ନୀତୀଶ କୁମାରଙ୍କୁ ନେଇ ଚିନ୍ତାରେ ଏନଡିଏ: ଓଡ଼ିଶାରେ ବି ପ୍ରଭାବ, ତେଜିଲା ରାଜନୈତିକ ବୟାନବାଜି

1 min read

ଭୁବନେଶ୍ବର: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନେଇ ଜାତୀୟ ରାଜନୀତିରେ ନୂଆ ସମୀକରଣ । ନୀତୀଶ ଏନଡିଏ ହାତ ଛାଡ଼ି ପୁଣି ଇଣ୍ଡିଆ ମେଣ୍ଟ ମୁହାଁ ହୋଇଥିବା ନେଇ ଜାତୀୟ ସ୍ତରରେ ଚାଲିଛି ଚର୍ଚ୍ଚା । ଆଉ ଏହା ଓଡ଼ିଶା ରାଜନୀତିକୁ ମଧ୍ୟ ପ୍ରଭାବିତ କରିଛି । ଦେଶରେ ଶୀଘ୍ର ବିଜେପି ସରକାର ପତନ ହେବ ବୋଲି କଂଗ୍ରେସ ଆକଳନ କରିବା ସହ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡ଼ିବ ବୋଲି କହିଛନ୍ତି । ଦେଶର ରାଜନୀତି ଉପରେ ବିଜେଡିର ନଜର ରହିଛି ବୋଲି ଦଳୀୟ ନେତା କହିଛନ୍ତି । ଅନ୍ୟପଟେ ଓଡ଼ିଶାରେ ସରକାରର କିଛି ହେବ ନାହିଁ ବୋଲି ଦଳ ପାଲଟା ଜବାବ ଦେଇଛି ବିଜେପି ।

ଜାତୀୟ ରାଜନୀତିରେ ନୀତୀଶଙ୍କୁ ନେଇ ଥମୁନି ଚର୍ଚ୍ଚା । ପୁଣି ଦଳ ବଦଳ କରିପାରନ୍ତି ପଲଟୁରାମ ନୀତୀଶ କୁମାର । ଏନଡିଏ ହାତ ଛାଡି ଇଣ୍ଡିଆ ମେଣ୍ଟର ହୋଇ ପାରନ୍ତି ଗେହ୍ଲା ପୁଅ । ବେଶ କିଛି ଦିନ ହେବ ଜାତୀୟସ୍ତରରେ ଏହି ଚର୍ଚ୍ଚା ଥମିବାର ନା ନେଉନାହିଁ । ଯାହା ଦେଶରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି କରିବାକୁ ବାଟ ଫିଟାଉଛି । ଏହି ଚର୍ଚ୍ଚା ଭିତରେ ଓଡିଶା ରାଜନୀତି ଉଷ୍ମ ହୋଇଛି । ନୀତୀଶଙ୍କ ଅସନ୍ତୋଷ କଂଗ୍ରେସକୁ ଉତ୍ସାହିତ କରିଛି । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଆକଳନ କରିଛନ୍ତି, ଶୀଘ୍ର ଦେଶରେ ବିଜେପି ସରକାରର ପତନ ହେବ । ନୀତୀଶ କୁମାର ଏନଡିଏ ଛାଡି ଇଣ୍ଡିଆ ମେଣ୍ଟରେ ସାମିଲ ହେବେ । ଏହା ପ୍ରଭାବରେ ଦେଶରେ ବିଜେପି ସରକାର ଭାଙ୍ଗିବ । ଓଡ଼ିଶାରେ ବି ଏହାର ପ୍ରଭାବ ପଡ଼ିବ ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ କହିଛନ୍ତି । ଆଉ ସେ ସମୟ ପାଖେଇ ଆସିଲାଣି ବୋଲି ଜୟଦେବ ଯୁକ୍ତି ବାଢ଼ିଛନ୍ତି ।

ଅନ୍ୟପଟେ ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି, ଜାତୀୟ ରାଜନୀତି ଅସ୍ଥିରତା ଆଡ଼କୁ ଯାଉଛି । ଯାହା ଉପରେ ବିଜେଡି ନଜର ରଖିଛି । ବିଜେଡି ଆଞ୍ଚଳିକ ଦଳ ଭାବେ ରାଜ୍ୟ ସ୍ବାର୍ଥ ଓ ଲୋକଙ୍କ ସ୍ୱର ସାଜି କାମ କରୁଛି । ଅନ୍ୟପଟେ ନୀତୀଶ ଚର୍ଚ୍ଚା ଭିତରେ ବିଭିନ୍ନ ପ୍ରସଂଗକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହୋଇଥିବାରୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ବିଜେପି ସରକାର ଲୋକଙ୍କ ବିଶ୍ବାସ ଜିଣିଛି l ପୂରା ୫ ବର୍ଷ ଶାସନରେ ରହିବ ।

ନୀତୀଶ ଏନଡିଏ ଛାଡ଼ିବା ଚର୍ଚ୍ଚା ଯେତେ ଜୋରଦାର ହେଉଛି ଓଡିଶାରେ ରାଜନୈତିକ ବୟାନବାଜି ସେତେ ବଢ଼ିବାରେ ଲାଗିଛି । ରାଜନୈତିକ ସମୀକ୍ଷକ କେ. ରବି କହିଛନ୍ତି, ଏନଡିଏ ସରକାର ଦୁଇ ପାର୍ଶ୍ବ ହେଉଛନ୍ତି ନୀତୀଶ ଓ ଚନ୍ଦ୍ରବାବୁ ନାଇଡୁ । ବର୍ତ୍ତମାନ ଯାହା ନୀତୀଶଙ୍କୁ ନେଇ ପ୍ରାରମ୍ଭିକ ଚର୍ଚ୍ଚା ହେଉଛି ତାହା ଆଗକୁ ଆହୁରି ସ୍ପଷ୍ଟ ହେବ । ବିହାର ନିର୍ବାଚନକୁ ନେଇ ନୀତୀଶ ଆଗକୁ କ’ଣ ନିଷ୍ପତ୍ତି ନେବେ ଓ କ’ଣ ସମୀକରଣ ଦେଶର ରାଜନୀତିରେ ହେବ ତାକୁ ସମସ୍ତେ ଅପେକ୍ଷା କରିଛନ୍ତି । ହେଲେ ଦେଶରେ ଏନଡିଏ ମେଣ୍ଟ ଉପରେ ପ୍ରଭାବ ପଡ଼ିଲେ ଓଡ଼ିଶାରେ ତାହାର ପ୍ରଭାବ ରହିବ ବୋଲି ସମୀକ୍ଷକ କହିଛନ୍ତି ।

ନୂଆବର୍ଷ ଆରମ୍ଭରୁ ନୀତୀଶ ଚର୍ଚ୍ଚା ବିଜେପି ଓ ଏନଡିଏ ମେଣ୍ଟର ଚିନ୍ତା ବଢ଼ାଇଛି । ନୀତୀଶଙ୍କୁ ନେଇ ସଂକଟରେ ଏନଡିଏ ମେଣ୍ଟ ଥିବା ବେଳେ ଇଣ୍ଡିଆ ମେଣ୍ଟ ନୂଆ ସମୀକରଣ ପାଇଁ ଅଣ୍ଟା ଭିଡିଛି । ଯାହା ଆଗାମୀ ଦିନରେ ଦେଶ ଓ ଓଡିଶା ରାଜନୀତିର ଗତିକୁ ପ୍ରଭାବିତ କରିବ ବୋଲି ସମୀକ୍ଷକମାନେ ଆକଳନ କରୁଛନ୍ତି ।