spot_img

Latest Posts

ସବ୍‌ସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ନିର୍ଭୟର ସଫଳ ପରୀକ୍ଷଣ: ଶବ୍ଦଠାରୁ ୯ଗୁଣ ଅଧିକ ବେଗ

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ତିନି ନମ୍ବର ଲଞ୍ଚପ୍ୟାଡ଼ରୁ ଦୂରଗାମୀ ସବ୍‌ସୋନିକ୍‌ କ୍ରୁଜ୍‌ ମିସାଇଲ ‘ନିର୍ଭୟ’ର ସଫଳ ପରୀକ୍ଷଣ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ନିର୍ଭୟ କ୍ଷେପଣାସ୍ତ୍ରକୁ ଆଜି ସକାଳ ୯ଟା ୫୩ମିନିଟ୍‌ରେ ଉତ୍‌କ୍ଷେପଣ କରାଯାଇଛି। ପରୀକ୍ଷା ସମୟରେ ସ୍ୱତନ୍ତ୍ର ଭାବେ ଲଗାଯାଇଥିବା ରାଡ଼ାର ମାଧ୍ୟମରେ ସଂଗୃହିତ ତଥ୍ୟକୁ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି।  ଉତ୍‌କ୍ଷେପଣ ପରେ ଏହି କ୍ଷେପଣାସ୍ତ୍ର ଶତୃପକ୍ଷ୍ୟ ଶିବିରର ଫଟୋ ଓ ଭିଡ଼ିଓ କଣ୍ଟ୍ରୋଲରୁମ୍‌କୁ ପଠାଇ ପାରିବ।

ପୂର୍ବରୁ ନିର୍ଭୟ ମିସାଇଲରେ ଟର୍ବୋଫ୍ୟାନ୍‌ ଇଞ୍ଜିନ୍‌ ବ୍ୟବହାର କରାଯାଉଥିବାବେଳେ, ଚଳିତ ପରୀକ୍ଷାରେ ଏହି କ୍ଷେପଣାସ୍ତ୍ରରେ ‘ମାଣିକ୍‌ ଟର୍ବୋଫ୍ୟାନ୍‌’ ଇଞ୍ଜିନ୍‌ ବ୍ୟବହାର କରାଯାଇଛି । ଫଳରେ ଡ଼ିଆରଡ଼ିଓ ତରଫରୁ ଏହାକୁ Indigenous Technology Cruse Missile ବୋଲି କୁହାଯାଉଛି । ‘ମାଣିକ୍‌ ଟର୍ବୋଫ୍ୟାନ୍‌’ ଇଞ୍ଜିନ୍‌ ମାଧ୍ୟମରେ ମିସାଇଲ ଅଧିକ ବେଗ ପାଇବା ସହିତ କମ୍‌ ଶବ୍ଦ ମଧ୍ୟ ଶୁଣାଯିବ। ନିର୍ଭୟ ମିସାଇଲର ଓଜନ ୧୫ଶହ କିଲୋଗ୍ରାମ ହୋଇଥିବାବେଳେ, ଏହାର ଲମ୍ବ ୬ ମିଟର, ମୋଟେଇ ୦.୫୨ ମିଟର ଓ ଏହାର ଡ଼େଣାର ଲମ୍ବ ୨.୭ ମିଟର ରହିଛି।

ଏହି କ୍ଷେପଣାସ୍ତ୍ରରେ ୨ଶହରୁ ୩ଶହ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ। ୧୫ ଶହ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରୁଥିବା ନିର୍ଭୟ ମିସାଇଲର ବେଗ ଶବ୍ଦର ବେଗ ଠାରୁ ପାଖାପାଖି  ୭ରୁ ୯ ଗୁଣ ଅଧିକ। ଏହି କ୍ଷେପଣାସ୍ତ୍ରକୁ ପ୍ରଥମେ ୨୦୧୩ ମସିହା ମାର୍ଚ୍ଚମାସ ୧୨ ତାରିଖରେ ଚାନ୍ଦିପୁରରୁ ପରୀକ୍ଷା କରାଯାଇଥିବାବେଳେ, ଆଜି ନବମ ଥର ପାଇଁ ପରୀକ୍ଷା କରାଯାଇଛି।

Latest Posts

Don't Miss