ପୁଣି ଡେଇଁବେ କି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ?

ନନ୍ଦିଘୋଷ ବ୍ୟୁରୋ: ମଣିପୁରରେ ବିଜେପି ସରକାରକୁ ବଡ଼ ଝଟକା। ସମର୍ଥନ ପ୍ରତ୍ୟାହାର କରିଛି ନୀତିଶ କୁମାରଙ୍କ ଜେଡିୟୁ। ଯଦିଓ ସେଠାକାର ବିଜେପି ସରକାର ପ୍ରତି ତୁରନ୍ତ ବିପଦ ନାହିଁ, ତେବେ ନୀତିଶ କୁମାରଙ୍କ ମନରେ କଣ ଅଛି, ତାକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା। ଦିଲ୍ଲୀରେ ଓ ବିହାରରେ ଏପରି ପଲଟି ମାରିବେନି ତ ନୀତିଶ କୁମାର, ସମସ୍ତଙ୍କ ମନରେ ଏହି ପ୍ରଶ୍ନ। ତେବେ ମଣିପୁରକୁ ନେଇ ଦଳ ପକ୍ଷରୁ କୁହାଯାଇଛି ସେଠାକାର ରାଜ୍ୟ ସଭାପତି ଏକାକୀ ଏହି ନିଷ୍ପତ୍ତି ନେଇଥିଲେ, ତାଙ୍କୁ ହଟା ଯାଇଛି। ଆମେ ବିଜେପି ସହିତ ଅଛୁ।

ବିଜେପି ନେତୃତ୍ଵାଧୀନ ମଣିପୁର ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛି ଜେଡିୟୁ। ଏ ସଂପର୍କିତ ଏକ ଚିଠି ମଣିପୁର ରାଜ୍ୟପାଳଙ୍କ ନିକଟକୁ ପଠାଯାଇଛି। ମଣିପୁର ଜେଡିୟୁର ରାଜ୍ୟ ସଭାପତି କେ. ବୀରେନ ସିଂ  ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବିଜେପି ସରକାରରୁ ଆମେ ସମର୍ଥନ ପ୍ରତ୍ୟାହାର କରିଛୁ। ଦଳର ଏକମାତ୍ର ବିଧାୟକ ମହମ୍ମଦ ଅବଦୁଲ ନାସିର ଏବେ ବିରୋଧୀ ପକ୍ଷରେ ବସିବେ। ଏହି ଚିଠିର ତଳ ପାରାଗ୍ରାଫରେ ଜେଡିୟୁ ମଣିପୁର ରାଜ୍ୟ ସଭାପତି  ସ୍ପଷ୍ଟ କରିଛନ୍ତି ଯେ, ବିଜେପି ସରକାରକୁ ଆମେ ଆଉ ସମର୍ଥନ କରୁନାହିଁ । ଜେଡିୟୁର ଏହି ନିଷ୍ପତ୍ତି ଜଣାପଡ଼ିବା ପରେ ସାରା ଦେଶରେ ହଲଚଲ୍। ମଣିପୁର ପରେ ଦିଲ୍ଲୀ ଓ ବିହାରରେ ବି ନୀତିଶ କୁମାର ସେହି ଖେଳ ଖେଳିବେ କି ବୋଲି ଚର୍ଚ୍ଚା। ଯଦି ସେ ଦିଲ୍ଲୀ ଏନଡିଏରୁ ସମର୍ଥନ ପ୍ରତ୍ୟାହାର କରନ୍ତି, ତେବେ ମୋଦି ସରକାର ଭାଙ୍ଗି ଯିବାର ଆଶଙ୍କା ଅଛି। କାରଣ ଦିଲ୍ଲୀରେ ବିଜେପିର ନିଜସ୍ଵ ତାକତ୍ ନାହିଁ। ମୋଦି ସରକାର ନୀତିଶ କୁମାରଙ୍କ ଜେଡିୟୁ ଓ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଉପରେ ନିର୍ଭରଶୀଳ। ନୀତିଶ କୁମାରଙ୍କ ୧୨ ଜଣ ଏମପି ଥିବା ବେଳେ ଟିଡିପିର ଅଛନ୍ତି ୧୬ ସାଂସଦ। ରାଜ୍ୟସଭାରେ ବି ଜେଡିୟୁର ୪ ସାଂସଦ ଅଛନ୍ତି। ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ମଧ୍ୟ ଜେଡିୟୁର। ଏପରି ସ୍ଥଳେ ନୀତିଶ କୁମାର ସମର୍ଥନ ପ୍ରତ୍ୟାହାର କଲେ, ମୋଦି ସରକାର ଉପରେ ନିଶ୍ଚିତ ପ୍ରଭାବ ପଡ଼ିବ।

ଏପରି ଚର୍ଚ୍ଚାର କାରଣ ହେଲା – ପଲଟି ମାରିବାରେ ନୀତିଶ କୁମାର ମାହିର। ଏପରି ଖେଳ ଅନେକ ଥର ଖେଳିଛନ୍ତି ନୀତୀଶ। ବାଜପେୟୀ ଯୁଗରୁ ସେ ଏନଡିଏରେ ଥିଲେ। ମୋଦି ଜାତୀୟ ରାଜନୀତିକୁ ଆସିବା ପରେ ତାଙ୍କୁ ବିରୋଧ କରି ଏନଡିଏ ଛାଡ଼ି ଲାଲୁ ଯାଦବଙ୍କ ସହ ମେଣ୍ଟ କରିଥିଲେ। ୟୁପିଏକୁ ଆସିଥିଲେ। ଆରଜେଡି ସହିତ ମିଶି ବିହାର ସରକାର ଚଳାଉଥିବା ବେଳେ ମଝିରୁ ପୁଣି ଏନଡିଏ କୋଳକୁ ସେ ଫେରିଥିଲେ। ଏଥର ବି ସେ ଏନଡିଏ ଛାଡ଼ିବେ କି ବୋଲି ଜାତୀୟ ରାଜନୀତିରେ ଚର୍ଚ୍ଚା। ଆଗକୁ ପୁଣି ବିହାର ବିଧାନସଭା ନିର୍ବାଚନ ଅଛି । ଏପରି ସ୍ଥିତିରେ ମଣିପୁରର ବିଜେପି ସରକାରରୁ ନୀତିଶ କୁମାରଙ୍କ ଜେଡିୟୁ ଓହରି ଆସିବା ନିଷ୍ପତ୍ତି ଜାତୀୟ ରାଜନୀତିରେ ହଲଚଲ୍ ସୃଷ୍ଟି କରିଛି।

ସେଥିରେ ପୁଣି ଚର୍ଚ୍ଚା ହେଉଛି ଯେ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ୍ ମାଂଝୀ ମଧ୍ୟ ଏନଡିଏ ଛାଡ଼ିବେ। ଝାଡ଼ଖଣ୍ଡ  ବିଧାନସଭା ନିର୍ବାଚନରେ ମନ ମୁତାବକ ଆସନ ନ ମିଳିବାରୁ ସେ ଅସନ୍ତୁଷ୍ଟ ଅଛନ୍ତି। ଦିଲ୍ଲୀରେ ତାଙ୍କ ଦଳର ଜଣେ ସାଂସଦ ଅଛନ୍ତି। ନୀତିଶ କୁମାର ଓ ଜିତନ ରାମ ମାଂଝୀ ଏନଡିଏ ଛାଡ଼ିଲେ ନିଶ୍ଚିତ ଭାବେ ମୋଦି ସରକାର ଦୁର୍ବଳ ହୋଇଯିବ।

କିନ୍ତୁ ମଣିପୁର ଝଟକା ପରେ ଦିଲ୍ଲୀ ଜେଡିୟୁ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ମଣିପୁର ଜେଡିୟୁ ରାଜ୍ୟ ସଭାପତି ବୀରେନ ସିଂହ ସରକାରରୁ ସମର୍ଥନ ପ୍ରତ୍ୟାହାର ନେଇ ଜାତୀୟ ନେତୃତ୍ଵ ସହିତ ଆଲୋଚନା କରି ନାହାନ୍ତି। ସେ ନିଜେ ନିଜେ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ବିଶୃଙ୍ଖଳା ପାଇଁ ମଣିପୁରର ଜେଡିୟୁ ରାଜ୍ୟ ସଭାପତିଙ୍କୁ ହଟା ଯାଇଛି। ଆମେ ଏନଡିଏ ସହିତ ଅଛୁ। ମଣିପୁର ୟୁନିଟ ବୀରେନ ସିଂହ ସରକାର ସହିତ ଅଛି।

ମଣିପୁର ସରକାରରୁ ଜେଡିୟୁ ସମର୍ଥନ ପ୍ରତ୍ୟାହାର କରିଥିଲେ ମଧ୍ୟ ତୁରନ୍ତ ସରକାର ଭାଙ୍ଗିବ ନାହିଁ। ୬୦ ଆସନ ବିଶିଷ୍ଟ ବିଧାନସଭାରେ ବିଜେପିର ୩୭ ବିଧାୟକ ଅଛନ୍ତି। ନାଗା ପିପୁଲ୍ସ ଫ୍ରଣ୍ଟର ୫ ଜଣ ସମର୍ଥନ କରୁଛନ୍ତି। ୩ ସ୍ଵାଧୀନ ବି ସମର୍ଥନ କରୁଛନ୍ତି। ତେଣୁ ସରକାର ଭାଙ୍ଗି ନ ପାରେ। କିନ୍ତୁ ପ୍ରକୃତରେ ନୀତିଶ କୁମାରଙ୍କ ମନରେ କଣ ଅଛି, ତାହା କେବଳ ସେ ହିଁ ଜାଣିଥିବେ। ଏନଡିଏ ଛାଡ଼ି ୟୁପିଏକୁ ଫେରି ଆସିବାକୁ କିଛି ଦିନ ତଳେ ନୀତିଶ କୁମାରଙ୍କୁ ଆହ୍ଵାନ ଦେଇଥିଲେ ଲାଲୁ ଯାଦବ। ନୀତିଶ କୁମାର ମନା କରିଥିଲେ ମଧ୍ୟ ତାଙ୍କ ମତି ଗତି କେବଳ ତାଙ୍କୁ ହିଁ ଜଣା। ଆଗକୁ ପୁଣି ଅଛି ବିହାର ବିଧାନସଭା ନିର୍ବାଚନ। ନିଜ ରାଜନୈତିକ ଫାଇଦା ପାଇଁ ସେ ଯେ, ପୁଣି ଥରେ ପଲଟି ମାରିବେ ନାହିଁ, ତାର କିଛି ଗ୍ୟାରେଣ୍ଟି ନାହିଁ। ଏପରି ସ୍ଥିତିରେ ଦିଲ୍ଲୀର ମୋଦି ସରକାରର ସ୍ଥାୟୀତ୍ଵର ଗ୍ୟାରେଣ୍ଟି ନାହିଁ।