ଓଡ଼ିଶାରେ ନୀତି ଆୟୋଗ ଉପାଧ୍ୟକ୍ଷ, ଫୋକସ ଷ୍ଟେଟ୍‌ ମାନ୍ୟତା ଦାବି କରିବ ରାଜ୍ୟ

ଭୁବନେଶ୍ବର: ଓଡିଶାରେ ପହଞ୍ଚିଲେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । 3 ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ଦିନ ୧୧ଟାରୁ ଗୋଟାଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ରାଜୀବ । ଏହି ସମୟରେ ରାଜ୍ୟ ସ୍ବାର୍ଥ ସମ୍ବଳିତ ବିଭିନ୍ନ ଦାବି ରଖିବେ ରାଜ୍ୟ ସରକାର । ବିଶେଷକରି ଓଡ଼ିଶାକୁ ଫୋକସ ଷ୍ଟେଟ୍‌ ମାନ୍ୟତା ଦେବା ପାଇଁ ଜୋରଦାର ଦାବି କରାଯିବ ।

ଗତ ୧୧ ବର୍ଷରେ ରାଜ୍ୟ ଦେଖିଛି ୧୦ଟି ବାତ୍ୟା, ୩ଟି ମରୁଡ଼ି, ଗୋଟିଏ ଅଦିନିଆ ବାତ୍ୟା ଜନିତ ବୃଷ୍ଟିପାତ, ୨ଟି ପ୍ରଳୟଙ୍କରୀ ବନ୍ୟା । ସବୁ ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ନିଜ ଦମରେ ମୁକାବିଲା କରିଛି ରାଜ୍ୟ । ରାଜ୍ୟର ମୁକାବିଲା ପ୍ଲାନକୁ ସାରା ବିଶ୍ବ ମଧ୍ୟ ପ୍ରଶଂସା କରିଛି । ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ମାଡରେ ରାଜ୍ୟ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଉଛି । ତେଣୁ ଓଡ଼ିଶାକୁ ଫୋକସ ଷ୍ଟେଟ୍‌ର ମାନ୍ୟତା ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପାଖରେ ଦୀର୍ଘଦିନ ଧରି ଦାବି କରିଆସୁଛନ୍ତି  । ସଂସଦର ଉଭୟ ଗୃହରେ ବିଜେଡି ସାଂସଦ ମାନେ ମଧ୍ୟ ଦାବି କରିଛନ୍ତି  । ତଥାପି ରାଜ୍ୟ ପ୍ରତି ଅବହେଲା ଜାରି ରଖିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ତୁରନ୍ତ ଓଡ଼ିଶାକୁ ଫୋକସ ଷ୍ଟେଟ୍‌ର ମାନ୍ୟତା ଦେଇ ସ୍ବତନ୍ତ୍ର ଅର୍ଥ ଯୋଗାଇ ଦେବାକୁ ଦାବି କରିବେ ସରକାର  । ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ବାଦ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିବେ ନୀତି ଆୟୋଗ ଉପାଧ୍ୟକ୍ଷ । ଆଜି ସନ୍ଧ୍ୟାରେ ପୁରୀ ଯିବେ ରାଜୀବ କୁମାର । ଏହା ସହିତ ରହଣୀ ସମୟରେ ସେ ଲିଙ୍ଗରାଜ, କୋଣାର୍କ, ଚିଲିକା ବୁଲିବାର କାର୍ଯ୍ୟକ୍ରମ ରହିଛି ।

Leave a Reply