ପ୍ରକାଶ ପାଇଲା ୨୦୧୯ ବର୍ଷ ପାଇଁ ଭାରତ ଇନୋଭେସନ୍ ସୂଚକାଙ୍କ
1 min readପ୍ରକାଶ ପାଇଲା ୨୦୧୯ ବର୍ଷ ପାଇଁ ‘ଇଣ୍ଡିଆ ଇନୋଭେସନ୍’ ସୂଚକାଙ୍କ । ବୃହତ ରାଜ୍ୟ ଗୁଡିକ ମଧ୍ୟରେ ଇନୋଭେସନ୍ ରାଜ୍ୟ ଭାବେ କର୍ଣ୍ଣାଟକ ପ୍ରଥମ ସ୍ଥାନ ଅଧିକାର କରିଛି । ସେହିଭଳି ଶୀର୍ଷ ୧୦ ଟି ସ୍ଥାନ ମଧ୍ୟରେ ତାମିଲନାଡୁ, ମହାରାଷ୍ଟ୍ର, ତେଲେଙ୍ଗାନା, ହରିୟାଣା, କେରଳ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଗୁଜରାଟ, ଏବଂ ଆନ୍ଧ୍ର ପ୍ରଦେଶ ରହିଛି । ଅନ୍ୟପକ୍ଷରେ ଭାରତ ଇନୋଭେସନ୍ ସୂଚକାଙ୍କ ବୃହତ ରାଜ୍ୟ ବର୍ଗରେ ଓଡିଶା ଦ୍ୱାଦଶ ସ୍ଥାନରେ ରହିଛି । ତେବେ ଏନେବଲର୍ସ ଓ ପରଫର୍ମାନ୍ସ ରାଙ୍କ୍ରେ ଓଡିଶାକୁ ଦଶମ ଓ ଏକାଦଶ ସ୍ଥାନ ମିଳିଛି । ପାଞ୍ଚଟି ସ୍ତମ୍ଭକୁ ନେଇ ସମର୍ଥକ ପର୍ଯ୍ୟାୟରେ ରାଜ୍ୟ ଗୁଡ଼ିକର ସାମର୍ଥ୍ୟକୁ ବିବେଚନା କରାଯାଇଛି । ମାନବ ପୁଞ୍ଜି, ନିବେଶ, ଜ୍ଞାନ କର୍ମୀ, ବ୍ୟବସାୟିକ ପରିବେଶ ଏବଂ ସୁରକ୍ଷା ଓ ଆଇନଗତ ପରିବେଶ ନିବେଶ ଦ୍ୱାରା ଦେଶକୁ ମିଳୁଥିବା ଲାଭକୁ ପ୍ରଦର୍ଶନ ସୋପାନ ଗ୍ରହଣ କରିଛି ।
ନୀତି ଆୟୋଗ ଉପାଧ୍ୟକ୍ଷ ଡ. ରାଜୀବ କୁମାର, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବମିତାବ କାନ୍ତ, ବିଜ୍ଞାନ ବିଭାଗ ସଚିବ ଆଶୁତୋଷ ଶର୍ମା, ବାୟୋ ଟେକ୍ନୋଲୋଜି ବିଭାଗ ସଚିବ ରେଣୁ ସ୍ବରୂପ, ଆୟୁଷ ସଚିବ ବୈଦ୍ୟ ରାଜେଶ କୋଟେଚାଙ୍କ ଉପସ୍ଥିତିରେ ଏହି ସୂଚକାଙ୍କ ଜାରି କରାଯାଇଛି ।
ଡକ୍ଟର ରାଜୀବ କୁମାର ଏହି ଅବସରରେ କହିଥିଲେ, ଇନୋଭେସନ୍ ବ୍ୟବସ୍ଥା ଅନ୍ତର୍ଗତ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ଏହି ଇନୋଭେସନ୍ ସୂଚକାଙ୍କ ସମନ୍ୱୟ ପ୍ରତିଷ୍ଠା କରିବ ଏବଂ ଭାରତ ଏକ ପ୍ରତିଦ୍ୱନ୍ଦ୍ୱିତା ପୂର୍ଣ୍ଣ ଉତ୍ତମ ପ୍ରଶାସନ ଦିଗରେ ଆଗକୁ ବଢ଼ିପାରିବ। ଅନ୍ୟପକ୍ଷରେ ଅଗଣିତ ଆହ୍ୱାନ ମଧ୍ୟରେ ବିଶ୍ୱ ଇନୋଭେସନ୍ କ୍ଷେତ୍ରରେ ନେତୃତ୍ୱ ନେବାଲାଗି ଭାରତ ନିକଟରେ ଅଭିନବ ସୁଯୋଗ ରହିଛି ବୋଲି ଅମିତାଭ କାନ୍ତ ଏହି ଅବସରରେ କହିଥିଲେ। ସେହିଭଳି ରେଣୁ ସ୍ୱରୂପ କହିଥିଲେ ଯେ, କ୍ଲଷ୍ଟର ଆଧାରିତ ଇନୋଭେସନ୍କୁ ପ୍ରତିଦ୍ୱନ୍ଦ୍ୱିତାର କେନ୍ଦ୍ରବିନ୍ଦୁ ଭାବେ ବିକଶିତ କରାଯିବା ଆବଶ୍ୟକ। ଉଭୟ ନିବେଶ ଏବଂ ଫଳାଫଳ ଉପାଦାନ ଉପରେ ଗୁରୁତ୍ୱ ଦିଆଯାଇଥିବାରୁ ଏହି ସୂଚକାଙ୍କ ଦେଶରେ ଇନୋଭେସନ୍ ପରିବେଶକୁ ଉନ୍ନତ କରିବାରେ ଉତ୍ତମ ଆରମ୍ଭ ବୋଲି ଆଶୁତୋଷ ଶର୍ମା କହିଥିଲେ। ବୈଦ୍ୟ କୋଟେଚା କହିଥିଲେ, ରାଜ୍ୟଗୁଡ଼ିକ ମଧ୍ୟରେ ମାନଦଣ୍ଡ ନିର୍ଦ୍ଧାରଣ ପ୍ରତିଦ୍ୱନ୍ଦ୍ୱିତାମୂଳକ ଜରିଆରେ ସଂଘୀୟ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦିଗରେ ଏହି ସୂଚକାଙ୍କ ଏକ ଉତ୍ତମ ପ୍ରୟାସ। ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ଇନୋଭେସନ୍ ପରିସଂସ୍ଥାନକୁ ଅନୁଧ୍ୟାନ କରାଯିବା ପରେ ଏହି ସୂଚକାଙ୍କ ପ୍ରକାଶ ପାଇଛି। ଦେଶରେ ରହିଥିବା ଆହ୍ୱାନଗୁଡ଼ିକର ମୁକାବିଲା କରିବା ଏବଂ ନିର୍ଦ୍ଦିଷ୍ଟ ଅଞ୍ଚଳର ଆର୍ଥିକ ବିକାଶ ନୀତି ପ୍ରସ୍ତୁତ କରିବା ଦିଗରେ ନୀତି ନିର୍ଦ୍ଧାରକମାନଙ୍କୁ ଏକ ସାମାଗ୍ରିକ ସାଧନ ପ୍ରଦାନ କରିବା ହେଉଛି ଏହି ସୂଚକାଙ୍କର ଉଦ୍ଦେଶ୍ୟ ')}