ଆଶ୍ୱସ୍ତ କଲେ ନିତି ଆୟୋଗ ସଦସ୍ୟ: କହିଲେ, ବଢ଼ୁଥିବା ଆକ୍ରାନ୍ତଙ୍କ ସଂଖ୍ୟାରେ ଲାଗିବ ଅଙ୍କୁଶ

ନୂଆଦିଲ୍ଲୀ: କରୋନା ଭାଇରସ୍ ଜନିତ ମାମଲା ଦେଶରେ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ନିତି ଆୟୋଗ ସଦସ୍ୟ ପ୍ରଫେସର ଭି.କେ ପଲ୍‌ ରବିବାର କହିଛନ୍ତି ଯେ, ଦ୍ରୁତଗତିରେ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉପରେ ବହୁତ ଶୀଘ୍ର ଅଙ୍କୁଶ ଲାଗିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଉ ୨ ସପ୍ତାହ ପାଇଁ ଲକ୍‌ଡାଉନ୍‌ ବୃଦ୍ଧି ନେଇ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମ ୨ ପର୍ଯ୍ୟାୟରେ ଲକ୍‌ଡାଉନ୍‌ରୁ ମିଳିଥିବା ସୁଫଳ ବଜାୟ ରହିବ ।

ସରକାର କାହିଁକି ବଢ଼ାଇଲେ ଲକ୍‌ଡାଉନ୍

ଖବର ସରବରାହ ସଂସ୍ଥାକୁ ଦେଇଥିବା ଏକ ସାକ୍ଷାତକାରରେ ଶ୍ରୀ ପଲ୍ କହିଛନ୍ତି ଯେ, ଲକ୍‌ଡାଉନ୍‌ର ପ୍ରକୃତ ଲକ୍ଷ୍ୟ କରୋନା ଚେନ୍‌କୁ ଭାଙ୍ଗିବା । ଏଣୁ ମେ’ ୩ ପରେ ପୁଣି ଲକ୍‌ଡାଉନ୍‌କୁ ବଢ଼ାଗଲା । ଯଦି ଅଚାନକ୍‌ ଲକ୍‌ଡାଉନ୍‌କୁ ହଟାଇ ଦିଆଯାଇଥାନ୍ତା ତା’ ହେଲେ ଏହାର ଲକ୍ଷ ପୂରଣ ହୋଇପାରିବ ନାହିଁ ।

ପୂର୍ବାପେକ୍ଷା ଭଲ ରହିଛି ସ୍ଥିତି

ଶ୍ରୀ ପଲ୍‌ଙ୍କ କହିବାନୁଯାୟୀ, ଲକ୍‌ଡାଉନ୍ର ପୂର୍ବରୁ ୫ ଦିନରେ କରୋନା ଆକ୍ରାନ୍ତଙ୍କ ମାମଲା ଦ୍ୱିଗୁଣା ହେଉଥିଲା । କିନ୍ତୁ ଏହା ପରେ ଏହି ମାମଲା ଦ୍ୱିଗୁଣା ହେବାକୁ ୧୧ରୁ ୧୨ ଦିନ ସମୟ ଲାଗୁଛି ।

୪୦ ହଜାର ପାଖାପାଖି ପହଞ୍ଚିଲା ସଂକ୍ରମଣ ସଂଖ୍ୟା

ଏଯାବତ୍‌ ମୋଟ ୩୯ ହଜାର ୯୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁ ମାନଙ୍କ ମଧ୍ୟରୁ ୧୩୦୧ ଜଣଙ୍କ ମୃତ୍ୟୁ ଘଟିଛି । କରୋନା ଭାଇରସ୍ ଯୋଗଁ ଏଯାବତ୍‌ ସାରା ବିଶ୍ୱରେ ମୋଟ ୩୪ ଲକ୍ଷରୁ ଅଧିକ ଲୋକ କରୋନାରେ କବଳିତ ହୋଇଛନ୍ତି ।

Leave a Reply