ପୁଣିଥରେ ନବୀନ ମଡେଲକୁ ନୀତି ଆୟୋଗଙ୍କ ପ୍ରଶଂସା

1 min read

ଭୁବନେଶ୍ବର : ସରକାର ବଦଳିଛି । ହେଲେ ନବୀନ ନୀତିରେ ଏବେ ବି ଶତମୁଖ ନୀତି ଆୟୋଗ । ପ୍ରକାଶ ପାଇଛି ୨୦୨୫ ନୀତି ଆୟୋଗ ବିତ୍ତୀୟ ସ୍ବାସ୍ଥ୍ୟ ସୂଚକାଙ୍କ ରିପୋର୍ଟ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ଓଡ଼ିଶା ଆର୍ଥିକ ପରିଚାଳନାରେ ସବୁ ରାଜ୍ୟଠୁ ଆଗରେ । ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶା ବିତ୍ତୀୟ ସ୍ବାସ୍ଥ୍ୟ ସୂଚକାଙ୍କରେ ୬୭.୮ ପଏଣ୍ଟ ପାଇ ଦେଶରେ ଏକ ନମ୍ବର ପୋଜିସନ ପାଇଛି । ଖୋଦ ବିଜେପି ଶାସିତ ଡବଲ ଇଞ୍ଜିନ ରାଜ୍ୟମାନେ ଓଡ଼ିଶାଠାରୁ ବହୁ ପଛରେ ରହିଛନ୍ତି । ନୀତି ଆୟୋଗଙ୍କ ରିପୋର୍ଟ ପୁଣି ଥରେ ନବୀନଙ୍କ ଆର୍ଥିକ ସୁପରିଚାଳନା ନୀତିକୁ ମୋହର ମାରିଛନ୍ତି । ଗୁଜରାଟ ୫ ନମ୍ବର ସ୍ଥାନରେ ଥିବାବେଳେ ଉତ୍ତରପ୍ରଦେଶ ୭ ନମ୍ବର ଓ ମଧ୍ୟପ୍ରଦେଶ ୯ ନମ୍ବର ସ୍ଥାନରେ ରହିଛି । ୨୦୨୪ରେ ସରକାର ପରିବର୍ତ୍ତନ ହୋଇଛି ସତ, କିନ୍ତୁ ଏବର ଡବଲ ଇଞ୍ଜିନ ସରକାର ଉତ୍ତରାଧିକାରୀ ସୂତ୍ରରେ ନବୀନଙ୍କ ଆର୍ଥିକ ସୁପରିଚାଳନାର ଫଳ ଅମଳ କରୁଛନ୍ତି ବୋଲି ବିଜେଡି ଦାବି କରିଛି । ଏବର ସରକାର ଅବିଚାରିତ ଭାବେ ଋଣ କରିଚାଲିଛନ୍ତି । ଫଳରେ ରାଜ୍ୟର ବିତ୍ତୀୟ ସ୍ବାସ୍ଥ୍ୟ ବିଗିଡ଼ିବାକୁ ଯାଉଛି । ଏ ଦୁର୍ବୁଦ୍ଧି ରାଜ୍ୟ ସରକାରଙ୍କୁ କେନ୍ଦ୍ରରୁ ମିଳିଛି । ଦେଶର ଅଭିବୃଦ୍ଧି ଆଗରେ ମୁଣ୍ଡପିଛା ଆୟରେ ୧୪୦ ତମ ସ୍ଥାନରେ ରହିଛି । ମୋହନ ସରକାର ଚାଣକ୍ୟ ନୀତିରେ ନ ଯାଇ ଚାର୍ବାକ ନୀତିରେ ଚାଲିଛି । ଖୋଦ କଂଗ୍ରେସ ମଧ୍ୟ ନବୀନଙ୍କ ଆର୍ଥିକ ପରିଚାଳନାକୁ ପ୍ରଶଂସା କରିଛି ।…

ନବୀନ ପଟ୍ଟନାୟକଙ୍କ ଆର୍ଥିକ ପରିଚାଳନାର ୪ଟି ଥିଲା ମୁଖ୍ୟ ଦିଗ । ଖୋଲାବଜାରରୁ ଅଧିକ ସୁଧରେ ଋଣ ନିଆଯାଉନଥିଲା । କେବଳ ଆଇଏମ୍ଏଫ, ବିଶ୍ବ ବ୍ୟାଙ୍କ, ଏଡିବିରୁ ଶୂନରୁ ୨ ପ୍ରତିଶତ ହାରରେ ନିଆଯାଉଥିଲା ଋଣ । ପୁଞ୍ଜିଗତ ବ୍ୟୟକୁ ଗୁରୁତ୍ବ ଦିଆଯାଇ ରାଜ୍ୟର ଆୟକୁ ବୃଦ୍ଧି କରାଯାଇଥିଲା । ଲୋୟର ସୁକତେଲ, ପାର୍ବତୀ ଗିରି ମେଗା ଜଳସେଚନ ପ୍ରକଳ୍ପଠୁ ଆରମ୍ଭ କରି ବିଜୁ ଏକ୍ସପ୍ରେସ ଓ୍ବେ, ବିଏସ୍କେଓ୍ବାଇ, ଶିକ୍ଷା ସହାୟତା ରାଜ୍ୟକୁ ନୂଆ ପରିଚୟ ସୃଷ୍ଟି କରୁଥିଲା । ଏଥିରେ ଲୋକଙ୍କ ଆୟ ସଞ୍ଚୟ ହେବା ସହ ଉତ୍ପାଦିକତା ବୃଦ୍ଧି ପାଉଥିଲା । ଫଳରେ ଋଣ ନେବାର ଆବଶ୍ୟକତ ନଥିଲା । ଅନ୍ୟରାଜ୍ୟଙ୍କ ଋଣଭାର ୬ ଲକ୍ଷରୁ ୭ ଲକ୍ଷ କୋଟି ରହିଥିଲା । ସେମାନେ ସୁଧ ବାବଦରେ ୧ ଟଙ୍କା ଆୟର ୫୬ ପଇସା ସୁଧ ପରିଶୋଧରେ ଖର୍ଚ୍ଚ କରୁଥିଲେ । ଓଡ଼ିଶା ଖର୍ଚ୍ଚ ପରିଶୋଧ କରୁଥିଲା ମାତ୍ର ୧୨ ପଇସା । ତୃତୀୟରେ ଯାହା ବି ନୀତି ପ୍ରଣୟନ କରାଯାଉଥିଲା ଫାଇଭ-ଟି ବ୍ୟବସ୍ଥା ଯୋଗୁ ଲୋକଙ୍କ ପାଖରେ ସରକାରଙ୍କ ଯୋଜନାର ସୁଫଳ ପହଞ୍ଚିପାରୁଥିଲା । ଚତୁର୍ଥ କଥାଟି ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜ୍ୟକୁ ପ୍ରଗତି ପଥରେ ଆଗେଇ ନେବା ସହ ୧ ଟ୍ରିଲିୟନ ଅର୍ଥନୀତିରେ ପହଞ୍ଚାଇବା ପାଇଁ ଭିଜନ ରଖିଥିଲେ । ଯାହାକି ଏବର ସରକାରରେ ଦେଖିବାକୁ ମିଳୁନି । ନବୀନଙ୍କ ସୁଶାସନକୁ ଲୋକେ ଏବେ ବି ମନେ ପକାଉଛନ୍ତି । ବିଗତ ୨୪ ବର୍ଷ ଥିଲା ଓଡ଼ିଶା ଶାସନର ସୁବର୍ଣ୍ଣଯୁଗ । ଯେଉଁଥିରେ ରାଜ୍ୟ ଅର୍ଥନୀତି ୧୮ ଗୁଣ ବଢିଥିଲା ।