ଦେଶରେ ଦୈନିକ ଆସିପାରେ କରୋନାର ୧୪ ଲକ୍ଷରୁ ଅଧିକ ମାମଲା, ସତର୍କ କଲେ ନୀତି ଆୟୋଗ ସଦସ୍ୟ
ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ବଢ଼ୁଛି କରୋନା ସଂକ୍ରମଣ । କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ସହ ବଢ଼ିବାରେ ଲାଗିଛି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା । ବଢ଼ୁଥିବା ମାମଲା ମଧ୍ୟରେ ଚେତାବନୀ ଦେଇଛନ୍ତି ନୀତି ଆୟୋଗ ସଦସ୍ୟ ଡ. ବିକେ ପଲ । ଓମିକ୍ରନ୍ ଭାରିଆଣ୍ଟକୁ ନେଇ ଚିନ୍ତାବ୍ୟକ୍ତ କରିବା ସହ ୟୁରୋପ ଦେଶ ସହ ଭାରତର ତୁଳନା କରିଛନ୍ତି ।
ବିକେ ପଲଙ୍କ ଅନୁସାରେ, ଯଦି ଆମେ ବ୍ରିଟେନରେ ବଢ଼ୁଥିବା ସଂକ୍ରମଣ ମାମଲାକୁ ଦେଖିବା ଏବଂ ତା’ସହ ଭାରତକୁ ତୁଳନା କରିବା ତ ଏଭଳି ସ୍ଥିତିରେ ଭାରତରେ ଦୈନିକ ୧୪ ଲକ୍ଷରୁ ଅଧିକ କରୋନା ସଂକ୍ରମଣ ମାମଲା ଆସିପାରେ । କରୋନା ଦ୍ରୁତ ଗତିରେ ବ୍ୟାପିବା ପଛରେ ଓମିକ୍ରନ୍ ଥିବା କହିଛନ୍ତି ବିକେ ପଲ୍ । ତେବେ ଏନେଇ ଅଧ୍ୟୟନ ଜାରି ରହିଥିବା ବେଳେ ସରକାର ନଜର ରଖିଛନ୍ତି । ଏବେ ଯାଏ ଓମିକ୍ରନ ଭାରିଆଣ୍ଟ ସଂକ୍ରମିତଙ୍କ ଠାରେ କରୋନାର ହାଲକା ଲକ୍ଷଣ ଦେଖା ଯାଉଥିଲା । ସେ ଆହୁରି କହିଛନ୍ତି, କରୋନା ସଂକ୍ରମିତ ପ୍ରତି ବ୍ୟକ୍ତିଙ୍କ ଜିନୋମ ସିକ୍ୱେନ୍ସିଂ ସମ୍ଭବ ନୁହେଁ ।
ସୂଚନାଯୋଗ୍ୟ, ବ୍ରିଟେନରେ କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଶୁକ୍ରବାର ଗୋଟିଏ ଦିନରେ ବ୍ରିଟେନରେ ଓମିକ୍ରନର ୩୨୦୧ଟି ନୂଆ ମାମଲା ଚିହ୍ନଟ ହୋଇଛି । ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ପର ଠାରୁ ବ୍ରିଟେନରେ ଏବେ ଦୈନିକ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ବ୍ରିଟେନରେ ଓମିକ୍ରନର ମୋଟ ୧୪ ହଜାର ୯୦୯ଟି ମାମଲା ସାମନାକୁ ଆସଛି ।
ଅନ୍ୟପଟେ ଆମ ଦେଶରେ ଓମିକ୍ରନର ସବୁଠୁ ଅଧିକ ୪୦ ଜଣ ସଂକ୍ରମିତ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ୨୨ ଜଣ, ରାଜସ୍ଥାନରେ ୧୭ ଜଣ, ତେଲଙ୍ଗାନା ଓ କର୍ଣ୍ଣାଟକରେ ୮ ଜଣ ଲେଖାଏ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଗୁଜରାଟ ଓ କେରଳରେ ୭ ଜଣ ଲେଖାଏ ଓମିକ୍ରନ୍ ସଂକ୍ରମିତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ, ତାମିଲନାଡ଼, ପଶ୍ଚିମବଙ୍ଗ ଓ ଚଣ୍ଡିଗଡ଼ରେ ଓମିକ୍ରନର ଗୋଟିଏ ଲେଖାଏ ମାମଲା ସାମନାକୁ ଆସିଛି ।