ନୂଆଦିଲ୍ଲୀ: ଘୁଞ୍ଚିବ କି ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ? ଫାଶୀରୁ ବର୍ତ୍ତିବାକୁ ଲଗାତର ପ୍ରୟାସ କରୁଛନ୍ତି ନିର୍ଭୟା ଦୋଷୀ। ସୁପ୍ରିମକୋର୍ଟରେ ନିର୍ଭୟା ଦୋଷୀ ଅକ୍ଷୟର କ୍ୟୁରେଟିଭ୍ ପିଟିସନ୍ ଉପରେ ଶୁଣାଣି ହେବ।

ଆଜି ସର୍ବୋଚ୍ଚ କୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ଏନେଇ ଶୁଣାଣି କରିବେ। ଏହା ପୂର୍ବରୁ ନିର୍ଭୟା ଦୋଷୀ ମୁକେଶ ଓ ବିନୟ ଶର୍ମାଙ୍କ କ୍ୟୁରେଟିଭ୍ ପିଟିସନ୍ ଖାରଜ ହୋଇସାରିଛି। ସେପଟେ ଦୋଷୀ ବିନୟ ଶର୍ମା ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛି ।

ନିୟମ ଅନୁସାରେ ଯଦି ରାଷ୍ଟ୍ରପତି ରାଜକ୍ଷମା ଆବେଦନ ଖାରଜ କରନ୍ତି ତେବେ ନୂଆ କରି ଡେଥ୍ ଓ୍ୱାରେଣ୍ଟ୍ ଜାରି କରିବାକୁ ପଡ଼ିବ। ଏହାପୂର୍ବରୁ ୪ ଦୋଷୀଙ୍କୁ ଜାନୁଆରୀ ୨୨ରେ ଫାଶୀ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା।

ତେବେ ଦୋଷୀ ମୁକେଶ ରାଷ୍ଟ୍ରପତିଙ୍କୁ ରାଜକ୍ଷମା ପାଇଁ ଆବେଦନ କରିଥିଲା। ଚଳିତ ବର୍ଷ ଜାନୁଆରୀ ୧୭ରେ ରାଜକ୍ଷମା ଆବେଦନକୁ ଖାରଜ କରିଥିଲେ ରାଷ୍ଟ୍ରପତି। ତେବେ ଏହାପରେ ଫେବ୍ରୁଆରୀ ପହିଲାକୁ ଫାଶୀ ତାରିଖ ଘୁଞ୍ଚିଥିଲା।


