍କ ନୂଆ ଇନିଂସ । ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି ନୀତୀଶ କୁମାର । ରାଜ୍ୟପାଳ ଫାଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତାଙ୍କ ସହ ମନ୍ତ୍ରୀଭାବେ ତାର କିଶୋର ପ୍ରସାଦ ଓ ରେଣୁ ଦେବୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଉଭୟଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯିବ । ତେବେ ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ ସହ ରେଣୁ ଦେବୀ ହେବେ ବିହାରର ପ୍ରଥମ ମହିଳା ଉପ-ମୁଖ୍ୟମନ୍ତ୍ରୀ । ଏମାନଙ୍କ ବ୍ୟତୀତ ଜେଡିୟୁ ନେତା ବିଜୟ କୁମାର ଚୌଧୁରୀ, ବିଜେନ୍ଦ୍ର ପ୍ରସାଦ ଯାଦବ, ଅଶୋକ ଚୌଧୁରୀ ଏବଂ ମେଓ୍ୱା ଲା ଚୌଧୁରୀ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏବଂ ହିନ୍ଦୁସ୍ତାନୀ ଆଓ୍ୱାନ ମୋର୍ଚ୍ଚା ମୁଖ୍ୟ ଜିତେନ ରାମ ମାଝୀଙ୍କ ପୁଅ ସନ୍ତୋଷ କୁମାର ସୁମନ, ବିକାଶଶୀଳ ଇନ୍‌ସାନ୍ ପାର୍ଟି (ଭିଆଇପି)ର ମୁକେଶ ସାହାନୀ ମଧ୍ୟ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି । ସେହିପରି ଭାରତୀୟ ଜନତା ପାର୍ଟି (ବିଜେପି) ର ମଙ୍ଗଳ ପାଣ୍ଡେ, ଅମରେନ୍ଦ୍ର ପ୍ରତାପ ସିଂହ ବିହାର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ଥିବା ବେଳେ ବିରୋଧୀ କଂଗ୍ରେସ ଓ ଆରଜେଡି ଶପଥ ଗ୍ରହଣ ସମାରୋହକୁ ବୟକଟ୍ କରିଛନ୍ତି ।

ଅପରପକ୍ଷରେ ଲଗାତାର ଚତୁର୍ଥ ଥର ପାଇଁ ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ନୂଆ ସରକାରକୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply