ନିଶା ଦହିୟା ଜୀବିତ, ହତ୍ୟା ଖବର ଗୁଜବ

ସୋନିପତ: ଜାତୀୟସ୍ତରର କୁସ୍ତିଯୋଦ୍ଧା ନିଶା ଦହିୟା ଓ ତାଙ୍କ ଭାଇ ସୁରକ୍ଷିତ ଅଛନ୍ତି । ନିଜେ ନିଶା ଏକ ଭିଡିଓ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି । ନିଶା ଓ ତାଙ୍କ ଭାଇଙ୍କୁ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ଏହାପରେ ନିଶା ଭିଡିଓ ଜାରି କରି କହିଛନ୍ତି, ‘ମୁଁ ବଞ୍ଚିଛି । ମୋତେ କେହି ଗୁଳି କରି ହତ୍ୟା କରି ନାହାଁନ୍ତି । ମୋ ଭାଇ ବି ସଂପୂର୍ଣ୍ଣ ସୁରକ୍ଷିତ ଅଛି ।’

ସୂଚନାଯୋଗ୍ୟ, ଟିଭି ଚ୍ୟାନେଲଠାରୁ ଆରମ୍ଭ କରି ୱେବ୍ ସାଇଟର ଶିରୋନାମା ପାଲଟି ଥିଲା ନିଶାଙ୍କୁ ହତ୍ୟା କରାଯାଇଥିବା ଖବର । ହରିୟାଣାରେ ଏକ ଗୁଳିକାଣ୍ଡରେ ନିଶା ଦହିୟା ନାମକ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ନାଁ ସମାନ ଥିବାରୁ ନ୍ୟାଶନାଲ ଚାମ୍ପିୟନ ନିଶାଙ୍କୁ ହତ୍ୟା କରାଯାଇଛି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମ ଖବର ପ୍ରସାରିତ କରିଥିଲେ ।

ନିଶା ନିକଟରେ ବିଶ୍ବ କୁସ୍ତି ଯୋଦ୍ଧା ପ୍ରତିଯୋଗୀତାରେ ବ୍ରୋଞ୍ଜ ମେଡାଲ୍ ପାଇଥିଲେ । ଏହାପୂର୍ବରୁ ସେ ଅନେକ ଜାତୀୟସ୍ତରର ପ୍ରତିଯୋଗୀତାରେ ନିଜ ପ୍ରତିଭା ଦେଖାଇ ସାରିଛନ୍ତି । ତେବେ ଆଜି ଏଭଳି ଏକ ଖବର ପ୍ରସାରଣ ଓ ଏହାକୁ ନିଶାଙ୍କ ଖଣ୍ଡନ ଏକ ରୋଚକ ପରିସ୍ଥିତି ସୃଷ୍ଟି କରିଥିଲା ।

Leave a Reply