ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ ନୀତିଶ: ନୂଆ ସରକାର ଗଠନ ପାଇଁ ରଖିଲେ ଦାବି

ପାଟନା: ବିଜେପି ସହ ମେଣ୍ଟରୁ ଜେଡିୟୁ ଅଲଗା ହେବା ପରେ ଏବେ ନୀତିଶ କୁମାର ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଇଛନ୍ତି । ଅପରାହ୍ନରେ ରାଜଭବନ ପହଞ୍ଚି ସେ ରାଜ୍ୟପାଳ ଫଗୁ ଚୌହ୍ୱାନ ଙ୍କୁ ଇସ୍ତଫାପତ୍ର ଦେଇଛନ୍ତି । ଏଥିସହ ନୂଆ ସରକାର ଗଠନ ନେଇ ନୀତୀଶ ରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଇଛନ୍ତି । ୧୬୦ ବିଧାୟକଙ୍କ ସମର୍ଥକଙ୍କ ସହ ସେ ସରକାର ଗଠନ ପାଇଁ ଦାବି କରିଛନ୍ତି । ଏବେ ସେ ଆରଜେଡି, କଂଗ୍ରେସ ଏବଂ ବାମଦଳ ସହ ମିଶି ସରକାର ଗଢ଼ିବେ । ଇସ୍ତଫା ଦେବାର ତୁରନ୍ତ ପରେ ନୀତିଶ ଆରଜେଡି ନେତା ନୀତିଶ କୁମାରଙ୍କ ଘରେ ପହଞ୍ଚିଛନ୍ତି । ସରକାର ଗଠନ ଉପରେ ତାଙ୍କ ସହ ବିଚାର ବିମର୍ଶ ଜାରି ରହିଛି ।

ଆଜି ପାଟନାସ୍ଥିତ ସିଏମ ବାସଭବନରେ ବସିଥିବା ଜେଡିୟୁ ବୈଠକରେ ବିଜେପି ସହ ମେଣ୍ଟ ଭାଙ୍ଗିବର ନେଇ ନିଷ୍ପତ୍ତି ହୋଇଥିଲା । ଅନ୍ୟପଟେ ବିହାର ରାଜନୀତିରେ ଦେଖାଦେଇଥିବା ଅସ୍ଥିରତାକୁ ନେଇ କୌଣସି ମନ୍ତବ୍ୟ ନଦେବାକୁ ନିଜ ଦଳର ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛି ବିଜେପି । ଆଜି ସନ୍ଧ୍ୟା ୫ଟାରେ କୋର କମିଟି ବୈଠକ ଡାକିଛି ବିଜେପି । ତେବେ କୁହାଯାଉଛି ଯେ ମାମେଣ୍ଟରେ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଭାବେ ନୀତିଶ ରହିବେ ସେହିପରି ଆରଜେଡିର ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ହେବେ ଓ କଂଗ୍ରେସକୁ ବାଚସ୍ପତି ପଦ ମିଳିପାରେ ।

୨୦୨୦ ବିହାର ବିଧାନସଭା ନିର୍ବାଚନରେ ଜେଡିୟୁକୁ ୪୫ ଆସନ ମିଳିଥିବା ବେଳେ ବିଜେପିକୁ ୭୭ ଆସନ ମିଳିଥିଲା । କମ୍ ଆସନ ଜିତିଥିଲେ ବି ବିଜେପି ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସହମତ ହୋଇଥିଲା । ସେହିପରି ଆରଜେଡିକୁ ୭୯ ଓ କଂଗ୍ରେସକୁ ୧୯ ଟି ଆସନ ମିଳିଥିଲା । ଏହାସହ ଆରଜେଡି ମେଣ୍ଟରେ ଥିବା ବାମଦଳକୁ ୧୬ ଟି ଆସନ ମିଳିଥିଲା । ବିହାରରେ ବହୁମତ ସଂଖ୍ୟା ୧୨୨ ରହିଛି । ବିଜେପି ଓ ଜେଡିୟୁ ୧୨୫ ବିଧାୟକଙ୍କ ସହ ସରକାର ଗଢ଼ିଥିଲେ । ଏବେ ଜେଡିୟୁ ଆରଜେଡି, କଂଗ୍ରେସ ଓ ବାମଦଳ ସହ ୧୬୦ ସଦସ୍ୟଙ୍କ ସହ ସରକାର ଗଢ଼ିବ । ଆଜି ସନ୍ଧ୍ୟାରେ ମେଣ୍ଟ ସରକାର ଗଠନ ନେଇ ହୋଇପାରେ ଘୋଷଣା ।