ବିହାର ରାଜନୀତି: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର

ପାଟନା: ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ରାଜ୍ୟପାଳଙ୍କୁ ଭେଟି ଦେଲେ ଇସ୍ତଫା ପତ୍ର । ବିଜେପି ସମର୍ଥନରେ ପୁଣି ଗଢ଼ିବେ ସରକାର । ନବମ ଥର ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର । ଆଜି ସନ୍ଧ୍ୟାରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ନେଇ ପାରନ୍ତି ଶପଥ ।

ନୀତୀଶଙ୍କ ଇସ୍ତଫା ‘ଇଣ୍ଡିଆ’ ମେଣ୍ଟକୁ ଜୋରଦାର ଝଟକା ଦେଇଛି । ୨୮ ବିରୋଧୀ ଦଳ ମିଶି ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ହଟାଇବାକୁ କରିଥିବା ମେଣ୍ଟ ଏକ ପ୍ରକାର ଭାଙ୍ଗିବା ପରି ହୋଇଯାଇଛି । ୨୦୧୯ ନିର୍ବାଚନରେ ଏନଡିଏ ମେଣ୍ଟରୁ ଜିତି ସରକାର ଗଢ଼ିଥିବା ଜେଡିୟୁ ନେତା ନୀତୀଶ, ବିଜେପିକୁ ବାଏ ବାଏ କହି ଆରଜେଡି ସାଙ୍ଗରେ ମିଶି ସରକାର ଗଢ଼ିଥିଲେ । ଏବେ ପୁଣି ଆରଜେଡିକୁ ଛାଡି ପୁରୁଣା ମେଣ୍ଟ ଦଳ ବିଜେପି ସମର୍ଥନରେ ସରକାର ଗଢ଼ିବାକୁ ଯାଉଛନ୍ତି ।

ଇସ୍ତଫା ଦେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନୀତୀଶ କହିଛନ୍ତି, ‘ମୁଁ କାମ କରୁଥିଲି, ହେଲେ ମୋତେ କାମ କରିବାକୁ ଦିଆଗଲା ନାହିଁ । ଯାହା ରାଜ୍ୟବାସୀଙ୍କୁ ଦୁଃଖିତ କରୁଥିଲା । ଆଜି ମୁଁ ଇସ୍ତଫା ଦେଇ ଦେଇଛି । ନିଜ ଲୋକ, ଦଳର ନିଷ୍ପତ୍ତିକୁ ଶୁଣିଲି ଓ ଇସ୍ତଫା ଦେଲି । ବର୍ତ୍ତମାନର ସରକାରର ଅନ୍ତ ଘଟିଛି । ପୂର୍ବତନ ସହଯୋଗୀ ଦଳ ଏବେ ନିଷ୍ପତ୍ତି ନେବେ ଆଗକୁ କ’ଣ ହେବ ।

ଇଣ୍ଡିଆ ମେଣ୍ଟର ଏବେ କ’ଣ ହେବ ?

ସୂଚନାଯୋଗ୍ୟ, ବିଜେପି ମୋହ ଭାଙ୍ଗି ଆରଜେଡି ସହ ସରକାର ଗଢ଼ିବା ପରେ ନୀତୀଶ ହିଁ ଥିଲେ ସେହି ନେତା ଯିଏ ଇଣ୍ଡିଆ ମେଣ୍ଟକୁ ଆଗକୁ ବଢ଼ାଇଥିଲେ । ବିଭିନ୍ନ ରାଜ୍ୟ ଗସ୍ତ କରିବା ସହ ଜାତୀୟ ଓ ଆଞ୍ଚଳିକ ଦଳଙ୍କ ସହ ବିଜେପି ବିରୋଧୀ ଇଣ୍ଡିଆ ମେଣ୍ଟ ଗଢ଼ିବାକୁ ଉଦ୍ୟମ ଆରମ୍ଭ କରିଥିଲେ । ତାଙ୍କରି ଉଦ୍ୟମରେ ୨୮ ଦଳ ଗୋଟିଏ ଛତା ତଳେ ଏକାଠି ହୋଇ ବିଜେପିକୁ ୨୦୨୪ ସାଧାରଣ ନିର୍ବାଚନରେ ହରାଇବାକୁ ସ୍ବପ୍ନ ଦେଖିବାକୁ ଆରମ୍ଭ କରିଥିଲେ । ତେବେ ଇଣ୍ଡିଆ ମେଣ୍ଟର ସୂତ୍ରଧାର କୁହାଯାଉଥିବା ନୀତୀଶ ବିଜେପି କ୍ୟାମ୍ପକୁ ଫେରିବା ଇଣ୍ଡିଆ ମେଣ୍ଟକୁ ଶକ୍ତ ଧକ୍କା ଦେଇଛି । ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବାକୁ ଘୋଷଣା କରି ଇଣ୍ଟିଆ ମେଣ୍ଟକୁ ବ୍ୟାକଫୁଟକୁ ପଠାଇ ଦେଇଥିବା ବେଳେ ନୀତୀଶଙ୍କ ୟୁଟର୍ଣ୍ଣ ଏହାର ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛି ।

ସେପଟେ ନୀତୀଶ କୁମାର ଇସ୍ତଫା ଦେବା ପରେ ଏନଡିଏ ସମର୍ଥନରେ ନୂଆ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । କୁହାଯାଉଛି ଜେଡିୟୁ ବିଧାୟକ ଦଳ ବୈଠକ ମଧ୍ୟରେ ନୀତୀଶ, ବିଜେପିର ବରିଷ୍ଠ ନେତାଙ୍କ ସହ ଫୋନରେ କଥା ହୋଇଛନ୍ତି । ଏହା ମଧ୍ୟରେ ଶପଥ ଗ୍ରହଣ ପାଇଁ ରାଜଭବନରେ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି ।

କେବଳ ଜେଡିୟୁ ନୁହେଁ, ବିଜେପିର ମଧ୍ୟ ବିଧାୟକ ଦଳ ବୈଠକ ଆଜି ବସିଥିଲା । ଏଥିରେ ବିଧାୟକଙ୍କ ଦସ୍ତଖତ ନିଆଯାଇଛି । କିଛି ସମୟ ମଧ୍ୟରେ ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀ ଆବାସରେ ପହଞ୍ଚି ଯିବେ । ଯେଉଁଠି ଏନଡିଏ ବିଧାୟକ ଦଳ ବୈଠକରେ ନୀତୀଶ କୁମାରଙ୍କୁ ବିଧାୟକ ଦଳ ନେତା ଭାବେ ବଛାଯିବ ।