ଘରେ ପସୁ ପସୁ ନୀତିଶଙ୍କ ମୁଣ୍ଡରେ ଚାଳ ବାଜିଲାଣି..

1 min read

ପାଟନା: ବିହାର ନୀତିଶ କୁମାର ମନ୍ତ୍ରିମଣ୍ଡଳରେ ସବୁକିଛି ଚାଲିନି ଠିକ୍‌ଠାକ । ରାଜ୍ୟ ଖାଦ୍ୟ ଓ ଖାଉଟି ସୁରକ୍ଷା ମନ୍ତ୍ରୀ ତଥା ୫ ଥରର ବିଧାୟକ ଲେସି ସିଂଙ୍କୁ ନେଇ ବଢିଛି ବିବାଦ । ତାଙ୍କର ମନ୍ତ୍ରିତ୍ବକୁ ବିରୋଧ କରିଛନ୍ତି ଜେଡିୟୁ ବିଧାୟିକା ବିମା ଭାରତୀ । ଲେସିଙ୍କୁ ତୃତୀୟ ଥର ଲାଗି କ୍ୟାବିନେଟରେ ସାମିଲ କରାଯାଇଥିବାବେଳେ ଭାରତୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇ ନଥିବାରୁ କ୍ଷୁବ୍ଧ ହୋଇଛନ୍ତି ଭାରତୀ । ଭାରତୀ ଏପରିକି ଜାତିବାଦ ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି- ସେ ଜଣେ ପଛୁଆ ଜାତି ବର୍ଗର ହୋଇଥିବାରୁ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇନାହିଁ ।

ଯଦି ଲେସିଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରା ନଯାଏ ତେବେ ସେ ଜେଡିୟୁରୁ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି ଭାରତୀ । ଗତ ମଙ୍ଗଳବାର କ୍ୟାବିନେଟରେ ଆରଜେଡିର ୧୬, ଜେଡିୟୁର ୧୧ ଓ ହାମ୍‌ର ଜଣେ ମନ୍ତ୍ରୀ ଶପଥ ନେଇଥିଲେ । ପୂର୍ବରୁ ରାଜ୍ୟର ଆଇନ ମନ୍ତ୍ରୀ କାର୍ତ୍ତିକେୟ ସିଂହଙ୍କୁ ନେଇ ବଢିଥିଲା ବିବାଦ । ସେ ଆଇନ ମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ତାଙ୍କ ବିରୋଧରେ ପୂର୍ବରୁ କୋର୍ଟ ୱାରଣ୍ଟ ଜାରି କରିସାରିଛି । ଆରଜେଡି ବିଧାନ ପରିଷଦ ବିଧାୟକ କାର୍ତ୍ତିକେୟ ୨୦୧୪ରେ ଏକ କିଡନାପିଂ ମାମଲାରେ ଅଭିଯୁକ୍ତ ଥିଲେ । ଶପଥ ଗ୍ରହଣ ପର୍ଯ୍ୟନ୍ତ କୋର୍ଟରେ ଆତ୍ମସମର୍ପଣ କରିନଥିଲେ କି ଜାମିନ ପାଇଁ ଆବେଦନ କରି ନଥିଲେ ।