ଭାରତ ଫେରିବ ପଳାତକ ନୀରବ ମୋଦି !

1 min read

ନୂଆଦିଲ୍ଲୀ: ଶୀଘ୍ର ବର୍ଷର ପ୍ରତୀକ୍ଷା ପରେ ପଳାତକ ନୀବର ମୋଦି ଭାରତ ଫେରିବାର ବାଟ ଫିଟିଛି । ବ୍ରିଟେନ ହାଇକୋର୍ଟ ଏଥିପାଇଁ ସବୁଜ ସଙ୍କେତ ଦେଇଛନ୍ତି । ନୀରବ ମୋଦିଙ୍କ ପ୍ରତ୍ୟାର୍ପଣକୁ ଅଟକାଇବାକୁ ହୋଇଥିବା ଆବେଦନକୁ ସ୍ଥାନୀୟ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି । କୋର୍ଟ ତାଙ୍କ ରାୟରେ କହିଛନ୍ତି, ‘ନୀରବ ମୋଦିଙ୍କ ପ୍ରତ୍ୟାର୍ପଣ ରଦ୍ଦ କରିବା ନ୍ୟାୟୋଚିତ ହେବ ନାହିଁ ।’

ସୂଚନାଯୋଗ୍ୟ, ନୀରବ ମୋଦିଙ୍କୁ ହସ୍ତାନ୍ତର କରିବାକୁ ଭାରତ ସରକାର ଦୀର୍ଘ ବର୍ଷ ହେଲା ଦାବି କରି ଆସୁଛନ୍ତି । ଏଥିରୁ ବର୍ତ୍ତିବା ପାଇଁ ଇଂଲଣ୍ଡରେ ଥାଇ ନୀରବ ନୂଆ ନୂଆ ପଇଁତରାବାଜି ଖେଳୁଛନ୍ତି । ନୀରବଙ୍କ ଓକିଲ ଦଲିଲ ଦେଇଥିଲେ, ‘ସେ (ନୀରବ) ଡିପ୍ରେସନର ଶିକାର ହୋଇଛନ୍ତି । ଭାରତୀୟ ଜେଲର ସ୍ଥିତି ଯେମିତି, ସେଠାରେ ସେ ଆତ୍ମହତ୍ୟା କରିପାରନ୍ତି ।’ ହେଲେ ବ୍ରିଟେନ ହାଇକୋର୍ଟ ଦଲିଲ ଶୁଣିବା ପରେ ନୀରବ ମୋଦିଙ୍କ ଉକ୍ତ ଆବେଦନକୁ ନାକଚ କରିଦେଇଛନ୍ତି ।

ଏହା ପୂର୍ବରୁ ମଧ୍ୟ ଏହି ମାମଲାର ଶୁଣାଣି ହୋଇଥିଲା । ସେତେବେଳେ ଜଷ୍ଟିସ୍ ରବର୍ଟ ଜୋ ଜୋର ଦେଇ କହିଥିଲେ, ଭାରତ ଓ ଇଂଲଣ୍ଡ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି । ତେଣୁ ବ୍ରିଟେନକୁ ୧୯୯୨ ଇଣ୍ଡିଆ-ୟୁକେ ପ୍ରତ୍ୟାର୍ପଣ ଚୁକ୍ତିକୁ ସମ୍ମାନ ଦେବା ଉଚିତ ।

କୋର୍ଟ ତାଙ୍କ ଆଦେଶରେ ଏହା ସ୍ପଷ୍ଟ କରିଛନ୍ତି ଯେ, ଓ୍ବେଷ୍ଟମିନିଷ୍ଟର କୋର୍ଟ ଗତବର୍ଷ ହସ୍ତାନ୍ତରକୁ ନେଇ ଯେଉଁ ରାୟ ଶୁଣାଇଥିଲେ, ତାହା ଠିକ ଥିଲା । ଏହାସହ କୋର୍ଟ କହିଛନ୍ତି, ଆତ୍ମହତ୍ୟା କରିବା ଦଲିଲ ଦେବା ପ୍ରତ୍ୟାର୍ପଣ ରଦ୍ଧ କରିବାର ଆଧାର ହୋଇପାରିବନି ।

ହାଇକୋର୍ଟଙ୍କ ରାୟକୁ ନେଇ ନୀରବ ମୋଦିଙ୍କ ଟିମ୍ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନି । କୁହାଯାଉଛି ହାଇକୋର୍ଟଙ୍କ ରାୟ ବିରୋଧରେ ନୀରବଙ୍କ ଟିମ୍ ସୁପ୍ରିମକୋର୍ଟ ଯାଇପାରନ୍ତି । ଯଦି ନୀରବ ମୋଦି ସୁପ୍ରିମକୋର୍ଟ ଯାଆନ୍ତି ତେବେ ତାଙ୍କୁ ୧୪ ଦିନ ଭିତରେ ଆବେଦନ କରିବାକୁ ପଡ଼ିବ ।