ମଦମୃତ୍ୟୁକୁ ନେଇ ନିତିଶ ଖପ୍ପା, ବିରୋଧୀଙ୍କୁ କହିଲେ ଏମିତି କଥା

ପାଟନା: ବିହାରରେ ମଦମୃତ୍ୟୁ ରାଜନୀତି ଘନେଇବାରେ ଲାଗିଛି । ବିରୋଧୀଙ୍କଠାରୁ ଆରମ୍ଭ କରି ସହଯୋଗୀ ବିଜେପି ଟାର୍ଗେଟରେ ନିତିଶ କୁମାରଙ୍କ ସରକାର । ରାଜ୍ୟରେ ମଦ ବିକ୍ରି ନିଷିଦ୍ଧ ହୋଇଥିବା ବେଳେ କେଉଁଠୁ ବିଷାକ୍ତ ମଦ ଆସୁଛି ଓ କେମିତି ବିକ୍ରି ହେଉଛି ତାକୁ ନେଇ ପ୍ରଶ୍ନବାଣରେ ଘାଣ୍ଟି ହେଉଛନ୍ତି ନିତିଶ । ଏମିତି ସ୍ଥିତିରେ ବିଭିନ୍ନ ରାଜେନୖତିକ ଦଳଙ୍କ ଉପରେ ରାଗି ପଞ୍ଚମ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ମଦ ବନ୍ଦକୁ ନେଇ କିଛି ଲୋକ ମୋତେ ବିରୋଧ କରୁଛନ୍ତି । ରାଜନୀତି କରିବା ବନ୍ଦ କରି ‘ମଦ ପିଇବ ତ ମରିବ’ କଥା ଲୋକଙ୍କ ପାଖରେ ପହଞ୍ଚାଇବା ଦରକାର ।’

ଗତ ସପ୍ତାହରେ ଗୋପାଳଗଞ୍ଜରେ ବିଷାକ୍ତ ମଦ ପିଇ ୪୦ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହା ପରଠାରୁ ନିତିଶ ସରକାର ବିରୋଧୀଙ୍କ ଟାର୍ଗେଟରେ ରହି ଆସିଛନ୍ତି । ଏପରିକି ମେଣ୍ଟ ସରକାରର ଅନ୍ୟତମ ଅଂଶିଦାର ବିଜେପି ବି ଘଟଣାକୁ ନେଇ ପ୍ରଶ୍ନ ଉଠାଇଛି ଓ ମଦ ବନ୍ଦ ଆଇନର ପୁର୍ନବିଚାର କରିବାକୁ ଦାବି କରିଛି ।

ନିତିଶ କହିଛନ୍ତି, ‘ମଦ ବନ୍ଦ ନିଷ୍ପତ୍ତି ମୋର ଏକା ନଥିଲା । ସରକାର ସମେତ ବିରୋଧୀ ମଧ୍ୟ ଏହାକୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ । ଏବେ ମୋ ଉପରେ ଦୋଷ ଲଗାଯାଉଛି । ମଦ ସ୍ବାସ୍ଥ୍ୟ ପ୍ରତି କେତେ ହାନୀକାରକ ସେ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବା ଆବଶ୍ୟକ । ମଦ ବନ୍ଦକୁ ନେଇ ଲୋକଙ୍କ ମଧ୍ୟରେ ପୁଣି ବ୍ୟାପକ ସଚେତନତା ସୃଷ୍ଟି କରାଯିବ ।’

ଆସନ୍ତାକାଲିକୁ ନିତିଶ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି । ଏଥିରେ ମଦ ବନ୍ଦ ଆଇନର ସମୀକ୍ଷା କରାଯିବା ସହ ମଦମୃତ୍ୟୁକୁ ନେଇ ବିସ୍ତୃତ ଆଲୋଚନା କରାଯିବ । ରାଜ୍ୟ ସରକାରଙ୍କ ସବୁ ମନ୍ତ୍ରୀ ଏବଂ ଜିଲ୍ଲାପାଳ, ଏସପିମାନେ ବୈଠକରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ୨୦୧୫ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟକୁ ମଦମୁକ୍ତ କରିବାକୁ ନିତିଶ କୁମାର ଘୋଷଣା କରିଥିଲେ । ନିର୍ବାଚନ ପରେ ନିତିଶ ମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ୨୦୧୬ରେ ମଦ ବନ୍ଦ ଆଇନ ଆଣିଥିଲେ । ସେବେଠାରୁ ରାଜ୍ୟରେ ମଦ ବିକ୍ରି କରିବା ଓ ପିଇବା ଉପରେ ପ୍ରତିବନ୍ଧ ଲାଗିଛି । ଏପରି କରୁଥିବା ବେଳେ ଧରା ପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନର ବି ନିୟମ ରହିଛି । ଏହାପରେ ବି ରାଜ୍ୟରେ ବିଷାକ୍ତ ମଦ ପିଇ ଲୋକଙ୍କ ମୃତ୍ୟୁ ଘଟୁଛି ।

Leave a Reply